ପୋଖରୀରୁ ମାଛ ଧରିବା ପାଇଁ ପାଣି ଶୁଖାଯାଉଥିଲା। ହେଲେ ପୋଖରୀରୁ ପାଣି ଶୁଖାଇବା ସମୟରେ ଅଖା ଭିତରୁ ମିଳିଥିଲା ଖପୁରି ଓ ହାଡ଼। ଯାହାକୁ ଦେଖି ତାଜୁବ ହୋଇଗଲେ ଗ୍ରାମବାସୀ। ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାଣିସୁଳିଆ ଗାଁ ପୋଖରୀରୁ ।
ଆଜି ସକାଳେ ଗାଁ ପୋଖରୀରୁ ମାଛ ଧରିବା ପାଇଁ ଗ୍ରାମବାସୀ ପାଣି ଶୁଖାଉଥିଲେ। ଏହି ସମୟରେ ଏକ ଅଖା ଭିତରୁ ମଣିଷ ଖପୁରି ଓ ହାଡ଼ ବାହାରିଥିଲା। ଯାହାକୁ ଦେଖି ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଖପୁରି ଓ ହାଡ଼ ଜବତ କରି ଘଟଣାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ତଳେ ପାଣିସୁଳିଆ ଗାଁର ଏକ ନାବାଳିକା ନିଖୋଜ ହୋଇଯାଇ ଥିଲା। ଏହି ନର କଙ୍କାଳ ସେହି ନାବାଳିକାର ବୋଲି ଗ୍ରାମବାସୀ ସନ୍ଦେହ କରୁଛନ୍ତି।