Advertisment

ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି: ସିବିଆଇ ତଦନ୍ତ ହେବ

ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Train accident

Train accident

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ। ରେଲୱେ ବୋର୍ଡ ପକ୍ଷରୁ ଏହି ସିବିଆଇ ତଦନ୍ତ ସୁପାରିସ କରାଯାଇଛି। କେଉଁ ପରିସ୍ଥିତିରେ ଘଟଣା ଘଟିଲା, କେଉଁମାନେ ଦାୟୀ ତାହାର ତଦନ୍ତ ହେବ। ଆଜି ସିବିଆଇ ତଦନ୍ତ ସୁପାରିସ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ରେଳମନ୍ତ୍ରୀ କହିଛନ୍ତି, ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର ବିଭାଗୀୟ ତଥ୍ୟ ମିଳିବା ପରେ ରେଲୱେ ବୋର୍ଡ ଏହାର ସିବିଆଇ ତଦନ୍ତ ସୁପାରିସ୍ କରିଛନ୍ତି। ତେଣୁ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯିବ।

ସୂଚନା ଥାଉକି, ବାହାନାଗା ରେଳଷ୍ଟେଶନ ନିକଟରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାକୁ ଦୁଇଦିନ ବିତିଥିଲେ ହେଁ ଏପର୍ଯ୍ୟନ୍ତ କାହାର ଭୁଲ ଏଥିପାଇଁ ଦାୟୀ ସ୍ପଷ୍ଟ କରାଗଲାନି କିମ୍ବା ଦୃଢ଼ କାର୍ଯ୍ୟାନୁଷ୍ଠାନ ହୋଇନି। ଯେତେବେଳେ କି ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଭୁଲ କରିଥିବା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। ଅନ୍ୟପଟେ ଘଟଣାର ତଦନ୍ତ କରୁଥିଲା ରେଲୱେ ସୁରକ୍ଷା ବୋର୍ଡ। ବୋର୍ଡ ଚାହିଁଥିଲେ ବିଭାଗୀୟ ଯାଞ୍ଚ ରିପୋର୍ଟରୁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିଥାଆନ୍ତା। ହେଲେ ଏପରି ନ କରି ଘଟଣାକୁ ସିବିଆଇ ତଦନ୍ତ ନିମନ୍ତେ ଦିଆଯିବା ଆଲୋଚନାର ବିଷୟ ହୋଇଛି।

Advertisment

ବାଲେଶ୍ୱର ଜିଲ୍ଲା ବାହାନଗାରେ ଶୁକ୍ରବାର ଘଟିଥିବା ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଭୟଙ୍କର ଦୁର୍ଘଟଣାରେ ୧୧ଶହ ୭୫ ଜଣ ଆହତ ହୋଇଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ରବିବାର ଏହି ସୂଚନା ଦେଇଛନ୍ତି। ୨୭୫ଟି ମୃତଦେହ ମଧ୍ୟରୁ ୮୮ଟିକୁ ଚିହ୍ନଟ କରାଯାଇଛି। ସେହି ୮୮ଟି ମୃତଦେହ ମଧ୍ୟରୁ ୭୮ଟିକୁ ସଂପୃକ୍ତ ପରିବାରଗୁଡ଼ିକୁ ହସ୍ତାନ୍ତର କରାଯାଇଛି। ଆଉ ୧୦ଟି ମୃତଦେହକୁ ହସ୍ତାନ୍ତର କରିବା ପ୍ରକ୍ରିୟା ଜାରି ରହିଛି। ୧୮୭ଟି ମୃତଦେହ ଚିହ୍ନଟ ହୋଇପାରିନି। ସେହି ୧୮୭ଟି ମୃତଦେହ ମଧ୍ୟରୁ ୧୭୦ଟିକୁ ଭୁବନେଶ୍ୱର ଅଣାଯାଇଛି। ସେଗୁଡ଼ିକୁ ଏମ୍‌ସ ଓ ଅନ୍ୟ ହସ୍‌ପିଟାଲରେ ରଖାଯାଇଛି।

Balasore Train Accident BalasoreTrainAccident