Advertisment

ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ୧୦୦୦ କର୍ମଚାରୀ ଚଳାଇଛନ୍ତି ମରାମତି, ସହାୟ ହେଉଛନ୍ତି ଅଜଣା ହିରୋ

ବର୍ତ୍ତମାନ ମେନ୍‌ ଟ୍ରାକ୍‌ର ଉଭୟ ଅପ୍ ଓ ଡାଉନ୍ ଲାଇନରେ ରେଳ ଧାରଣା କାମ ଶେଷ ହୋଇଛି।

ଅଦ୍ୟତନ ହୋଇଛି
running repairs work

running repairs work

Advertisment

ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ଜୋରସୋରରେ ଚାଲିଛି ପୁନରୁଦ୍ଧାର କାମ। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ ଜାରି ରହିଛି। ଏଥିରେ ହଜାରେରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଦୁଇ ଦିନ ହେଲା ଖୋଦ୍ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ଉପସ୍ଥିତ ରହି କାମ ତଦାରଖ କରୁଛନ୍ତି। ବର୍ତ୍ତମାନ ମେନ୍‌ ଟ୍ରାକ୍‌ର ଉଭୟ ଅପ୍ ଓ ଡାଉନ୍ ଲାଇନରେ ରେଳ ଧାରଣା କାମ ଶେଷ ହୋଇଛି। ତେବେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବାକୁ ବୁଧବାର ଯାଏଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସୂଚନା ମିଳିଛି।

Advertisment

ସେପଟେ ମରାମତିରେ ନିୟୋଜିତ ଶ୍ରମିକମାନେ ଅବିଶ୍ରାନ୍ତ କାମ କରି ଚାଲିଛନ୍ତି। ୩୬ ଘଂଟା ହେଲା ସେମାନଙ୍କ ପଲକ ପଡିନି। ଆଖିକୁ ନିଦ ନାହିଁ କି ଶରୀରକୁ ବିଶ୍ରାମ ନାହିଁ। ଦୁର୍ଘଟଣାସ୍ଥଳ ବାହାନଗା ରେଳ ଷ୍ଟେସନରେ ଉଦ୍ଧାର ସହ ଆଗେଇ ଚାଲିଛି ପୁନରୁଦ୍ଧାର କାମ। ଧାରଣା ଉପରୁ ବଗି ହଟାଯିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି।

ଲାଇନମ୍ୟାନ୍, ଇଂଜିନିୟର, ବିଦ୍ୟୁତ କର୍ମଚାରୀ ଏବଂ ବରିଷ୍ଠ ଅଧିକାରୀ ସମସ୍ତେ ଏକାଠି ହୋଇ ଲାଗି ପଡିଛନ୍ତି ଟ୍ରେନ୍ ଚଳାଚଳ ସ୍ୱାଭାବିକ କରିବାକୁ। ବାଲେଶ୍ୱର, ବାରିପଦା ଏବଂ ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକ ବି ନିୟୋଜିତ ହୋଇଛନ୍ତି। ଭୋକ ଶୋଷକୁ ପଛ କରି ୪୦ ଡିଗ୍ରୀ ଖରାରେ ଦିନ ରାତି ଏକ କରିଦେଇଛନ୍ତି ସମସ୍ତେ।

Advertisment

ଦୁର୍ଘଟଣା ପରେ ପ୍ରଥମ ଚ୍ୟାଲେଂଜ୍ ଭାବେ କ୍ଷତିଗ୍ରସ୍ତ ଧାରଣାକୁ ଟ୍ରାକ୍‌ରୁ ହଟାଯାଇଛି। ଏଥିସହ ୨୧ଟି ଯାକ କ୍ଷତିଗ୍ରସ୍ତ ବଗିକୁ ବି ହଟା ଯାଇଛି। ୩୦ରୁ ଅଧିକ ବିଦ୍ୟୁତ୍ ଖୁଣ୍ଟି ଭାଙ୍ଗିଥିବା ବେଳେ ତାର ଛିଣ୍ଡି ଯାଇଛି। ସେଗୁଡିକୁ ହଟାଯାଇ ନୂଆ ଖୁଣ୍ଟି ଲଗାଯାଇଛି। ପାଖାପାଖି ୫ଶହ ମିଟରରୁ ୧ କିଲୋମିଟର ଅଂଚଳ କ୍ଷତିଗ୍ରସ୍ତ ହୋଇଥିବାରୁ ସେ ସ୍ଥାନରେ ସମ୍ପୂର୍ଣ୍ଣ ନୂଆ ଟ୍ରାକ୍ ପଡୁଛି। ବର୍ତ୍ତମାନ ଡାଉନ୍ ଲାଇନ୍ କାମ ଶେଷ ହୋଇଛି। ଅପ୍ ଲାଇନ୍ର ଟ୍ରାକ୍ ଲିଙ୍କିଙ୍ଗ କାମ ସରି ବିଦ୍ୟୁତ୍ କାମ ଜାରି ରହିଛି। ବୁଧବାର ଭିତରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇପାରେ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଦକ୍ଷିଣ ପୂର୍ବ ରେଲୱେ ଚିଫ୍ ପିଆରଓ ଆଦିତ୍ୟ କୁମାର ଚୌଧୁରୀ ସୂଚନା ଦେଇଛନ୍ତି।

ଘଟଣାସ୍ଥଳରେ ସହାୟତା କରିବାକୁ ଏନଡିଆରଏଫ୍ ଓ ଫାୟାର ଟିମ୍ ମୁତୟନ ରହିଛନ୍ତି। ସେପଟେ ଟ୍ରେନ୍ ଦୁର୍ଘଟଣାସ୍ଥଳରେ ଦେଖିବାକୁ ମିଳିଛି କିଛି ଅଜଣା ହିରୋଙ୍କୁ। ଯେଉଁମାନେ ପୁନରୁଦ୍ଧାର କାମର ପାଖେ ପାଖେ ରହି କର୍ମଚାରୀଙ୍କୁ ପାଣି, ଓଆରଏସ୍ ଓ ଗ୍ଲୁକୋଜ୍ ଯୋଗାଇ ଦେଉଛନ୍ତି।

Balasore Train Accident Train Breaking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe