Advertisment

କୁଆଡ଼େ ଗଲୁରେ ଧନ... ଆଉ ଗାଧାନା, ଏବେ ଫେରିଆ...

ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଓମ୍‌? ଖବର ପାଇ ନଦୀ କୂଳକୁ ଧାଇଁ ଯାଇଥିବା ବାପା ଦୀପକ କୁମାର ଓ ମାଆ। ହେଲେ ପୁଅର ପତ୍ତା ପାଇଲେ ନାହିଁ। କେବଳ ଶେଷ ସନ୍ତକ ଭାବେ ପୁଅର ସାଇକେଲ୍‌ ଓ ପ୍ୟାଣ୍ଟକୁ ପାଇଥିଲେ।

ଅଦ୍ୟତନ ହୋଇଛି
Child

Child

Advertisment

କୁଆଡ଼େ ଗଲୁରେ ଧନ... ଆଉ ଗାଧାନା। ନଦୀରେ ଢେରେ ପାଣି... ବୁଡ଼ି ଯିବୁରେ ଧନ, ଶୀଘ୍ର ଫେରିଆ...। ଜଣେ ସ୍ନେହ କାଙ୍ଗାଳି ମାଆଙ୍କ ଏ କରୁଣ ଚିତ୍କାର, ନା ଚଗଲା ପୁଅର କାନରେ ପଡୁଥିଲା ନା ଉତ୍ତର ଦେଉଥିଲା ଶାନ୍ତ ଓ ଧୀରସ୍ଥିର ଭାବେ ବୋହି ଯାଉଥିବା ବୁଢ଼ାବଳଙ୍ଗ ନଦୀ! କୋଳାହଳ ଭିତରେ ସମସ୍ତେ ଖୋଜୁଥିଲେ ରଙ୍କୁଣୀ ମାଆର କୂଳନନ୍ଦନକୁ। ହେଲେ ମିଳୁ ନଥିଲା ଖବର। 

Advertisment

ଓମ୍‌ ପ୍ରକାଶ କର। ଅଷ୍ଟମ ଶ୍ରେଣୀର ଛାତ୍ର। ସେ ହେଉଛନ୍ତି ବାଲେଶ୍ୱର ଟାଉନ୍‌ ମାଣିଖମ୍ବ ଗାଁର ଦୀପକ କୁମାର କରଙ୍କ ଏକମାତ୍ର ପୁଅ। ଆଜି ସକାଳେ ବାପା ଫ୍ୟାକ୍ଟ୍ରୀକୁ କାମ କରିବାକୁ ଯାଇଥିବା ବେଳେ ଓମ୍‌ ଇଡ୍‌ଲି ଖାଇବାକୁ ମନ କରିଥିଲେ। ସେଥିପାଇଁ ମାଆଙ୍କଠାରୁ ପଇସା ନେଇ ଇଡ୍‌ଲି ଆଣି ଘରେ ରଖି ସାଙ୍ଗଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ଆସିଲେ ଇଡ୍‌ଲି ଖାଇବେ ବୋଲି ମାଆକୁ କଥା ଦେଇଥିଲେ।

ବୁଢ଼ାବଳଙ୍ଗ ନଦୀର ସିନ୍ଧିଆ ଘାଟରେ ମଜା ମଜଲିସ୍‌ରେ ପଠାରୁ ପାଣିକୁ ଡେଇଁ ଗାଧୋଉଥିଲେ ଓମ୍‌ ଓ ତାଙ୍କ ସାଙ୍ଗମାନେ। ନଦୀକୁ ଡିଆଁ ମାରିବା ବେଳେ ହଠାତ୍‌ ପାଣିରେ ବୁଡ଼ି ଯାଇଥିଲେ ଓମ୍‌। ଆଉ ପାଣିରୁ ବାହାରି ପାରିନଥିଲେ। ବଞ୍ଚାଅ ବଞ୍ଚାଅ ଚିତ୍କାର କରିଥିଲେ। ଓମ୍‌ଙ୍କ ଚିତ୍କାର ଶୁଣି କୂଳରେ ଛିଡ଼ା ହୋଇଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ପାଣିକୁ ଲମ୍ଫ ମାରିଥିଲେ। ସେତେବେଳକୁ ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ଓମ୍‌। ବହୁ ଖୋଜାଖୋଜି ପରେ ତାଙ୍କର ପତ୍ତା ପାଇନଥିଲେ।

Advertisment

ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଓମ୍‌? ଖବର ପାଇ ନଦୀ କୂଳକୁ ଧାଇଁ ଯାଇଥିବା ବାପା ଦୀପକ କୁମାର ଓ ମାଆ। ହେଲେ ପୁଅର ପତ୍ତା ପାଇଲେ ନାହିଁ। କେବଳ ଶେଷ ସନ୍ତକ ଭାବେ ପୁଅର ସାଇକେଲ୍‌ ଓ ପ୍ୟାଣ୍ଟକୁ ପାଇଥିଲେ। ନଦୀର ଅଥଳ ପାଣିକୁ ଅନାଇ ବାହୁନି ବାହୁନି ଡାକୁଥିଲେ କୁଆଡ଼େ ଗଲୁରେ ଧନ… ଶୀଘ୍ର ଫେରିଆ! ହେଲେ କିଏ ଶୁଣିବ? ଜନ୍ମଦାତ୍ରୀଙ୍କ ଏକ କରୁଣ ଚିତ୍କାର ବୁଢ଼ାବଳଙ୍ଗର ପ୍ରଖର ସ୍ରୋତରେ ମାଡ଼ ହୋଇ ଫେରିଆସୁଥିଲା! କିଛି ସମୟ ପରେ ମାଆଙ୍କ ସେହି କରୁଣ ଚିତ୍କାର ଶାନ୍ତ ପଡ଼ିଯାଇଥିଲା। ଚେତା ହରାଇ ନଦୀର ଘାଟରେ ପଡ଼ି ଯାଇଥିଲେ। ସାହିଭାଇ ଓ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ସେପଟେ ପୁଅକୁ ନପାଇ ପାଗଳ ପରି କାନ୍ଦୁଥିଲେ ବାପା।

ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ବୁଢ଼ାବଳଙ୍ଗ ନଦୀରେ ଖୋଜିଥିଲେ। ଦୀର୍ଘ ସମୟ ଧରି ଖୋଜିଥିଲେ ମଧ୍ୟ ଓମ୍‌ଙ୍କ ପତ୍ତା ପାଇନଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଓମ୍‌ଙ୍କ ପତ୍ତା ମିଳିନଥିବା ଜଣାପଡ଼ିଛି।

ରିପୋର୍ଟ-ବାଲେଶ୍ୱରରୁ ରଞ୍ଜିତ ପାକଳ

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe