Advertisment

‘ବାବୁ, ମୋ’ ମା’ର କର୍ମ କରିବି, କିଛି ସାହାଯ୍ୟ ଦିଅ’

ବାପା ମୃତ୍ୟୁର ପାଞ୍ଚ ବର୍ଷ ପରେ ମାଆ ମାରାତ୍ମକ କ୍ୟାସନରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ବହୁ ଚେଷ୍ଟା ସତ୍ତ୍ୱେ ଗତ ୩ ତାରିଖରେ ମା’ ନିରୁପମା ଆଖି ବୁଜି ଦେଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Help

Help

୫ ବର୍ଷ ତଳେ ବାପା ଆର ପାରିକି ଚାଲି ଯିବା ପରେ ଏବେ ମା’ ବି ବାଛି ନେଲା ସମାନ ରାସ୍ତା। ନିଜେ ଅଣ୍ଟା ସଳଖି ଛିଡ଼ା ହୋଇ ନ ଥିବା ବେଳେ ମା’ଙ୍କ ଅନ୍ତେଷ୍ଟି କ୍ରିୟା ପାଇଁ ନାବାଳକଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ମନର କୋହକୁ ଚାପି ରଖି ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ଏବେ ବାର ଦୁଆରେ ହାତ ପତାଉଛନ୍ତି ୧୬ ବର୍ଷୀୟ ନାବାଳକ ।

Advertisment

ଖୁବ୍‌ କମ୍‌ ବୟସରୁ ଦୁଃଖର ପାହାଡ଼ ଲଦି ହୋଇ ପଡ଼ିଥିଲେ ବି ପାଠ ପଢ଼ାକୁ ପର କରି ପାରି ନାହିଁ ଏହି ନାବାଳକଜଣକ। ପାଠପଢ଼ା ସାଙ୍ଗରେ ଏକ ଗ୍ୟାରେଜରେ କାମ କରି ପରିବାର ମୁହଁରେ ଦାନା ଦେବାକୁ ଆପ୍ରାଣ ଉଦ୍ୟମ ଚଳାଇଥିବା ଏହି ନାବାଳକଜଣକ ହେଲେ ଦେବାଶିଷ ଗିରି । ତାଙ୍କ ଘର ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ବଜାରଶୋଳ ଗ୍ରାମରେ।

ବଜାରଶୋଳ ଗ୍ରାମର ସ୍ୱର୍ଗତ ମଧୁସୂଦନ ଗିରି ଏବଂ ସ୍ୱର୍ଗତ ନିରୁପମା ଗିରିଙ୍କ ୧୬ ବର୍ଷର ପୁତ୍ର ଦେବାଶିଷଙ୍କ ସାହାରା କହିଲେ ଏବେ ୭୫ ବର୍ଷୀୟା ଜେଜେ ମା’ । ତାଙ୍କର ଜଣେ ବଡ଼ ଭଉଣୀ ଥିବା ବେଳେ ସେ ବାହା ହୋଇ ସାରିଛନ୍ତି। ।

Advertisment

ଅଭାବୀ ପରିବାରରେ ଜନ୍ମଗ୍ରହଣ କରିଥିବା ଦେବାଶିଷଙ୍କ ଉପରେ ଖୁବ୍‌ ଛୋଟ ବେଳୁ ଦାଉ ସାଧୁଛି ଦଇବ । ସ୍କୁଲରେ ପଢ଼ୁଥିବା ବେଳେ ବାପା ଚାଲିଯିବା ପରେ ଏକମାତ୍ର ମା’ ଭରସାରେ ସେ ବାଟ ଚାଲୁଥିଲେ। ପରଘରେ କାମଧନ୍ଦା କଲେ ୪ ପ୍ରାଣୀ କୁଟୁମ୍ବ ଚଳୁଥିଲେ। ବହୁ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ସାରିଥିବା ଦେବାଶିଷ ଏବେ ତେଘରୀସ୍ଥିତ ସାଧୁଚରଣ ମହାବିଦ୍ୟାଳୟର +୨ ପ୍ରଥମ ବର୍ଷ ପଢ଼ୁଛନ୍ତି।

ନିଜର ପାଠପଢ଼ା ସହିତ ଦିନ ମଜୁରିଆ ଭାବେ କାମ କରି ଦୁଇ ବର୍ଷ ତଳେ ବଡ଼ ଭଉଣୀର ବାହାଘର ମଧ୍ୟ କରିଛନ୍ତି। ହେଲେ ବିଧିର ବିଧାନ ଥିଲା ଅଲଗା। ବାପା ମୃତ୍ୟୁର ପାଞ୍ଚ ବର୍ଷ ପରେ ମାଆ ମାରାତ୍ମକ କ୍ୟାସନରରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ମା’କୁ ବଞ୍ଚାଇବା ନିମନ୍ତେ ଦେବାଶିଷ ଏ ମେଡିକାଲରୁ ସେ ମେଡିକାଲ ଧାଇଁଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ଗତ ୩ ତାରିଖରେ ମା’ ନିରୁପମା ଆଖି ବୁଜି ଦେଇଛନ୍ତି।

ଏବେ ପାଖରେ ଟଙ୍କାଟେ ନ ଥିବା ବେଳେ ମା’ର କର୍ମ କରିବାକୁ ପର ଦୁଆରେ ହାତ ପତାଉଛନ୍ତି ଦେବାଶିଷ । ଘର ଘର ବୁଲି, ଆଜ୍ଞା ମୋର ନିଜର ବୋଲି କେହି ନାହାନ୍ତି। ମା’ ମରି ଯାଇଥିବାରୁ  କର୍ମ ପାଇଁ କିଛି ସାହାଯ୍ୟ କରନ୍ତୁ ବୋଲି କହୁଛନ୍ତି। ଏହା ଶୁଣି ଯିଏ ଯାହା ଦେଲା ତାକୁ ଧରି ଫେରି ଆସୁଛନ୍ତି। ଘର ଖଣ୍ଡିକ ବ୍ୟତୀତ ପାଖରେ ନିଜର ବୋଲି କିଛି ନ ଥିବା ବେଳେ ୨ ପ୍ରାଣୀ କୁଟୁମ୍ବ ଏବେ କିପରି ବଞ୍ଚିବେ ସେ ନେଇ ସମସ୍ତଙ୍କୁ ଚିନ୍ତା ଘାରିଛି।

ଜୀବନରେ ବହୁ ଦୁଃଖ କଷ୍ଟର ସମ୍ମୁଖୀନ ହୋଇ ସାରିଥିବା ଦେବାଶିଷ କିନ୍ତୁ ପାଠପଢ଼ାରୁ କେବେ ବିଚ୍ୟୁତ ହୋଇ ନାହାନ୍ତି। ମନର ଅସୁମାରୀ ସ୍ୱପ୍ନକୁ ପୂର୍ଣ୍ଣାଙ୍ଗ କରିବାକୁ ସ୍ୱଳ୍ପ ସମୟ ହେଲେବି ପାଠପଢ଼ାରୁ ସେ ଦୂରେଇ ଯାଇ ନାହାନ୍ତି। ପାଠ ପଢା ସହିତ ଷ୍ଟେସନ ବଜାରର ଏକ ଗ୍ୟାରେଜରେ ବି କାମ କରୁଛନ୍ତି ଦେବାଶିଷ। ଭବିଷ୍ୟତରେ ପାଠ ପଢ଼ି ସ୍ୱାବଲମ୍ବୀ ହେବାକୁ ଆଶା ରଖିଥିବା ଦେବାଶିଷଙ୍କ ପାଇଁ ଅର୍ଥ ବାଧକ ସାଜୁଥିବା ବେଳେ ତାଙ୍କୁ କିଛି ସରକାରୀ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ ଦାସ

Balasore Orphan Parents Dead