Advertisment

ଗଞ୍ଜେଇ ବୋଝେଇ କାର୍‌ ଧକ୍କାରେ ଦୁଇ କ୍ୟାବିନ ଚୂରମାର

ଗଞ୍ଜେଇ ବୋଝେଇ ଗାଡ଼ି ଧକ୍କାରେ ଚୂରମାର ହୋଇଗଲା ଦୁଇ କ୍ୟାବିନ । ଏହାପରେ ରାତି ଅଧରେ ଗାଡ଼ି ଓ ଗଞ୍ଜେଇ ଛାଡ଼ି ଫେରାର ହୋଇ ଯାଇଛନ୍ତି ଡ୍ରାଇଭର।

author-image
Niharika Rout
Accident

Accident

ଗଞ୍ଜେଇ ବୋଝେଇ ଗାଡ଼ି ଧକ୍କାରେ ଚୂରମାର ହୋଇଗଲା ଦୁଇ କ୍ୟାବିନ । ଏହାପରେ ରାତି ଅଧରେ ଗାଡ଼ି ଓ ଗଞ୍ଜେଇ ଛାଡ଼ି ଫେରାର ହୋଇ ଯାଇଛନ୍ତି ଡ୍ରାଇଭର। ସକାଳୁ ଏପରି ଘଟଣା ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ୟାବିନ ମାଲିକ । ଏପରି ଏକ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ଶାତଶୂଳିଆ ନିକଟରେ ଘଟିଛି।

Advertisment

ଏକ ଗଞ୍ଜେଇ ବୋଝେଇ କାର୍‌ ଗତ ରାତିରେ କମର୍ଦା ଥାନା ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ଶାତଶୂଳିଆ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦ୍ରୁତ ଗତିରେ ଯାଉଥିବା ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ୨ଟି କ୍ୟାବିନରେ ଧକ୍କା ହୋଇଛି। ଫଳରେ କ୍ୟାବିନ ଦୁଇଟି ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଛି। ଏହାଦେଖି କାର୍‌ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

ସକାଳୁ ସ୍ଥାନୀୟ ଲୋକେ ଏହା ଦେଖି ଦୁର୍ଘଟଣା ସମ୍ପର୍କରେ ସମ୍ପୃକ୍ତ ଦୁଇ କ୍ୟାବିନ ମାଲିକଙ୍କୁ ଖବର ଦେଇଥିଲେ। ସେମାନେ ପହଞ୍ଚି ନିଜ ଦୋକାନ ଦେଖି ମୁଣ୍ଡରେ ହାତ ଦେଇଛନ୍ତି। ଏନେଇ ସେମାନେ ଲିଖିତ ଭାବେ କମର୍ଦା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଖବର ପାଇ କମର୍ଦା ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ସହ ଗାଡ଼ିକୁ ଜବତ କରି ଥାନାକୁ ନେଇଛି। ଗାଡ଼ିରେ ପ୍ରାୟ ୨୦ କେଜିରୁ ଅଧିକ ଗଞ୍ଜେଇ ଥିବା ବେଳେ ତାହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି।

ଗାଡ଼ିରୁ ଭୁବନେଶ୍ୱର ଖଣ୍ଡଗିରିର ଏକ ପେଟ୍ରୋଲ ପମ୍ପର ବିଲ୍‌ ରହିଛି। ଉକ୍ତ ବିଲ୍‌ରେ ୧୮ଶହ ଟଙ୍କାର ତେଲ ପକା ଯାଇଥିବା ଜଣାଯାଇଛି। ତେଣୁ ଗାଡ଼ିଟି ଓଡ଼ିଶାର ହୋଇଥିବା ବେଳେ ତାହା ଗଞ୍ଜେଇ ଧରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଅନୁମାନ କରାଯାଉଛି। ତେବେ ଗାଡ଼ିଟି କେଉଁଠୁ ଗଞ୍ଜେଇ ଆଣୁଥିଲା ଓ ତାହା କେଉଁଠିକୁ ଯାଉଥିଲା ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିନି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଇ ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପୁଲିସ୍‌ କହିଛି।

Accident Ganja Seized