Advertisment

ବାହାନଗା ଦୁର୍ଘଟଣା: ନିରାପତ୍ତା କମିଶନ ଦେଲେ ତଦନ୍ତ ରିପୋର୍ଟ, ଉଜାଗର କରିବନି ରେଳବାଇ

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଏବେ ସିବିଆଇ ଜାରି ରଖିଥିବାରୁ ରେଳବାଇ ନିରାପତ୍ତା କମିଶନଙ୍କ ତଦନ୍ତ ରିପୋର୍ଟ ଉଜାଗର ହେଲେ ତାହା ସିବିଆଇ ତଦନ୍ତକୁ ପ୍ରଭାବିତ କରିବ ।

author-image
Ordigital Desk
Train Accident

Train Accident

ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ଭୟାବହ ଟ୍ରେନ ଦୁର୍ଘଟଣାର ତଦନ୍ତ ରିପୋର୍ଟକୁ ରେଳବାଇ ସାର୍ବଜନୀନ କରିବ ନାହିଁ । ରେଳବାଇ ନିରାପତ୍ତା କମିଶନ ଗତକାଲି ନିଜର ତଦନ୍ତ ରିପୋର୍ଟକୁ ରେଳବାଇ କୋର୍ଡଙ୍କ ନିକଟରେ ଦାଖଲ କରିଥିଲେ ମଧ୍ୟ ସିବିଆଇ ତଦନ୍ତ ଜାରି ରହିଥିବାରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯିବ ନାହିଁ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ଯୋଗୁ ବାହାନଗା ଦୁର୍ଘଟଣା ଘଟିଲା ବୋଲି ନିରାପତ୍ତା କମିଶନର ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି । ତେବେ ରେଳବାଇ ଏନେଇ କୌଣସି ସୂଚନା ଦେବାକୁ ମନା କରିଦେଇଛି ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବାହାନଗା ଟ୍ରେନ ଦୁର୍ଘଟଣାର ତଦନ୍ତ ଏବେ ସିବିଆଇ ଜାରି ରଖିଥିବାରୁ ରେଳବାଇ ନିରାପତ୍ତା କମିଶନଙ୍କ ତଦନ୍ତ ରିପୋର୍ଟ ଉଜାଗର ହେଲେ ତାହା ସିବିଆଇ ତଦନ୍ତକୁ ପ୍ରଭାବିତ କରିବ । ମାନବଜନିତ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ହୋଇଥିବା ତଥା ସିଗନାଲ, ଟେଲିକମ୍ ଓ ଟ୍ରାଫିକ ବିଭାଗ ଦାୟିତ୍ୱରେ ଥିବା କାର୍ଯ୍ୟରତ ଅଫିସରଙ୍କ ତ୍ରୁଟି ଯୋଗୁ ଦୁର୍ଘଟଣା ହେଲା ବୋଲି ରେଳବାଇ ନିରାପତ୍ତା କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଥିବା ଚର୍ଚ୍ଚା ହେଉଛି । ଏପରିକି ଟ୍ରେନ ଚଳାଚଳ ପାଇଁ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର(ଏସଓପି) ମଧ୍ୟ ପାଳନ କରିବାରେ ଅଫିସରମାନେ ବିଫଳ ହୋଇଥିବା ଜଣାପଡ଼ିଛି ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି ଜାତୀୟ ଗଣମାଧ୍ୟମ କହିଛି ଯେ, ସିବିଆଇ ତଦନ୍ତ ଜାରି ଥିବାରୁ ରେଳବାଇ ନିରାପତ୍ତା କମିଶନରଙ୍କ ତଦନ୍ତ ରିପୋର୍ଟକୁ ଉଜାଗର କରାଯିବ ନାହିଁ । ଏହି ରିପୋର୍ଟ ଆସିଲେ ସିବିଆଇ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ସିବିଆଇର ତଦନ୍ତ ରିପୋର୍ଟ ଆସିସାରିବା ପରେ ଉଭୟ ତଦନ୍ତ ରିପୋର୍ଟକୁ ତର୍ଜମା କରି ରେଳବାଇ ଆବଶ୍ୟକ ପଦକ୍ଷେପ ନେବ । ଦକ୍ଷିଣ ପୂର୍ବ ଜୋନର ରେଳବାଇ ନିରାପତ୍ତା କମିଶନର ଭାବେ ଏଏମ ଚୌଧୁରୀ ଏହି ଦୁର୍ଘଟଣାର ତଦନ୍ତ କରି ଗତକାଲି ରେଳବାଇ ବୋର୍ଡକୁ ପ୍ରଦାନ କରିଛନ୍ତି । ଶୁକ୍ରବାର ଏହି ରିପୋର୍ଟ ଉପରେ କୌଣସି ସୂଚନା ଦେବାକୁ ରେଳବାଇ ବୋର୍ଡର ଶୀର୍ଷ ଅଧିକାରୀମାନେ ମନା କରିଦେଇଛନ୍ତି ।

Advertisment

ଅନ୍ୟପକ୍ଷରେ, ଦୁର୍ଘଟଣାରେ ପ୍ରାଣ ହରାଇ ଏମ୍ସ ହସ୍ପିଟାଲର ଶବାଗାରରେ ଥିବା ପ୍ରାୟ ୮୧ଜଣ ମୃତ ଯାତ୍ରୀଙ୍କ ମଧ୍ୟରୁ ୨୯ଜଣଙ୍କ ଡିଏନଏ ରିପୋର୍ଟ ଆସିଛି । ଏହି ୨୯ଜଣଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଶବ ହସ୍ତାନ୍ତର କରିବା ପାଇଁ ଆଜି ସକାଳୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ନିଜ ଖର୍ଚ୍ଚରେ ମୃତ ଯାତ୍ରୀଙ୍କ ଶବକୁ ସେମାନଙ୍କର ଘରକୁ ପଠାଇବେ ଓ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମକୁ ଦାୟିତ୍ୱ ଦିଆଯାଇଛି ବୋଲି ବିଏମସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଜୁନ୍ ୨ ତାରିଖରେ ବାହାନଗା ଷ୍ଟେସନ ବଜାରଠାରେ ଭୟାବହ ଟ୍ରେନ ଦୁର୍ଘଟଣାରେ ୧ହଜାରରୁ ଅଧିକ ଲୋକ ଆହତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୨୯୩ଜଣଙ୍କ ମୃତ୍ୟୁ ହୋଇଛି ।

Balasore Train Accident BalasoreTrainAccident