Advertisment

ଯୁକ୍ତ ୨ ପାସ୍ କରାଇ ଦେବାକୁ କହି ୩ଶହ ପିଲାଙ୍କୁ ଠକିଥିଲା, ପୁଲିସ ହାବୁଡ଼ରେ ପଡ଼ିଗଲା

ନିଜକୁ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ ବୋଲି ପରିଚୟ ଦେଇ  +୨ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବକ ଗିରଫ।

ଅଦ୍ୟତନ ହୋଇଛି
Miscreants arrested

Miscreants arrested

Advertisment

ନିଜକୁ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ ବୋଲି ପରିଚୟ ଦେଇ  +୨ ଛାତ୍ରଛାତ୍ରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଯୁବକ ଗିରଫ। ଆଜି ବାଲେଶ୍ୱରର ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିଛି ଶିଳ୍ପାଞ୍ଚଳ ଥାନା ପୁଲିସ। +୨ ପିଲାଙ୍କୁ ପରୀକ୍ଷା ପାସ୍‌ କରାଇଦେବାକୁ ଏବଂ ଅଧିକ ମାର୍କ ଦେବାରେ ସହାୟତା କରିବାର ପ୍ରଲୋଭନ ଦେଖାଇ ସେ ଟଙ୍କା ଆଦାୟ କରୁଥିଲା।

Advertisment

ସେ ୩ଶହ ପିଲାଙ୍କ ଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ତା’ ଠାରୁ ଗୋଟିଏ କାର, ୮ଟି ଏଟିଏମ୍‌ କାର୍ଡ, ନଗଦ ୫୭ ହଜାର ଟଙ୍କା ଜବତ କରିଛି।

ବାଲେଶ୍ୱରର ଏହି ଯୁବକ ପେଶାରେ ଓକିଲ। ନିଜର ବୁଦ୍ଧିକୁ ଅବାଟରେ ଲଗାଇ ଛାତ୍ରଛାତ୍ରୀଙ୍କୁ ଚୁନ ଲଗାଉଥିଲେ। ହେଲେ ଶେଷରେ ପୁଲିସ ଜାଲରେ ଧରାପଡ଼ିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ଏସ୍‌ପି ସାଗରିକା ନାଥ।

Advertisment

ସୂଚନା ମୁତାବକ, ଚଳିତମାସ ପହିଲାରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବାଲେଶ୍ୱର ସଦର ଥାନା ଖାନନଗର ଅଞ୍ଚଳର ଏହି ଠକ ରେଜଲ୍ଟ ଖାତାରେ ମାର୍କ ବଢ଼ାଇ ଦେବାକୁ ପ୍ରତିଶ୍ରୁତି ଦେଇ କାହା ପାଖରୁ ପାଞ୍ଚ ହଜାର ତ କାହା ପାଖରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଆଦାୟ କରିଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇବା ପାଇଁ ନିଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜଣେ ବରିଷ୍ଠ କର୍ମଚାରୀ ଭାବେ ମଧ୍ୟ ପରିଚୟ ଦେଇଥିଲା।

ଆଜି ସମ୍ପୃକ୍ତ ଯୁବକ କେତେକ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ବାଲେଶ୍ୱର ପୁଲିସ ଲାଇନ୍‌ ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ନିକଟକୁ ଡାକିଥିଲା। ତେବେ କୌଣସି ସୂତ୍ରରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସମ୍ପୃକ୍ତ ଯୁବକ ଜଣକ ଜଣେ ଦଲାଲ ବୋଲି ଜାଣିପାରି ପୁଲିସକୁ ଖବର ଦେଇଥିଲେ। ଏସ୍‌ପି ସାଗରିକା ନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାସ୍ଥଳରେ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚି ଉକ୍ତ ଯୁବକକୁ ଧରିବା ସହ ଅଭିଯୋଗ ଆଣିଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇଥିଲେ।

ପଚରାଉଚରା ପରେ ଦଲାଲ ଜଣକ ବିଭିନ୍ନ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ପାସ କରାଇ ଦେବାକୁ ମିଥ୍ୟା ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଆଦାୟ କରିଥିବା ଜଣାପଡ଼ିଥିଲା। ତାକୁ ଗିରଫ କରାଯିବା ପରେ ତା’ ନିକଟରୁ ଏକ କାର, ୯ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୮ଟି ଏଟିଏମ, ୫୭ ହଜାର ନଗଦ ଟଙ୍କା ପୁଲିସ ଜବତ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ପି କହିଛନ୍ତି। ତେବେ ସମ୍ପୃକ୍ତ ଠକର ପରିଚୟ ପୁଲିସ ପକ୍ଷରୁ ଦିଆଯାଇନି।

Cheat Case Criminal Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe