Advertisment

ଭଙ୍ଗା ଚାଲିଥିଲା ବାହାନଗା ସ୍କୁଲ, ଖବର ଆସିଲା ଫାଇଭ୍-ଟି’ରେ ରୂପାନ୍ତରିତ ହେବ

ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ଏହି ହାଇସ୍କୁଲ।

ଅଦ୍ୟତନ ହୋଇଛି
Bahanaga School

Bahanaga School

Advertisment

ପିଲାଙ୍କ ଭୟ। ଅଭିଭାବକଙ୍କ ଭୟ। ଶେଷରେ ସେଇ ଭୟ ପାଇଁ ଭଙ୍ଗା ହେଉଛି ବାହାନଗା ସ୍କୁଲ। ଆଜି ସକାଳୁ ସକାଳୁ ଆରମ୍ଭ ହୋଇଥିଲା ସ୍କୁଲ ଘର ଭଙ୍ଗା ଅଭିଯାନ। ଖବର ମିଳିଥିଲା ଟ୍ରେନ୍ ଟ୍ରାଜେଡି ବେଳେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲର ହେବ ପୁନଃନିର୍ମାଣ। ତାହାର କିଛି ସମୟ ପରେ ମିଳିଲା ନୂଆ ଖବର। ଫାଇଭ୍-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ଏହି ସ୍କୁଲକୁ ନବୀକରଣ କରି ଏହାକୁ ମଡେଲ ସ୍କୁଲ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯାହା ପରେ ସ୍କୁଲ ଭଙ୍ଗା ସାଙ୍ଗକୁ ମ୍ୟାପିଂ ଓ ସର୍ଭେ କାମ ବି ଆରମ୍ଭ ହୋଇଯାଇଛି।

Advertisment

୨ ତାରିଖ ଭୟଙ୍କର ରେଳ ଦୁର୍ଘଟଣା ପରେ ଅସ୍ଥାୟୀ ଶବାଗାର ପାଲଟିଥିଲା ଏହି ହାଇସ୍କୁଲ। ସ୍କୁଲର ବିଜ୍ଞାନଗାରରେ ରଖାଯାଇଥିଲା ଶତାଧିକ ମୃତଦେହ। ପରେ ମୃତଦେହ ସବୁକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ସ୍କୁଲ ପରିସରକୁ ବିଶୋଧନ କରାଯିବା ସତ୍ତ୍ୱେ ବି ପିଲା, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଭିତରେ ଡର ବସା ବାନ୍ଧିଥିଲା। ତେଣୁ ଶବ ରହିଥିବା ସ୍କୁଲ ଘରଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ପାଖେ ବିଭିନ୍ନ ମହଲରୁ ଦାବି ହେଉଥିଲା। ଯାହା ଆଜି ପୂରା ହୋଇଛି। ଖରା ଛୁଟି ଥିବାରୁ ଏବେଠୁ ଆରମ୍ଭ ହୋଇଛି ଯୁଦ୍ଧକାଳୀନ ଭିତ୍ତିରେ ଭଙ୍ଗା କାମ।

