Advertisment

ପାଇଖାନା ମୋ’ ଠିକଣା! କାହାପାଇଁ ଆବାସ ଯୋଜନା?

‘ଯେଉଁଠି ଝାଡ଼ା ଫେରୁଥିଲି, ଏବେ ସେଠାରେ ରହୁଛି। ମୋ’ କଥା କେହି ଶୁଣୁ ନାହାନ୍ତି। ପ୍ରତାପ ନନା ମୋ’ କଥା ଶୁଣିଲେନି। ଏମଏଲେ କିଛି ବୁଝିଲେନି। ବ୍ରହ୍ମଣୀ ସାହିକୁ ଜିଲ୍ଲାପାଳ ଆସିଥିଲେ। ସେ ଆଖି ବୁଜି ଚାଲିଗଲେ।’

ଅଦ୍ୟତନ ହୋଇଛି
Balasore

Balasore

Advertisment

ବାପା-ମାଆଙ୍କ ଶେଷ ସନ୍ତକ ଝାଟିମାଟିର କୁଡ଼ିଆଟି ମାଟିରେ ମିଶିଲା। ଏବେ ସ୍ୱଚ୍ଛ ଭାରତର ପାଇଖାନା ପାଲଟିଛି ନୂଆ ଠିକଣା! ଯେଉଁଠି ଦିନେ ଶୌଚ ହେଉଥିଲେ, ଏବେ ସେଠାରେ ମୁଣ୍ଡ ଗୁଞ୍ଜିଛନ୍ତି ୪୫ ବର୍ଷୀୟା ଅସହାୟ ମହିଳା ସତ୍ୟଭାମା ନାୟକ। ତାହାହେଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟଭାମା? ଏପରି ଦୟନୀୟ ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଞ୍ଚଳରୁ।

Advertisment

ପିଠାହତା ପଞ୍ଚାୟତ ଦରଖୋଳି ଗାଁର କୁଶ ନାୟକ। ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ଘର ଡିହ ଖଣ୍ଡକୁ ଛାଡ଼ିଦେଲେ ଜମିବାଡ଼ି କିଛି ନାହିଁ। ଝାଟିମାଟିର କୁଡ଼ିଆରେ ଛୋଟ ପରିବାରକୁ ନେଇ ରହୁଥିଲେ କୁଶ। କାମଦାମ କରି ପରିବାର ଚଳାନ୍ତି। ନିଜର ସ୍ୱଳ୍ପ ରୋଜଗାରରେ ଦୁଃଖେ କଷ୍ଟେ ବଡ଼ ଝିଅକୁ ବାହା କରାଇଦେଲେ। ସାନ ଝିଅ ସତ୍ୟଭାମା ଘରେ ରହୁଥିଲେ। ମଝିରେ ମଝିରେ ସେ ମଧ୍ୟ କାମ କରିବାକୁ ଯାଉଥିଲା।

ସତ୍ୟଭାମା କାମରୁ ଆସିଲେ ମାଆ ସବୁ କଥା ବୁଝୁଥିଲେ। ରାନ୍ଧି ରଖିଥିବା ଭାତ ଓ ତରକାରୀ ଖାଇବାକୁ ଦେଉଥିଲା। ହେଲେ ସତ୍ୟଭାମାଙ୍କ କ୍ଷଣିକ ଶୁଖ ଦେଖିପାରିଲା ନାହିଁ ଦୈବ। ଆଗ ପଛ କରି ବାପା ଓ ମାଆଙ୍କୁ ନେଇଗଲା। ମୁଣ୍ଡ ଉପରୁ ବାପା-ମାଆଙ୍କ ହାତ ଉଠିଯିବା ପରେ ବଡ଼ ଭଉଣୀଙ୍କ ଆଶ୍ରାରେ ଜୀବନ ବିତାଇବେ ବୋଲି ଭାବିଥିଲେ ସତ୍ୟଭାମା। ହେଲେ ସେ ମଧ୍ୟ ଧରାଛୁଆଁ ଦେଲେ ନାହିଁ। ସେ ବା କ’ଣ କରିବ? ତାଙ୍କର ମଧ୍ୟ ତେଲ ଓ ଲୁଣର ଦୁଃଖି ସଂସାରଟିଏ ରହିଛି। ଯିଏ ନିଜ ପରିବାର ପେଟକୁ ଦାନା ମୁଠାଏ ଦେଇପାରୁନି, ସେ ସାନ ଭଉଣୀକୁ କିପରି ପୋଷିବ?

