ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ, ମେଡିକାଲରେ ଆହତଙ୍କୁ ଭେଟିଲେ

ସେ ଆଜି ଅପରାହ୍ନ ପ୍ରାୟ ୩.୪୫ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣାସ୍ଥଳ ନିକଟରେ ଓହ୍ଲାଇ ଥିଲେ।

Prime Minister Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Niranjan Mishra
  • Published: Saturday, 03 June 2023
  • , Updated: 03 June 2023, 05:29 PM IST

ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାସ୍ଥଳରେ ଆଜି ପହଞ୍ଚି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ଅପରାହ୍ନ ପ୍ରାୟ ୩.୪୫ ମିନିଟ୍‌ରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାହାନଗା ନିକଟସ୍ଥ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବା ସହ ଫିଲ୍ଡରୁ ମଧ୍ୟ ସ୍ଥିତି ଦେଖିଥିଲେ। ସହାୟତା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କୁ ପଚାରି ବୁଝିଥିଲେ। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଯବାନଙ୍କୁ ଭେଟି କୃତଜ୍ଞତା ଜଣାଇଥିଲେ।

ମୋଦିଙ୍କ ଗସ୍ତ ବେଳେ ତାଙ୍କ ସହ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରେଳ ବିଭାଗ ଓ ସୁରକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ସମ୍ପର୍କରେ ଜଣାଇଥିଲେ। ରେଳ ଦୁର୍ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହି ସମୟରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା କାର୍ଯ୍ୟକୁ କାଟଛାଣ୍ଟ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ଦୁର୍ଘଟଣାସ୍ଥଳରେ ସମୀକ୍ଷା କରିବା ପରେ ବାଲେଶ୍ୱର ମେଡିକାଲକୁ ଯାଇଥିଲା। ସେଠାରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କ ଅବସ୍ଥା ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲେ। ଆହତମାନଙ୍କ ସହିତ ସେ କଥାବାର୍ତ୍ତା ହୋଇଥିଲେ ଓ ସେମାନଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। 

ରେଳ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ବ୍ୟସ୍ତବହୁଳ ବହୁ କାର୍ଯ୍ୟକ୍ରମ ବାତିଲ କରି ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ ନିମନ୍ତେ ପହଞ୍ଚିଥିଲେ। 

ଦୁର୍ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିPrime Minister Narendra Modi

ଏହି ଦୁଃଖଦ ଘଟଣାରେ ୨୬୦ରୁ ଅଧିକ ଯାତ୍ରୀଙ୍କ ଜୀବନ ଯାଇଥିବା ବେଳେ ୯୦୦ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଥାଉକି, ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଷ୍ଟେଶନ ନିକଟରେ ଗତକାଲି ସନ୍ଧ୍ୟା ପ୍ରାୟ ୭.୧୫ରେ ଭୟାନକ ରେଳ ଦୁର୍ଘଟଣା ଘଟିଥିଲା। ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗାଲୁରୁ-ହାୱାଡା ସୁପରଫାଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଥିଲା।

ଦୁର୍ଘଟଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ଦୁର୍ଘଟଣାରେ ମୃତ, ଆହତଙ୍କ ଭିତରେ ପଶ୍ଚିମବଙ୍ଗର ପ୍ରାୟ ୬୦ ଲୋକ ରହିଥିବା ମମତା ବାନାର୍ଜୀ କହିଥିଲେ। 

Related story