Advertisment

ଠିକାଦାରଙ୍କୁ ଅପହରଣ କରିଥିଲେ ଠିକାଦାର, ମାଗିଥିଲେ ୪୦ ଲକ୍ଷ; ଗିରଫ କଲା ପୁଲିସ୍

ଶିବାନନ୍ଦ ପାତ୍ରଙ୍କୁ ଚନ୍ଦନେଶ୍ୱର ନିକଟରୁ ଅପହରଣ କରାଯାଇଥିବା ନେଇ ଗତକାଲି ତାଙ୍କ ପତ୍ନୀ ନୀରବାଳା କୁଣ୍ଡୁ ତାଳସାରୀ ଥାନାରେ ଏତଲା ଦେଇଥିଲେ।

Victim and Accused

Victim and Accused

Advertisment

ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ଵର ନିକଟରୁ ଜଣେ ଠିକାଦାରଙ୍କୁ ଅପହରଣ କରି ୪୦ଲକ୍ଷ ଟଙ୍କା ମାଗିବା ଘଟଣାରେ ଆଉ ଜଣେ ଠିକାଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ କରୁଛି।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ସୁମନ ବରୁଣ ଦେ। ସେ ବାଲେଶ୍ୱର ସହରର ବାସିନ୍ଦା। ସେହିପରି ସେ ଯାହାଙ୍କୁ ଅପହରଣ କରିଥିଲେ, ତାଙ୍କ ନାଁ ଶିବାନନ୍ଦ ପାତ୍ର। ତାଙ୍କ ଘର ବସ୍ତା ଅଞ୍ଚଳରେ। ସେ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ରହନ୍ତି। ଉଭୟ ଠିକାଦାର। ଅଭିଯୁକ୍ତଙ୍କ ଦାବି ଅନୁସାରେ ସେମାନେ ପରସ୍ପରକୁ ଭଲ ଭାବେ ଜାଣିଛନ୍ତି।

ବାଲେଶ୍ୱର ଏସ୍‌ପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ, ଶିବାନନ୍ଦ ପାତ୍ରଙ୍କୁ ଚନ୍ଦନେଶ୍ୱର ନିକଟରୁ ଅପହରଣ କରାଯାଇଥିବା ନେଇ ଗତକାଲି ତାଙ୍କ ପତ୍ନୀ ନୀରବାଳା କୁଣ୍ଡୁ ତାଳସାରୀ ଥାନାରେ ଏତଲା ଦେଇଥିଲେ। ଏହି ଅଭିଯୋଗ ପାଇବା ପରେ ପୁଲିସ୍ ଖୋଳତାଡ଼ କରି ଶିବାନନ୍ଦଙ୍କୁ ଏକ ଲାଲ ରଙ୍ଗର ସ୍ୱିଫ୍ଟ କାରରେ ଅପହରଣ କରାଯାଇଥିବା ଜାଣିବାକୁ ପାଇଥିଲା। ଏହାପରେ ସାଇବର ପୁଲିସ୍ ଓ ତାଳସାରୀ ଥାନା ପୁଲିସ୍‌କୁ ନେଇ ଦୁଇଟି ଟିମ୍ ଗଠନ କରାଯାଇଥିଲା। ଗୋଟିଏ ଟିମ୍ ମୟୂରଭଞ୍ଜ ଅଭିମୁଖେ ଯାଇଥିଲା। ଅନ୍ୟ ଟିମ୍‌ଟି ବାଲେଶ୍ୱରରେ ଖୋଳତାଡ଼ କରିଥିଲା। ମୋବାଇଲ ନମ୍ବର ଟ୍ରାକ କରି ପୁଲିସ୍ ବାଲେଶ୍ଵର ଷ୍ଟେସନ ଛକ ନିକଟସ୍ଥ ଏକ ହୋଟେଲରୁ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଶିବାନନ୍ଦ ପାତ୍ରଙ୍କୁ ଉଦ୍ଧାର କରିଥିଲା।

Advertisment

ଶିବାନନ୍ଦଙ୍କ ପତ୍ନୀଙ୍କୁ ଅପହରଣକାରୀ ସୁମନ ବରୁଣ ଦେ ୪୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଶିବାନନ୍ଦଙ୍କ ପତ୍ନୀ ଅପହରଣକାରୀଙ୍କୁ ୫ ଲକ୍ଷ ଟଙ୍କା ଦେଇ ଦେଇଥିଲେ। ଅପହରଣକାରୀଙ୍କୁ ଧରିବା ପରେ ତା’ଠାରୁ ଉକ୍ତ ୫ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାବାଦ ଅଭିଯୁକ୍ତଙ୍କୁ ଶିବାନନ୍ଦଙ୍କ ପତ୍ନୀ ୩ଟି ଚେକ୍ ଦେଇଥିଲେ। ସେହି ଚେକ୍ ମାଧ୍ୟମରେ ଅଭିଯୁକ୍ତ ବାକି ଅର୍ଥ ନେଇଥା’ନ୍ତେ। ତାଙ୍କଠାରୁ ସେହି ଚେକ୍ ଗୁଡ଼ିକ ମଧ୍ୟ ଜବତ କରାଯାଇଥିବା ଏସ୍‌ପି କହିଛନ୍ତି।

ଶିବାନନ୍ଦଙ୍କ ବୟାନ ଅନୁସାରେ ଏହି ପୂରା ଘଟଣାରେ ସୁମନ ବରୁଣ ଦେ ହେଉଛନ୍ତି ଏକମାତ୍ର ଅଭିଯୁକ୍ତ। ବ୍ୟବସାୟିକ କାରଣରୁ ଏହି ଅପହରଣ କରାଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଏସ୍‌ପି କହିଛନ୍ତି। ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସେ କହିଛନ୍ତି।

ଅଭିଯୁକ୍ତ ସୁମନ ବରୁଣ ଦେ କହିଛନ୍ତି ଯେ ଶିବାନନ୍ଦ ତାଙ୍କ ଠାରୁ ଟଙ୍କା ନେଇଥିଲେ। ଟଙ୍କା ଫେରାଇବା ପାଇଁ ସେ ତାଙ୍କୁ ଚନ୍ଦନେଶ୍ୱରକୁ ଡାକି ନେଇଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଛ।

ଅନ୍ୟପକ୍ଷରେ ଶିବାନନ୍ଦ କିମ୍ବା ତାଙ୍କ ସ୍ତ୍ରୀ ଏହି ଘଟଣା ନେଇ ଗଣମାଧ୍ୟକୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

Balasore Kidnap Abduction
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe