Advertisment

ବନ୍ଦ ହୋଇନି ବେଆଇନ୍ ବାଲି କାରବାର, ଡରି ନାହାନ୍ତି ମାଫିଆ

ବର୍ଷକୁ କେବଳ ଥରେ କି ଦୁଇଥର ଫାଇନ ଦେଇ ବାକି ବର୍ଷ ସାରା ଏଇ ତରିକାରେ ବାଲି ମାଫିଆ ରାଜ୍ କରୁଛନ୍ତି।

Illegal sand mining

Illegal sand mining

Advertisment

ବାଲି ଚୋରା ଚାଲାଣକୁ ନେଇ ବାଲେଶ୍ୱର ଜିଲ୍ଲାରେ ରକ୍ତପାତ। ପ୍ରଥମେ ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ, ପରେ ପୁଲିସ ଓ ପ୍ରଶାସନର କଠୋର କାର୍ଯ୍ୟାନୁଷ୍ଠାନ। କିନ୍ତୁ ତା ପରେ ବି ଜିଲ୍ଲାରେ ବନ୍ଦ ହୋଇନି ବେଆଇନ୍ ବାଲି କାରବାର କି ଡରି ନାହାନ୍ତି ବାଲି ମାଫିଆ। ଏମିତିକି ଏନ୍‌ଜିଟିଙ୍କ ବାରଣ ସତ୍ତ୍ୱେ ସୁବର୍ଣ୍ଣରେଖା ଗର୍ଭକୁ ଦିନ ଦି ପହରେ ଲୁଟି ନେଉଛନ୍ତି ବାଲି ମାଫିଆ। ସେହିଭଳି ପ୍ରଶାସନର ଆଖିରେ ଆଙ୍ଗୁଠି ଗେଞ୍ଜି ଦିନରେ ଡମ୍ପିଂରୁ ବାଲି ବିକ୍ରି କରି, ରାତିରେ ଡମ୍ପିଂ ଭରଣା କରି ଚଳାଇଛନ୍ତି ବେଆଇନ୍ କାରବାର।

Advertisment

ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ ଏନଜିଟି ସମ୍ପୂର୍ଣ୍ଣ ନିଷେଧ କରିଥିଲେ ବି, ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶକୁ ଫୁ କରି ନଦୀରୁ ନିରବଚ୍ଛିନ୍ନ ଭାବେ ଉଠାଯାଉଛି ବାଲି। ଯାହାର ଗୋଟିଏ ନମୁନା ଜଳେଶ୍ୱର ବ୍ଲକର ଦକ୍ଷିଣ ପ୍ରହରାଜପୁର ବାଲି ଖାଦାନ୍। ଏଠୁ ବାଲି ଉତ୍ତୋଳନ ପାଇଁ ନିୟମ ନଥାଇ ବି ମେସିନ୍ ସହାୟତାରେ ଅନବରତ ଖାଲି ହେଉଛି। ତେଣୁ ସୁବର୍ଣ୍ଣରେଖା ନଦୀ ଗର୍ଭ ଖାଲି ହେବାରେ ଲାଗିଛି। କିବା ଦିନ କିବା ରାତି, ୨୪ ଘଣ୍ଟା ବାଲି ଉତ୍ତୋଳନ ସାଙ୍ଗକୁ ସିଧାସଳଖ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ଏନେଇ ଅଭିଯୋଗ ବି ହେଉଛି। ମାତ୍ର ଆଶ୍ଚର୍ଯ୍ୟର କଥା ସ୍ପଷ୍ଟ ଦିବାଲୋକରେ ଏ ବେନିୟମ କାରାବର ଚାଲିଥିଲେ ବି ଏଠି ପ୍ରଶାସନର ନଜର କେମିତି ପଡୁନି। ତାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି।

ବାଲେଶ୍ୱର ଜିଲ୍ଲାର ବସ୍ତା, ବାଲିଆପାଳ, ରେମୁଣା, ସଦର ବ୍ଲକ୍ ଓ ନୀଳଗିରି ଆଦି ଅଞ୍ଚଳରେ ଏମିତି ଶହ ଶହ ସ୍ଥାନରେ ଡମ୍ପିଂ କରି ଅଭିନବ ଉପାୟରେ ବାଲି ଚୋରି କରୁଛନ୍ତି ମାଫିଆ। ଅଭିଯୋଗ ହେଉଛି ଯେ ରାତି ସାରା ଡମ୍ପିଂ ସ୍ଥାନରୁ ଦିନ ତମାମ୍ ବାଲି ବିକ୍ରି କରିବା ପରେ ରାତିରେ ପୁଣି ସେହି ସ୍ଥାନରେ ଡମ୍ପିଂ କରୁଛନ୍ତି ବାଲି ବ୍ୟବସାୟୀ। ଦିନ ବେଳେ ଡମ୍ପିଂରୁ ଯେତିକି ବାଲି ବିକ୍ରି ହେଉଛି, ରାତିରେ ତାକୁ ଭରଣା କରି ସକାଳୁ ଡମ୍ପିଂ ସ୍ଥାନର ସ୍ଥିତାବାସ୍ଥାକୁ ବଜାୟ ରଖାଯାଉଛି। ବେଆଇନ୍ ବାଲି ଠୁଳ ପାଇଁ ପ୍ରଶାସନ କେବେ କେମିତି ଚଢାଉ କରୁଛି। ବର୍ଷକୁ କେବଳ ଥରେ କି ଦୁଇଥର ଫାଇନ ଦେଇ ବାକି ବର୍ଷ ସାରା ଏଇ ତରିକାରେ ବାଲି ମାଫିଆ ରାଜ୍ କରୁଛନ୍ତି।

Advertisment

ପୂର୍ବତନ ପ୍ରଶାସନିକ ଅଧିକାରୀ ବିନୟ କୁମାର ମହାନ୍ତି କହିଛନ୍ତି, ଜବତ ହେଉଥିବା ବାଲି ଟ୍ରକ୍‌ ଓ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଉନାହିଁ। ପ୍ରଶାସନିକ କ୍ଷେତ୍ରରେ କେବଳ ଜରିମାନା କରି ଟ୍ରକ୍ ଓ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଉଛି। ଫଳରେ ବାଲି ମାଫିଆ ଡରୁ ନାହାନ୍ତି। ଓଲଟା ମଧୁଚନ୍ଦ୍ରିକା ବଢ଼ୁଛି ଓ ବାଲି ଲୁଟ୍ ଚାଲିଛି।

ସ୍ଥାନୀୟ ବାସିନ୍ଦା କହିଛନ୍ତି, ଏହି ବାଲି ଲୁଟ୍ କାରବାରରେ ମାଫିଆଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ସମ୍ପୃକ୍ତ ରହୁଛନ୍ତି। ଫଳରେ ଏହା ନଦୀର ପ୍ରାକୃତିକ ବାଲି ଖାଦାନକୁ ନଷ୍ଟ କରୁଛି। ବିଭିନ୍ନ ଗାଡ଼ିରେ ବେଆଇନ ବାଲି ଚୋରାଚାଲାଣ ଯୋଗୁ ବୟୁ ପ୍ରଦୂଷଣ ବଢ଼ୁଛି। ରାସ୍ତାରେ ବାଲି ପଡ଼ୁଥିବାରୁ ଦୁର୍ଘଟଣା ସଂଖ୍ୟା ବଢ଼ୁଛି। ଜୀବନହାନୀ ହେଉଛି। ଏହାକୁ ରୋକିବାକୁ ସରକାର କୌଣସି ଠୋସ୍ ପଦକ୍ଷେପ ନ ନେବା ଦୁର୍ଭାଗ୍ୟପୂର୍ଣ୍ଣ।

ବାଲି ମାଫିଆଙ୍କ ଏ ଯୋଜନାବଦ୍ଧ ଲୁଟ ସମ୍ପର୍କରେ ପ୍ରଶାସନ ପାଖରେ ଖବର ରହିଥିବା କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ। ଏଭଳି କାରବାରକୁ ରୋକିବାକୁ ଅଞ୍ଚଳରେ ପାଟ୍ରୋଲିଂ ସହ ପୁଲିସ ପକ୍ଷରୁ ବାଲିଆପାଳ ଓ ଜଳେଶ୍ୱରରେ ସ୍ୱତନ୍ତ୍ର ତନଖି ଫାଟକର ବ୍ୟବସ୍ଥା ହେଉଥିବା କହିଛନ୍ତି ଜିଲ୍ଲାପାଳ।

Illegal Sand Mining
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe