ପବନ ବେଗରେ ପ୍ଲାଟଫର୍ମ ଭିତରକୁ ପଶି ଆସିଥିଲେ ଜଣେ ଯୁବକ। ସିଧା ଯାଇ ପ୍ଲାଟଫର୍ମରେ ଠିଆ ହୋଇଥିବା ମାଲବାହୀ ଟ୍ରେନ୍ ଉପରେ ଚଢ଼ି ଯାଇ ବିଦ୍ୟୁତ୍ ତାରକୁ ଧରି ପକାଇ ଥିଲେ। ଆଉ ବିଦ୍ୟୁତ ଝଟକା ଖାଇ ତଳେ ପଡ଼ି ଯାଇଥିଲେ। ଏମିତି ଏକ ଘଟଣା ଗତକାଲି ସନ୍ଧ୍ୟାରେ ଘଟିଥିଲା ବଲାଙ୍ଗିର ଜିଲ୍ଲା ବଡ଼ମାଳ ରେଲୱେ ଷ୍ଟେସନରେ।
ଏହି ଯୁବକଙ୍କ ନାଁ ସୁବାଷ ବଗର୍ତି (୨୪)। ତାଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଛି। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୁବାଷ ମାଲବୋଝେଇ ଟ୍ରେନ୍ ଉପରେ ଚଢ଼ିବା ପରେ ସେଠାରେ ଉପସ୍ଥିତ ଲୋକେ ତଥା ଜିଆରପି ପୁଲିସ ତାଙ୍କ ଓହ୍ଲାଇ ଆସିବାକୁ କହିଥିଲେ। କାରଣ ସୁବାଷଙ୍କ ହାବଭାବ ଦେଖି ସେ କୌଣସି ମନ୍ଦ ଉଦ୍ଦେଶ୍ୟରେ ଟ୍ରେନ ଉପରେ ଚଢ଼ିଥିବା ସମସ୍ତଙ୍କର ସନ୍ଦେହ ହୋଇଥିଲା। ତେବେ କାହା କଥା ଶୁଣି ନଥିଲେ ସୁବାଷ ଓ ବିଦ୍ୟୁତ ତାରକୁ ଧରି ପକାଇଥିଲେ। ବିଦ୍ୟୁତ୍ ଝଟକାରେ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା।
ସୁବାଷ କେଉଁ କାରଣରୁ ଆତ୍ମହତ୍ୟା କରିବକୁ ଉଦ୍ୟମ କରିଥିଲେ, ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ସୁବାଷ ଜଣେ ମାନସିକ ରୋଗୀ ବୋଲି ପରିବାର ଲୋକେ କହିଛନ୍ତି। ପୂର୍ବରୁ ଥରେ ମଧ୍ୟ ସେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।