ବାଲେଶ୍ୱରର ବାହାନଗା ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଆଜି ସନ୍ଧ୍ୟାରେ ଏକ ଭୟାବହ ଦୁର୍ଘଟଣାର ଶିକାର ହୋଇଛି । ମାଲବାହୀ ଟ୍ରେନ ସହ ମୁହାଁମୁହିଁ ଧକ୍କା ଯୋଗୁ କରମଣ୍ଡଳ ଏକ୍ସପ୍ରେସର ୫ଟି ବଗି ଓଲଟି ପଡ଼ିଥିବା ଯୋଗୁ ବହୁ ସଂଖ୍ୟାରେ ଯାତ୍ରୀ ମୃତାହତ ହୋଇଥିବାର ଆଶଙ୍କା କରାଯାଉଛି। ୧୦ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲ୍ କଲେଜକୁ ପଠାଯାଇଛି। ଏକ ଡାକ୍ତରୀ ଦଳ ଓ ଦୁଇ ଅଗ୍ନିଶମ ଟିମ୍କୁ ଦୁର୍ଘଟଣାସ୍ଥଳକୁ ପଠାଯାଇଛି। ଏହାସହିତ ବାଲେଶ୍ୱର ଅତିରିକ୍ତ ଜିଲ୍ଲାପାଳ ସୁଚାରୁ ବଳଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାରକାର୍ଯ୍ୟ ତଦାରକ କରିବାକୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଓ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳ ଅଭିମୁଖେ ଗସ୍ତ କରିଛନ୍ତି।
Howrah helpline - 033 26382217 KGP helpline - 8972073925, 9332392339 BLS helpline - 8249591559, 7978418322 SHM helpline - 9903370746 MAS helpline - 044 25330952, 044 25330953, 044 25354771
ଯାତ୍ରୀଙ୍କୁ ଉଦ୍ଧାର ଓ ତତ୍କାଳ ମେଡିକାଲ ଚିକିତ୍ସା ସୁବିଧା ଦେବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଜରୁରୀକାଳୀନ କଣ୍ଟ୍ରୋଲରୁମ୍ ନମ୍ବର ଜାରି ହୋଇଛି । ବାଲେଶ୍ୱରଠାରେ ସରକାରଙ୍କ ପକ୍ଷରୁ ସ୍ଥାପନ ହୋଇଥିବା ଏହି କଣ୍ଟ୍ରୋଲରୁମ ନମ୍ବର ହେଲା ୬୭୮୨୨୬୨୨୮୬ (ମୋବାଇଲ ଫୋନ୍ ନମ୍ବର)। ସେହିପରି ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ୍ ରୁମ୍ ଖୋଲା ଯାଇଛି। ସେହି ନମ୍ୱର ହେଲା ୦୬୭୪- ୨୫୩୪୧୭୭। ଜରୁରୀକାଳୀନ ସୂଚନା ପାଇଁ ଏହି ନମ୍ବର ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି । ଏହାସହିତ ଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକରୁ ୫ଟି ଆମ୍ବୁଲାନ୍ସ ଦୁର୍ଘଟଣାସ୍ଥଳକୁ ପଠାଯାଇଛି ।
ଉଲ୍ଲେଖଯୋଗ୍ୟ, ଏହି ଟ୍ରେନର ୫ଟି ବଗି ତଳେ ପ୍ରାୟ ୪୦୦ ଯାତ୍ରୀ ଏବେବି ଟ୍ରେନ ତଳେ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମକୁ ଘଟଣାସ୍ଥଳକୁ ଯିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାତିର ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଲାଗି ରହିଥିବାବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ପ୍ରଶାସନ ଘଟଣାସ୍ଥଳରେ ପହଂଚି ନଥିବା ଜଣାପଡ଼ିଛି । ଅଗ୍ନିଶମ ବାହିନୀର ଯବାନମାନେ ସେଠାରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ସଠିକ ଜଣାପଡ଼ିନଥିଲେ ମଧ୍ୟ ବେଶ୍ ଅଧିକ ଥିବା ଆଶଙ୍କା କରାଯାଉଛି।