Advertisment
Balasoreପାଇଖାନା ଘର ଭିତରେ ବସିଛନ୍ତି ସତ୍ୟଭାମା

ବଡ଼ ଭଉଣୀର ଅଭାବ ଦେଖି ସାନ ଭଉଣୀ ସତ୍ୟଭାମା ତା’ ଘରକୁ ଗଲା ନାହିଁ। ବାପା-ମାଆଙ୍କ ଶେଷ ସନ୍ତକ ଭଙ୍ଗା ମାଟି କୁଡ଼ିଆରେ ଜୀବନ କାଟିଲେ। ଆ’ ଘରୁ ତା’ ଘରୁ ମାଗି ଯାଚି ଚଳି ଯାଉଥିଲେ। ହେଲେ ଦଇବକୁ ସେହି ମାଟି କୁଡିଆଟି ମଧ୍ୟ ମାଟିରେ ମିଶିଗଲା। ତାହାହେଲେ ସତ୍ୟଭାମା ରହିବେ କେଉଁଠି? ତାକୁ ନେଇ ଚିନ୍ତାରେ ପଡ଼ି ଯାଇଥିଲେ ସତ୍ୟଭାମା। ଶେଷରେ କିଛି ଉପାୟ ନପାଇ ବାପା ବଞ୍ଚିଥିବା ବେଳେ ତିଆରି କରିଥିବା (ସ୍ୱଚ୍ଛ ଭାରତ ମିଶନ୍‌) ପାଇଖାନାକୁ କଲେ ନିଜ ଠିକଣା।

ବାସ୍‌ ଏବେ ସେହି ଠିକଣାରେ ବଞ୍ଚୁଛନ୍ତି ସତ୍ୟଭାମା। ପଦାରେ ଶୌଚ କରୁଛନ୍ତି ଓ ଶୌଚାଳୟକୁ ବିଶ୍ରାମାଗାର କରିଛନ୍ତି। ବାହାରେ ରୋଷେଇ କରି ପାଇଖାନା ଭିତରେ ଖାଉଛନ୍ତି ଓ ଶୋଉଛନ୍ତି। ସତ୍ୟଭାମାଙ୍କ ପାଇଖାନା ଘରଟି ଶେରଗଡ଼-ଝରଣାଘାଟି ରାଜ୍ୟ ରାଜପଥ ପାର୍ଶ୍ୱରେ ରହିଛି। ତେଣୁ ରାତି ହେଲେ ସତ୍ୟଭାମା ନିଜକୁ ଅସୁରକ୍ଷିତ ମଣି ପାଇଖାନା ଘର ଛାଡ଼ି ସାହି ପଡ଼ିଶାଙ୍କ ପିଣ୍ଡାକୁ ଚାଲି ଯାଉଛନ୍ତି। ସେଠାରେ ରାତି କାଟୁଛନ୍ତି। ପୁଣି ସକାଳ ହେଲେ ଫେରି ଆସନ୍ତି ନିଜ ଶୌଚାଳୟ ଘରକୁ। ସେଠାରେ ପୂରା ଦିନ କାଟନ୍ତି।

ସତ୍ୟଭାମାଙ୍କ ଏ ଦୁଃଖ ଦେଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ଦେବା ପାଇଁ ପୂର୍ବତନ ସରପଞ୍ଚ ଓ ୱାର୍ଡ ମେମ୍ୱର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ୨ରୁ ୩ ଥରେ ଆବେଦନ ମଧ୍ୟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନାଁ ତାଲିକାରୁ କାଟି ଦିଆଯାଉଛି। କ’ଣ ପାଇଁ ସତ୍ୟଭାମାଙ୍କ ନାଁ କାଟି ଦିଆଯାଉଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।

ସତ୍ୟଭାମାଙ୍କ ଏ ଯନ୍ତ୍ରଣା ସମ୍ପର୍କରେ ନୀଳଗିରି ବିଡ଼ିଓ ରାହୁଲ ମଣ୍ଡଳଙ୍କୁ ଅବଗତ କରାଯାଇଥିଲା। ସେ ଘଟଣାକୁ ଗୁରୁତର ସହ ନେଇ ୨୪ ଘଣ୍ଟା ଭିତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରୟାସ କରିବେ ବୋଲି ପ୍ରତୁଶ୍ରୁତି ଦେଇଛନ୍ତି।

ରିପୋର୍ଟ-ନୀଳଗିରିରୁ ବିଶ୍ୱମ୍ଭର ଦାସ

Balasore PMAY Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe