Advertisment

ମୁଣ୍ଡନ ହେବା ସହ ଦଶାହ ପାଳିଲେ ବାହାନଗାବାସୀ

ଆଜିର ସାମୂହିକ ଦଶାହ ପାଳନ ପରେ ସୋମବାର ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି।

author-image
Manoranjan Sial
Balasore

Balasore

ବାହାନଗାରେ ଘଟିଥିବା ଲୋମଟାଙ୍କୁରା ଟ୍ରେନ୍‌ ଦୁର୍ଘଟଣାକୁ ପୂରିଛି ୧୦ ଦିନ। ସଂପର୍କୀୟଙ୍କ ମୃତଦେହ ଚିହ୍ନଟ କରି ଘରକୁ ନେଇଯାଇଥିବା ଅନେକ ଶୋକ ସନ୍ତପ୍ତ ପରିବାର ଆଜି ଘରେ ପାଳୁଥିବେ ଦଶାହ। ହେଲେ ଯେଉଁ ମୃତଦେହ ଗୁଡ଼ିକ ଏବେବି ଶବଗୃହରେ ପଡ଼ିରହିଛନ୍ତି ନିଜ ସଂପର୍କୀୟଙ୍କ ଅପେକ୍ଷାରେ, ସେମାନଙ୍କର ଦଶାହ କରିବ କିଏ? ସେହି କଥାକୁ ଭାବି ଆଜି ବାହାନଗା ପାଳିଛି ସାମୂହିକ ଦଶାହ ଓ ମୁଣ୍ଡନ କାର୍ଯ୍ୟକ୍ରମ। ରେଳ ଦୁର୍ଘଟଣାରେ ଦିବଙ୍ଗତ ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହିତ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଆୟୋଜନ କରାଯାଇଛି ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ।

Advertisment

ଯେଉଁ ବାହାନଗା ହାଇସ୍କୁଲରେ ମୃତଦେହଗୁଡ଼ିକ ରଖାଯାଇଥିଲା, ସେହି ସ୍କୁଲ ପଛପଟ ପୋଖରୀ ତୁଠରେ ହୋଇଛି ସାମୁହିକ ମୁଣ୍ଡନ। ପ୍ରାୟ ୨୫-୩୦ ଜଣ ଲୋକ, ଯେଉଁମାନେ ସେଦିନ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ, ସେମାନେ ଲଣ୍ଡା ହେବା ସହିତ ନିଶ-ଦାଢ଼ି ଖିଅର ହୋଇ ପୋଖରୀରେ ବୁଡ଼ ପକାଉଛନ୍ତି ରୀତିନୀତି ଅନୁସାରେ। ଏହାପରେ ନୂଆ ଲୁଗା ପିନ୍ଧି ସାମିଲ ହୋଇଛନ୍ତି ଦଶାହ ଭୋଜିରେ।

ଆଜିର ସାମୂହିକ ଦଶାହ ପାଳନ ପରେ ସୋମବାର ଏକାଦଶାହରେ ବିଶ୍ୱଶାନ୍ତି ମହାଯଜ୍ଞ, ଅଷ୍ଟପ୍ରହରୀ ନାମ ସଂକୀର୍ତ୍ତନ, ଅଖଣ୍ଡ ଗାୟତ୍ରୀ ମନ୍ତ୍ର ଜପ ଆଦି କାର୍ଯ୍ୟକ୍ରମ ରହିଛି। ଏଥିସହ ସବୁ ଧର୍ମର ମୃତକଙ୍କ ଆତ୍ମାର ସଦଗତି ପାଇଁ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ଶ୍ରଦ୍ଧାଞ୍ଜଳି। ମଙ୍ଗଳବାର ଦ୍ୱାଦଶାହ ଦିନ ରିତମ୍ଭରା ଅନ୍ତର୍ଜାତୀୟ ସଂଘ ତରଫରୁ ୫ ହଜାର ୮ ଦୀପଦାନ ଓ ଅମୃତଧାରା ସତସଙ୍ଗ ସମାରୋହ କରାଯିବ। ବାହାନଗା, ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କ ପକ୍ଷରୁ ସେଥିପାଇଁ ମିଳିତ ଆୟୋଜନ କରାଯାଇଛି।

Advertisment

ଦାବିଦାର ନଥିବା ମୃତକଙ୍କ ପାଇଁ ବାହାନଗାରେ କ୍ରିୟାକର୍ମ ଚାଲିଥିବା ବେଳେ, ଏଣେ ଭୁବନେଶ୍ୱରରେ ନିଜ ପ୍ରିୟଜନଙ୍କୁ ଏବେବି ଖୋଜି ବୁଲୁଛନ୍ତି ଅନେକ ମ୍ରିୟମାଣ ସଂପର୍କୀୟ। କିଏ ନିଜ ଏକମାତ୍ର ପୁଅକୁ ଖୋଜୁଛି, ତ ଆଉ କିଏ ଜାଣିନି ତା’ର ଦୁଇ ଦୁଇଟି ପୁଅ ଏବେ ଜୀବୀତ ନା ମୃତ। ଏମାନେ ବିହାରରୁ ଆସି ଭୁବନେଶ୍ୱର ଏମ୍‌ସ ପରିସରରେ ଦିନ ଦିନ ଧରି ଡେରା ପକାଇଛନ୍ତି। ହେଲେ କାହାର ପତ୍ତା ପାଉନାହାନ୍ତି।

Balasore BalasoreTrainAccident