/odisha-reporter/media/post_attachments/uploads/2021/05/nurse-2.jpg)
nurse
ନୀଳଗିରି (ବିଶ୍ୱମ୍ବର ଦାସ): ଚାରିଆଡ଼େ କରୋନା ମହାମାରୀର ହାହାକାର। ଏଭଳି ସମୟରେ ସରକାର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି। ବିଶେଷକରି ଗର୍ଭବତୀଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ବେଶ୍ ଘାତକ। କିନ୍ତୁ ଆଜି ଆମେ ଏମିତି ଜଣେ ମହିଳାଙ୍କ କଥା କହିବୁ, ଯିଏ ୯ ମାସର ଗର୍ଭବତୀ ଅଛନ୍ତି। ତଥାପି ନିଜ କର୍ତ୍ତବ୍ୟ ନଭୁଲି ମେଡିକାଲରେ କାର୍ଯ୍ୟ ସଂପାଦାନ କରୁଛନ୍ତି। ଏହି ମହିଳା ଜଣକ ହେଉଛନ୍ତି ନର୍ସ ସୁରେଖା ପ୍ରଧାନ। ତାଙ୍କ ପାଇଁ କର୍ମ ହିଁ ଭଗବାନ। ମାନବସେବା ଇଛା ଶକ୍ତିଆଗରେ କରୋନା ବି ଭୟ କରି ତାଙ୍କ ପାଖ ମାଡ଼ୁନାହିଁ। ଏଭଳି ସ୍ଥିତିରେ ସୁରେଖାଙ୍କ ଏହି ମହାନ କାମ ପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରାଯାଉଛି।
ସୁରେଖା ପ୍ରଧାନ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ ଭାବେ କାର୍ଯ୍ୟ କରନ୍ତି। ଏବେ ସେ ୯ ମାସର ଗର୍ଭବତୀ ଅଛନ୍ତି। ନିଜ ଶରୀରର ଯତ୍ନ ନେବା ସାଙ୍ଗକୁ କର୍ମକୁ ଧର୍ମ ଭାବି ବିନା ଛୁଟିରେ ମେଡିକାଲରେ ଡ୍ୟୁଟି କରୁଛନ୍ତି। ରୋଗୀ ସେବାକୁ ପ୍ରାଥମିକତା କରି ସେ ସବୁବେଳେ ମେଡିକାଲରେ କାମ କରିଚାଲିଛନ୍ତି।
/odisha-reporter/media/post_attachments/wp-content/uploads/2021/05/vlcsnap-2021-05-14-21h40m38s621.png)
କରୋନା ମହାମାରୀ ସମୟରେ ତାଙ୍କୁ ମେଡିକାଲ କର୍ତ୍ତୃପକ୍ଷ ଛୁଟି ନେବାକୁ ଉପଦେଶ ଦେଇଥିଲେ ବି ସେ ଷ୍ଟାଫ ଅଭାବ ହୃଦବୋଧ କରି ଛୁଟି ନେଉନାହାନ୍ତି। ମେଡିକାଲରେ ୧୮ ଜଣ ଷ୍ଟାଫ ନର୍ସ ଆବଶ୍ୟକ ବେଳେ ବର୍ତ୍ତମାନ ୯ ଜଣ ଷ୍ଟାଫ ଅଛନ୍ତି। କିନ୍ତୁ ସୁରେଖାଙ୍କ ପାଇଁ ନିଜ କର୍ତ୍ତବ୍ୟ ହିଁ ପ୍ରଥମ। ସୁରେଖାଙ୍କ ଏହି ମହତ କାମ ପାଇଁ ବିଭିନ୍ନ ମହଲରେ ପ୍ରସଂଶା ବି ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
