ଶୀତଳଷଷ୍ଠୀ ଯାତ୍ରା ଦେଖି ଫେରୁଥିବା ବେଳେ ୨ଜଣ ଯୁବକଙ୍କୁ ଦୁର୍ବୃତ୍ତମାନେ ଛୁରାମାଡ଼ କରିଥିବା ଅଭିଯୋଗ ହୋଇଛି। ଛୁରାମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗେଟ୍ ସରୋବରପଡ଼ାର ସରୋଜ ପାଣିଗ୍ରାହୀ ଓ ଗୁରୁତର ଜଣଙ୍କ କନ୍ଧପାଳିପଡ଼ାର ପ୍ରେମ ସାହୁ।
ଗତକାଲି ବିଳମ୍ବିତ ରାତିରେ ସରୋଜ ଓ ପ୍ରେମ ଉଭୟ ଶୀତଳଷଷ୍ଠୀ ଯାତ୍ରା ଦେଖି ଘରକୁ ଫେରୁଥିଲେ। ନରସିଂହ ମନ୍ଦିର ଛକ ନିକଟରେ ହଠାତ୍ ୨ ଦୁର୍ବୃତ୍ତ ଆସି ସରୋଜଙ୍କୁ ଗାଳିଗୁଲଜ କରିଥିଲେ। ପ୍ରେମ ଏହାକୁ ବିରୋଧ କରିବାରୁ ଦୁ଼ର୍ବୃତ୍ତମାନେ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସରୋଜଙ୍କୁ ଛୁରୀରେ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଦୁର୍ବୃତ୍ତ।
ସ୍ଥାନୀୟ ଲୋକେ ଓ ପୁଲିସ ସରୋଜ ଓ ପ୍ରେମଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରୋଜଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରେମ ଚିକିତ୍ସାଧୀନ ଅଛନ୍ତି।
କିଏ ଓ କାହିଁକି ଉଭୟଙ୍କୁ ଛୁରାମାଡ଼ କଲା ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା କାରଣରୁ ଏହି ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।