ପାଇଖାନାରେ ପିଲା, ସ୍କୁଲରେ ତାଲା; ଚାକିରି ଗଲା

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ସ୍କୁଲ୍‌ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା? ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି। ବାଲେଶ୍ୱର ସହର ମଠସାହିର ସାକର ହାସଁଦାଙ୍କ ପୁଅ ମହାବୀର ନୋଡ଼ାଲ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍‌ରେ ବହିବସ୍ତାନୀ ରଖି ପିଲାଟି […]

teacher-suspend

Manoranjan Sial
  • Published: Thursday, 12 September 2019
  • , Updated: 12 September 2019, 07:15 PM IST

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ସ୍କୁଲ୍‌ କ୍ୟାମ୍ପସରେ କେତେ ସୁରକ୍ଷିତ ପିଲା? ବାଲେଶ୍ୱରରେ ଜିଲ୍ଲାରେ ଏକ ସ୍କୁଲରେ ଜଣେ ପିଲାକୁ ତାଲା ପକାଇବା ପରେ ଆଜି ଏମିତି ଚିନ୍ତା ପ୍ରତ୍ୟେକ ଅଭିଭାବକଙ୍କୁ ଘାରିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣାର ତଦନ୍ତ କରି ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ସସ୍‌ପେଣ୍ଡ କରିଛନ୍ତି।

ବାଲେଶ୍ୱର ସହର ମଠସାହିର ସାକର ହାସଁଦାଙ୍କ ପୁଅ ମହାବୀର ନୋଡ଼ାଲ ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିଲେ। ଛୁଟି ହେବାର କିଛି ସମୟ ପୂର୍ବରୁ କ୍ଲାସରୁମ୍‌ରେ ବହିବସ୍ତାନୀ ରଖି ପିଲାଟି ଏକୁଟିଆ ପାଇଖାନା ଯାଇଥିଲା। ତା’ହାରି ଭିତରେ ଛୁଟି ହୋଇଯାଇଥିଲା। ସମସ୍ତେ ଯିଏ ଯା’ଘରକୁ ଚାଲି ଯାଇଥିଲେ। ଶେଷରେ ସ୍କୁଲ ପିଅନ ଆସି ତାଲା ପକାଇ ଚାଲି ଯାଇଥିଲେ ଘରକୁ। ସଂପୃକ୍ତ ଛାତ୍ର ଜଣକ ପାଇଖାନାରୁ ବାହାରି ଦେଖନ୍ତି, ଚାରିଆଡ଼େ ଶୂନଶାନ୍ ପରିବେଶ। ଦୀର୍ଘ ସମୟ ଧରି ଖୋଜାଖୋଜି କଲା ସମସ୍ତଙ୍କୁ। କିନ୍ତୁ କାହାକୁ ନପାଇ ଗେଟ୍ ପାଖକୁ ଆସି ରାହାଧରି କାନ୍ଦିଲା। ଘଣ୍ଟାଏ ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର ହୋଇଥିଲା ପିଲାଟି।

ଏଠି ପ୍ରଶ୍ନ ଉଠୁଛି, ଏତେବଡ଼ ସ୍କୁଲରେ କ୍ଲାସରୁମ୍‌ କି ପାଇଖାନା ଯାଞ୍ଚ ନକରି କେମିତି ଗେଟ୍‌ରେ ତାଲା ମାରି ଛୁ ମାରିଲେ ପିଅନ? ପିଲାଟି ପାଇଖାନା ଯାଇଥିବା ସମ୍ପର୍କରେ ସେ କେମିତି ଜାଣିପାରିଲେନି? ଯଦି ଜାଣିଥିଲେ, ତେବେ କାହିଁକି ତାଲା ପକାଇଲେ? ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ କିନ୍ତୁ ଅଜବ ଯୁକ୍ତି ବାଢ଼ିଛନ୍ତି। କହିଛନ୍ତି ପିଲାଙ୍କୁ ନେବା ପାଇଁ ଅଭିଭାବକମାନେ ବିଳମ୍ବ କରୁଥିବାରୁ ପ୍ରତିଦିନ ଜଣେ ଦୁଇ ଜଣଙ୍କୁ ଏମିତି ତାଲା ପକାଇ ରଖାଯାଏ। ରାସ୍ତା କଡ଼ ସ୍କୁଲ ହୋଇଥିବାରୁ ଅଭିଭାବକ ଆସିଲେ ହିଁ ପିଲାଙ୍କୁ ଛଡ଼ାଯାଏ ବୋଲି ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ର କହିଛନ୍ତି।

ସେପଟେ ଖବର ପ୍ରସାରଣ ପରେ ବିଭାଗୀୟ ନିର୍ଦ୍ଦେଶ କ୍ରମେ ସ୍କୁଲକୁ ଯାଇ ଅନୁଧ୍ୟାନ କରିଥିଲେ ବିଇଓ ଓ ସିଆର୍‌ସିସି। ସେମାନଙ୍କଠାରୁ ରିପୋର୍ଟ ପାଇବା ପରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ବିଇଓ।

Related story