ପ୍ରଥମେ ଶବ ଥିବା ଏଇ ଲମ୍ବା ହଲର ଆଜବେଷ୍ଟସ୍ ଖୋଲା ହେବା ଦେଖି ଲୋକେ ଭାବିଥିଲେ କେବଳ ଏଇ ହଲଟି ଭଙ୍ଗା ହେବ। କିନ୍ତୁ ପରେ ସିଏମଓ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବାହନଗା ହାଇସ୍କୁଲର ନବୀକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି। ହାଇସ୍କୁଲ ଓ ଏହା ପରିସରରେ ଥିବା ପ୍ରାଥମିକ ଏବଂ ଏଲିମେଣ୍ଟାରି ସ୍କୁଲ ଗୃହକୁ ଫାଇଭ୍-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ପୁନଃ ନିର୍ମାଣ କରାଯାଇ ଏହାକୁ ଆଦର୍ଶ ସ୍କୁଲ ଭାବେ ଗଢ଼ି ତୋଳାବାକୁ ନିଷ୍ପତ୍ତି ହୋଇଛି। ସେହି ଅନୁସାରେ ଆସନ୍ତା ୧୫ ଦିନ ଭିତରେ ବିସ୍ତୃତ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଭୟାବହ ରେଳ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଉଦ୍ଧାର ଓ ସେବା କାର୍ଯ୍ୟରେ ସ୍ଥାନୀୟ ଅଞ୍ଚଳବାସୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେଉଁ ମହତ କାର୍ଯ୍ୟ କରିଛନ୍ତି ସେମାନଙ୍କ ଯୋଗଦାନକୁ ପ୍ରୋତ୍ସାହିତ କରିବାକୁ ହାଇସ୍କୁଲକୁ ଫାଇଭ୍-ଟି କାର୍ଯ୍ୟକ୍ରମରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା କୁହାଯାଇଛି।

ସ୍କୁଲ ପରିଚାଳନା କମିଟି ସଦସ୍ୟା ସସ୍ମିତା ସେଠୀ ଓ ସ୍କୁଲ ପରିଚାଳନା କମିଟି ଉପାଧ୍ୟକ୍ଷା ଦ୍ୱୀପାଞ୍ଜଳି ସାହୁ କହିଛନ୍ତି, ପିଲାମାନଙ୍କ ଭିତରେ ଭୟ ରହିଥିବା ନେଇ ଜିଲ୍ଲାପାଳଙ୍କୁ ଜଣାଇବା ପରେ ସ୍କୁଲ ଘର ଭାଙ୍ଗି ନୂଆ ଘର ତିଆରି କରିବାକୁ ନିଷ୍ପତ୍ତି ହୋଇଛି।

ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କହିଛନ୍ତି, ସ୍କୁଲକୁ ପୂରା ଭାଙ୍ଗିବାକୁ ପଦକ୍ଷେପ ଦିଆଯାଇଛି। ଏଥିସହ ଯେଉଁ ଅର୍ଦ୍ଧନିର୍ମିତ ଗୃହ ରହିଛି, ତାହାକୁ ଶେଷ କରିବା ନିମନ୍ତେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସ୍କୁଲ ଘର ଯେତିକି ଯେତିକି ଭଙ୍ଗା ଚାଲିଥିବ ତାହା ସ୍ଥାନରେ ନୂଆ ଘର ନିର୍ମାଣ ନିମନ୍ତେ କାମ ଆରମ୍ଭ ହେବ।

ଏପଟେ ସ୍କୁଲର ରୂପାନ୍ତରୀକରଣ ପାଇଁ ଭଙ୍ଗାଭଙ୍ଗି କାମ ସହ ଲେଭଲିଂ ଓ ସର୍ଭେ କାମ ବି ଆରମ୍ଭ ହୋଇଯାଇଛି। ସରକାରଙ୍କ ଏଇ ନିଷ୍ପତ୍ତିକୁ ସ୍ଥାନୀୟ
ଅଭିଭାବକ ସ୍ୱାଗତ ତ କରିଛନ୍ତି, କିଛି ବିରୋଧଭାସ ବି ଦେଖିବାକୁ ମିଳିଛି। କିଛି ଲୋକଙ୍କ କହିବା କଥା, ସମସ୍ତଙ୍କ ଘରେ ଯେତେବେଳେ ଯେକେହି ଆତ୍ମିୟ ମୃତ ହୁଅନ୍ତି; କ’ଣ ସେତେବେଳେ ତାଙ୍କ ଘର ଭଙ୍ଗା ହୁଏ। ମୃତଦେହ ରହିଥିଲା ବୋଲି ସ୍କୁଲକୁ ଭାଙ୍ଗି ଦେବା ଉଚିତ୍ ନୁହେଁ।

Train Accident BalasoreTrainAccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe