Advertisment

ମାଡ଼ି ଆସୁଛି ପଶ୍ଚିମବଙ୍ଗ, ଓଡ଼ିଶା ପ୍ରଶାସନ ଚେଇଁ ଶୋଇଛି!

ଚୋରା ବାଲି ଓ ନିଶା ଦ୍ରବ୍ୟ ଚାଳାଣ କରୁଛନ୍ତି। ଗୋରୁ ଚାଲାଣ ମଧ୍ୟ କରୁଛନ୍ତି। ବିରୋଧ କଲେ ଗଣ୍ଡଗୋଳ କରୁଛନ୍ତି। ପଶ୍ଚିମବଙ୍ଗ ମାଡ଼ି ଆସିବାକୁ ନେଇ ସ୍ଥାନୀୟ ଲୋକେ ବହୁବାର ବ୍ଲକ୍‌ ପ୍ରଶାସନ ଓ ତହସିଲରେ ଅଭିଯୋଗ କରିଛନ୍ତି।

Jaleswar

Jaleswar

Advertisment

ଆନ୍ଧ୍ର ପରେ ପଶ୍ଚିମବଙ୍ଗ ମାଡ଼ି ଆସୁଛି। ଓଡ଼ିଶା ଭିତରେ ପଶି ଘର ନିର୍ମାଣ କରୁଛି ପଶ୍ଚିମବଙ୍ଗ। ବିରୋଧ କଲେ ଓଡ଼ିଆଙ୍କୁ ଧମକ ଦେଉଛନ୍ତି! ହେଲେ ନିଦା ବିଷ୍ଣୁ ସାଜିଛି ପ୍ରଶାସନ। ଅଭିଯୋଗ ସତ୍ତ୍ୱେ ଚେଇଁ ଶୋଇଛି ପ୍ରଶାସନ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନଳିଆ ପଞ୍ଚାୟତ ମାନକୁଣ୍ଡା ଗାଁରୁ ଆସିଛି।

Advertisment

ଓଡ଼ିଶାର ଶେଷ ଗାଁ ମାନକୁଣ୍ଡା। ଗାଁ ମୁଣ୍ଡରେ ରହିଛି ସାପ୍ତାହିକ ହାଟ। ଏହି ହାଟଠାରୁ ୧୦୦ ମିଟର ଦୂରରୁ ଆରମ୍ଭ ହେଉଥିଲା ପଶ୍ଚିମବଙ୍ଗ ରାଜ୍ୟ। ଏବେ କିନ୍ତୁ ବଦଳିଛି କଳେବଳ। ପଶ୍ଚିମବଙ୍ଗର ଧୀରେ ଧୀରେ ଓଡ଼ିଶା ଭିତରେ ଧସେଇ ବଶୁଛି। ଓଡ଼ିଶାର ସୀମାରେ ଥିବା ମାନକୁଣ୍ଡ ସାପ୍ତାହିକ ହାଟକୁ କବ୍‌ଜା କରିବାକୁ ବସିଲାଣି ବଶ୍ଚିମବଙ୍ଗ। ଘରଦ୍ୱାର କରି ଆସ୍ଥାନ ଜମାଇବାରେ ଲାଗିଛନ୍ତି।

ଖାଲି ଆସ୍ଥାନ ଜମାଇନାହାନ୍ତି, ନିଦ୍ୱର୍ନ୍ଦ୍ୱରେ ଚୋରା ବାଲି ଓ ନିଶା ଦ୍ରବ୍ୟ ଚାଳାଣ କରୁଛନ୍ତି। ଗୋରୁ ଚାଲାଣ ମଧ୍ୟ କରୁଛନ୍ତି। ବିରୋଧ କଲେ ଗଣ୍ଡଗୋଳ କରୁଛନ୍ତି। ପଶ୍ଚିମବଙ୍ଗ ମାଡ଼ି ଆସିବାକୁ ନେଇ ସ୍ଥାନୀୟ ଲୋକେ ବହୁବାର ବ୍ଲକ୍‌ ପ୍ରଶାସନ ଓ ତହସିଲରେ ଅଭିଯୋଗ କରିଛନ୍ତି। ମାତ୍ର ଗାଁ ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

ମାନକୁଣ୍ଡା ଗାଁର ଉଦୟ ପାଢ଼ୀ କହିଛନ୍ତି, ମୋ ପିଲା ଦିନରେ ଦେଖିଥିଲି ମାନକୁଣ୍ଡା ହାଟ ଆର ପାର୍ଶ୍ୱରେ ଥିବା ଗୋ’ଚଳ ଜମିଟି ଓଡ଼ିଶାରେ ଥିଲା। ଏବେ କିନ୍ତୁ ସେମାନେ ମାଡ଼ି ଆସିଲେଣି। ଗୋ’ଚର ଜମିରେ ଜବରଦସ୍ତି ଘର ନିର୍ମାଣ କରୁଛନ୍ତି। ଓଡ଼ିଶା ସରକାର ସୀମା ନିର୍ଦ୍ଧାରଣ କରିଦେବା ଉଚିତ। ନହେଲେ ଆଗାମୀ ଦିନରେ ସେମାନେ ଆମ ଗାଁକୁ ମାଡ଼ି ବସିବେ ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ଆଉ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି, “ମାନକୁଣ୍ଡା ହାଟକୁ ପଶ୍ଚିମବଙ୍ଗର ଲୋକମାନେ ମାଡ଼ି ବସିଲେଣି। ବେଆଇନ୍‌ ଭାବେ ଘର ତିଆରି କରି ରହୁଛନ୍ତି। ଏହାର ପ୍ରତିବାଦ କଲେ ଗଣ୍ଡଗୋଳ କରୁଛନ୍ତି। ଏନେଇ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛୁ। ମାତ୍ର ଆମକୁ ନିରାଶ ହେବାକୁ ପଡ଼ିଛି।”

ତେବେ ଭୋଗରାଇ ତହସିଲଦାର ଶାନ୍ତନୁ କୁମାର ପଟ୍ଟନାୟକ କହିଛନ୍ତି, ଘଟଣା ସମ୍ପର୍କରେ ଆର୍‌ଆଇଙ୍କ ଦ୍ୱାରା ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବି। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସୂଚନାରୁ ପ୍ରକାଶ, ୨୦୦୭ ମସିହାରେ ମାନକୁଣ୍ଡା ଗାଁ ସୀମାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗାର୍ଡୱାଲ୍‌ ନିର୍ମାଣ କରାଯାଉଥିଲା। ଏହାକୁ ପଶ୍ଚିମବଙ୍ଗର ଲୋକମାନେ ବିରୋଧ କରିଥିଲେ। ପ୍ରବଳ ଉତ୍ତେଜନା ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ବହୁଦିନ ପର୍ଯ୍ୟନ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶେଷରେ ଦୁଇ ରାଜ୍ୟର ପୁଲିସ୍‌ ଅଧିକାରୀ ସ୍ତରରେ ଆଲୋଚନା ହୋଇଥିଲା। ବିବାଦୀୟ ଜମିକୁ କେହି କବ୍‌ଜାକୁ ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହା ସତ୍ତ୍ୱେ ସେହି ଜମିରେ ପଶ୍ଚିମବଙ୍ଗର ଲୋକମାନେ ବାସସ୍ଥାନ ନିର୍ମାଣ କରି ରହୁଛନ୍ତି।

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe