ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ନିଶାସକ୍ତ ଜଣେ ଯୁବକ ଘରେ ସବୁବେଳେ କଳି କରୁଥିଲେ। ଫଳରେ ସବୁବେଳେ ଘରେ ଅଶାନ୍ତି ଲାଗି ରହୁଥିବାରୁ ଅତିଷ୍ଠ ହୋଇପଡ଼ି ଥିଲେ ମା’ ଓ ବଡ଼ ଭାଇ। ଶେଷରେ ଦିନେ ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ତାକୁ ମାରିଦେଲା ଜନ୍ମ କଲା ମା’। ଘଟଣା ସଂପର୍କରେ କେହି ଯେପରି ଜାଣି ନପାରିବେ, ସେଥିପାଇଁ ଗାତ ଖୋଳି ଘର ଭିତରେ ହିଁ ମୃତଦେହକୁ ପୋତି ଦେଲେ। ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ବଡ଼ ପୁଅ। ହେଲେ ଘଟଣାର ୧୧ ଦିନ ପରେ ବଡ଼ ଭାଇ ମୃତ ସାନ ଭାଇର ପିଣ୍ଡଦାନ କରିବା ପରେ ସାମ୍ନାକୁ ଆସିଥିଲା ସତ। ଆଉ ବନ୍ଧା ହେଲେ ମା’, ପୁଅ। ବାଲେଶ୍ୱର ଜିଲ୍ଲା ସୋର ଥାନା ବାହାନଗାରେ ଘଟିଛି ଏଭଳି ଜଘନ୍ୟ ଅପରାଧ।
ମୃତ ଯୁବକଙ୍କ ନାଁ ବଳରାମ ଜେନା। ତାଙ୍କ ମା’ଙ୍କ ନାଁ ସୁକୁରୀ ଜେନା ଓ ବଡ଼ ଭାଇ ନାଁ ଜଗବନ୍ଧୁ ଜେନା। ସ୍ଥାନୀୟ ଉଚ୍ଛାପୁରରେ ସେମାନେ ରହନ୍ତି। ବଳରାମଙ୍କୁ ହତ୍ୟା କରିଥିବା କଥା ପୁଲିସ୍ ଆଗରେ ସ୍ୱୀକାର କରିଛି ଜଗବନ୍ଧୁ।
ଘରୋଇ ଗଣ୍ଡଗୋଳରୁ ଉତ୍ତ୍ୟକ୍ତ ହୋଇ ସୁକୁରୀ ଏକ ଶାବଳରେ ପିଟିଦେବାରୁ ବଳରାମଙ୍କ ମୃତ୍ୟୁ ଘଟିଥିଲା। ତେବେ ପୁଲିସ୍ ଡରରେ ସୁକୁରୀ ଓ ତାଙ୍କ ବଡ଼ ପୁଅ ଘର ଭିତରେ ଗାତ ଖୋଳି ମୃତଦେହକୁ ପୋତି ଦେଇଥିଲେ। ତେବେ ଘଟଣାର ୧୧ ଦିନ ପରେ ଜଗବନ୍ଧୁ କୋଲକାତା ଯାଇ ମୃତ ଭାଇର ପିଣ୍ଡଦାନ କରିବା ପରେ କଥା ପ୍ରଘଟ ହୋଇଥିଲା।
ଅଭିଯୁକ୍ତ ଜଗବନ୍ଧୁ କହିଛନ୍ତି, ବଳରାମ ସବୁବେଳେ ମାରପିଟ କରୁଥିଲା। ଘଟଣା ଦିନ ସେ ଶାବଳରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ମା’ ତା ହାତରୁ ଶାବଳ ଛଡ଼ାଇ ଆଣିଥିଲା ଓ ସେଥିରେ ତାକୁ ପାହାରେ ଦେଇଥିଲା। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା। ଏହା ପରେ ପୁଲିସ୍ ଡରରେ ଆମେ ମୃତଦେହକୁ ଘର ଭିତରେ ପୋତି ଦେଇଥିଲୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।