Advertisment

ପରିବାର ଉଜାଡ଼ିଦେଲା ଫାଇନାନ୍ସ କମ୍ପାନୀ; ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ଓଡ଼ିଆପାଲି ଗାଁର ତାରାକାନ୍ତ ସାହୁ ନାମକ ଜଣେ ଡ୍ରାଇଭର ଫାଇନାନ୍ସ କମ୍ପାନୀର ଯାତନା ସହି ନ ପାରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଛନ୍ତି। ଫଳରେ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

author-image
Niharika Rout
Train

Train

ଫାଇନାନ୍ସ କମ୍ପାନୀଙ୍କ ଦାଦାଗିରି ସୀମା ଟପିଲାଣି। ତାଙ୍କ ନିର୍ଯାତନା ସହି ନ ପାରି ଜୀବନ ହାରୁଛନ୍ତି ନିରୀହ ଲୋକେ। କିଏ ରଶି ଲଗାଇ ଝୁଲି ପଡ଼ୁଛି ତ କିଏ ଟ୍ରେନ୍‌ ଆଗକୁ ଡେଇଁ ପଡ଼ୁଛି। ଫଳରେ ଛାରଖାର ହୋଇଯାଉଛି ବହୁ ପରିବାର ।

Advertisment

ଆଜି ଭୋରୁ ପୁରୀଜିଲ୍ଲା କଣାସ ଥାନା ଅନ୍ତର୍ଗତ ଅଁଳାଯୋଡି ଗ୍ରାମର ଏକ ବୃଦ୍ଧ ଦମ୍ପତି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଝୁଲି ପଡ଼ିଥିବା ବେଳେ ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅଞ୍ଚଳରେ ବି ସମାନ ଘଟଣା ଦେଖିବାକୁ ମିଳିଛି।

ଓଡ଼ିଆପାଲି ଗାଁର ତାରାକାନ୍ତ ସାହୁ ନାମକ ଜଣେ ଡ୍ରାଇଭର ଫାଇନାନ୍ସ କମ୍ପାନୀର ଯାତନା ସହି ନ ପାରି ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଛନ୍ତି। ଫଳରେ ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Advertisment

କରୋନା କାଳରେ ତାରାକାନ୍ତ ଏକ ଟାଟା ଏସି ଗାଡ଼ି କିଣିବାକୁ ଏକ ଘରୋଇ ଫାଇନାନ୍ସ କମ୍ପାନୀଠୁ ୬୦ ହଜାର ଟଙ୍କା ଲୋନ୍‌ ଆଣିଥିଲେ। ଗତ ବର୍ଷଠୁ ସେ ସବୁ ଲୋନ୍‌ ଶୁଝି ଦେଇଥିଲେ। ଏହାସତ୍ତ୍ୱେ କମ୍ପାନୀ କର୍ମଚାରୀ ତାଙ୍କୁ ଫୋନ୍‌ କରି ଆହୁରି ଟଙ୍କା ଶୁଝିବାକୁ କହୁଥିଲେ। ଫଳରେ ସେ ସବୁବେଳେ ମାନସିକ ଅବସାଦରେ ରହୁଥିବା କହିଛନ୍ତି ପରିବାର ଲୋକେ ।

ଗତକାଲି ସକାଳେ ସେ କାମରେ ବଲାଙ୍ଗିର ଯାଉଛି କହି ଘରୁ ବାହାରି ଯାଇଥିଲେ। ମାତ୍ର ରାତି ଯାଉ ଆଉ ନ ଫେରିବାକୁ ପରିବାର ଲୋକେ ତାଙ୍କୁ ଖୋଜିଥିଲେ। ଶେଷରେ ଆଜି ସକାଳୁ ଏକ ମୃତଦେହ ଟ୍ରେନ୍‌ ଲାଇନ୍‌ରେ ପଡ଼ିଥିବା ଖବର ପାଇଥିଲେ। ଜିଆରପି ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରିଥିବା ବେଳେ ପରିବାର ଲୋକେ ପହଞ୍ଚି ତାହାକୁ ଚିହ୍ନଟ କରିଛନ୍ତି। ପୁଲିସ୍‌ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତାରାକାନ୍ତ ବଲାଙ୍ଗୀର ସୁଦପଡା ରେଲୱେ ଓଭରବ୍ରିଜ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଫାଇନାନ୍ସ କମ୍ପାନୀର ମାନସିକ ନିର୍ଯାତନା ସହି ନ ପାରି ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Suicide Train