Advertisment

ବାଲେଶ୍ୱର ଟ୍ରେନ୍ ଟ୍ରାଜେଡି: ସୋର ସେକ୍ସନ ସିଗ୍‌ନାଲ ଜେଇଙ୍କୁ ଧରି ଭଡ଼ା ଘରେ ସିବିଆଇ

ଗତକାଲିଠୁ ସିବିଆଇ ତାଙ୍କ ଭଡ଼ା ଘର ସିଲ୍‌ କରିଥିବା ବେଳେ ଆଜି ସକାଳେ ଜେଇ ଅମୀର ଖାନଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚିଛି ସିବିଆଇ ଟିମ୍‌।

author-image
Niharika Rout
cbi team

cbi team

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ଘଟଣା ପରଠୁ ରେଲୱେ ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ଙ୍କ ପତ୍ତା ମିଳୁ ନ ଥିବା ବେଳେ ଘରେ ତାଲା ଝୁଲୁଥିଲା। ଗତକାଲିଠୁ ସିବିଆଇ ତାଙ୍କ ଭଡ଼ା ଘର ସିଲ୍‌ କରିଥିବା ବେଳେ ଆଜି ସକାଳେ ଜେଇ ଅମୀର ଖାନଙ୍କୁ ସାଙ୍ଗରେ ନେଇ ସେଠାରେ ପହଞ୍ଚିଛି ସିବିଆଇ ଟିମ୍‌।

Advertisment

ସୋର ସେକ୍ସନ ସିଗ୍‌ନାଲ ଜେଇ ଅମିର ଖାନ୍‌ ପରିବାର ସହ ସୋର କମରପୁରଠାରେ ଭଡ଼ା ଘରେ ରହୁଥିଲେ। ମାତ୍ର ଦୁର୍ଘଟଣାର ୨ ଦିନ ପରଠାରୁ ତାଙ୍କ ଦେଖା ମିଳୁ ନ ଥିବା ବେଳେ ତାଙ୍କ ଘରେ ତାଲା ଝୁଲୁଥିଲା। ଆଜି ଜେଇଙ୍କୁ ସାଙ୍ଗରେ ନେଇ ଭଡ଼ା ଘରେ ପହଞ୍ଚି କାଗଜ ପତ୍ର ଯାଞ୍ଚ କରୁଛି CBI ଟିମ । ତେବେ ଏତେ ଦିନ ହେଲାଣି ଅମିର ଖାନ କେଉଁଠି ଥିଲେ, କ’ଣ ପାଇଁ ସେ ହଠାତ୍‌ ଗାଏବ ହୋଇ ଯାଇଥିଲେ ସେ ନେଇ କିଛି ସୂଚନା ମିଳିନି।

ବାହାନଗା ଟ୍ରେନ୍‌ ଟ୍ରାଜେଡି ର ତଦନ୍ତ ସିବିଆଇ କରୁଥିବା ବେଳେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରୁଛି। ଏହି ଘଟଣାର ତଦନ୍ତ କରି ସିବିଆଇ ଟିମ୍‌ ଗତ ୧୬ ତାରିଖରେ ବାହାନଗାରୁ ଚାଲି ଯାଇଥିବା ବେଳେ ଗତକାଲି ପୁଣି ଫେରିଛନ୍ତି। ପୂର୍ବରୁ ସିବିଆଇ ସିଗ୍‌ନାଲ ଜେଇ ଅମିର ଖାନ୍‌ ଓ ଷ୍ଟେସନମାଷ୍ଟର ଏସ୍‌ପି ମହାନ୍ତିଙ୍କୁ ପଚରାଉଚରା କରିଥିଲା। ହେଲେ ଏହାପରେ ଜେଇଙ୍କ ପତ୍ତା ମିଳି ନ ଥିଲା। ଏହାପରେ ହଠାତ୍‌ ଆଜି ତାଙ୍କ ଆର୍ବିଭାବ ପଛର ରହସ୍ୟ ବୁଝାପଡ଼ୁନି ।

Advertisment

ସୂଚନା ଥାଉକି, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୯୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣାର ତଦନ୍ତ ସିବିଆଇ ଓ ରେଲୱେ ସୁରକ୍ଷା ବୋର୍ଡ କରୁଛି। ହେଲେ ଏପର୍ଯ୍ୟନ୍ତ ଏହି ଘଟଣାରେ କିଏ ଦୋଷୀ ତାହା ସ୍ପଷ୍ଟ କରାଯାଇନି। ବାହାନାଗା ବଜାର ରେଳ ଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଏହା ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ।

Cbi Inquiry Train Accident Balasore TrainMishapInOdisha Bahanaga