Advertisment

ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଅସୁସ୍ଥ, ୫ ଆଇସିୟୁରେ ଭର୍ତ୍ତି

ସୋରରେ ଥିବା ପୁରୁବାଇ ସେବାସଂଘ କନ୍ୟାଶ୍ରମର ଏବେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସିନୀ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
Purubai Kanyashram

Purubai Kanyashram

ମାଲକାନଗିରି ପରେ ଏବେ ବାଲେଶ୍ୱର ସୋରରେ ମାତିଛି ଜାପାନୀଜ ଏନସେଫାଲାଇଟିଜ ଜ୍ୱର। ସୋରରେ ଥିବା ପୁରୁବାଇ ସେବାସଂଘ କନ୍ୟାଶ୍ରମର ଏବେ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସିନୀ ଗୁରୁତର ଅସୁସ୍ଥ ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Advertisment

ଏବେ ସୋର ମେଡିକାଲରେ ୧୪ ଜଣ ଓ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ୧୭ ଜଣ ଚିକିତ୍ସିତ ହେଉଛନ୍ତି। ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସିତ ଅସୁସ୍ଥଙ୍କ ମଧ୍ୟରୁ ୫ ଜଣ ଆଇସିୟୁରେ ରହିଛନ୍ତି। ଗତକାଲି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲସେନ ଜଗଦେବ ଏହାକୁ ଜାପାନୀଜ ଏନସେଫାଲାଟାଇଜ ଜ୍ୱର ବୋଲି କହିଥିଲେ। ଚିକିତ୍ସିତଙ୍କ ମଧ୍ୟରୁ ୨ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଗତକାଲି ରାତିରେ କନ୍ୟାଶ୍ରମର ୫ ଜଣ ଅନ୍ତେବାସିନୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ସିଧାସଳଖ ବାଲେଶ୍ୱର ଜିଲ୍ଲା ଚିକିତ୍ସାଲୟକୁ ନିଆଯାଇଥିଲା। ତେବେ କନ୍ୟାଶ୍ରମରେ ଅଧିକ ଅନ୍ତେବାସୀନୀ ଏହି ଜ୍ୱରରେ ଆକ୍ରାନ୍ତ ହେଉଥିବାରୁ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି।

ପୂର୍ବରୁ ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ରହି ପାଠପଢ଼ୁଥିବା ନୀଳଗିରି ଅଞ୍ଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ଜ୍ୱରରେ ମୃତ୍ୟୁ ହୋଇଯାଇଥିଲା।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପହଞ୍ଚି ଘଟଣାର ତଦନ୍ତ କରିବା ପରେ ଏହା ମସ୍ତିଷ୍କ ପ୍ରଦାହ ବୋଲି କହିଥିଲେ। ପରେ ବାଲେଶ୍ୱର ଜିଲ୍ଲାପାଳ ନିଜେ ଅସୁସ୍ଥଙ୍କ ସହିତ କଥା ହେବା ସହ କନ୍ୟାଶ୍ରମର ପରିପାର୍ଶ୍ୱିକ ସ୍ଥିତି ବୁଲି ଦେଖିଥିଲେ। 

Advertisment

ରୋଗାକ୍ରାନ୍ତ ଅନ୍ତେବାସିନୀଙ୍କ ଦେହ ହାତ ଫୁଲି ଯିବା ସହିତ ଜ୍ୱର ଓ କାଶ ଛାଡ଼ୁନି। ଏହି କନ୍ୟାଶ୍ରମର ୨୯ ଜଣକର ରକ୍ତ ନମୁନା ପରୀକ୍ଷା ପାଇଁ ଯାଇଥିଲା ବଳେ ୫ ଜଣଙ୍କୁ ଜାପାନୀଜ ଏନସେଫାଲାଟାଇଜ ହୋଇଥିବା ଜଣାପଡିଥିଲା। ଏହା ସାଧରଣତଃ ମଶା ଓ ଘୁଷୁରୀମାନଙ୍କ ପାଖରୁ ବ୍ୟାପିଥାଏ। କିନ୍ତୁ କନ୍ୟାଶ୍ରମ ପାଖରେ ଘୁଷୁରୀ ରହୁନାହାନ୍ତି। ହେଲେ କନ୍ୟାଶ୍ରମ ଭିତର ଅପରିଷ୍କାର ପରିବେଶ ସାଙ୍ଗକୁ ପାଣି ନିଷ୍କାସନ ପାଇଁ ଉତ୍ତମ ସୁବିଧା ନାହିଁ। ଯାହା ଦ୍ୱାରା ମଶା ବଂଶ ବୃଦ୍ଧି ହେବା ଓ ଅନ୍ତେବାସିନୀମାନଙ୍କୁ ମଶା କାମୁଡ଼ିବାରୁ ଏହି ରୋଗ ହୋଇଥିବା ଅନୁମାନ କରାଯାଉଛି।

Tribal Students