Advertisment

୧୪ ବର୍ଷ ପରେ ଘରକୁ ଆସିଥିଲା ପୁଅ, ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ରମେଶଙ୍କ ମୃତଦେହକୁ ଚିହ୍ନଟ କରିବା ପାଇଁ ତାଙ୍କର ଦୁଇ ଭାଇ ଏ ମେଡିକାଲରୁ ସେ ମେଡିକାଲକୁ ଖୋଜି ବୁଲୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Train Accident

Train Accident

ମାଆର ଶୁଦ୍ଧିକ୍ରିୟା ପାଇଁ ୧୪ ବର୍ଷ ପରେ ଚେନ୍ନାଇରୁ ନିଜ ଗାଁକୁ ଆସିଥିଲା ପୁଅ। ଶୁଦ୍ଧିକ୍ରିୟା କାମ ସରିବା ପରେ ନିଜ ଗାଁରୁ ଗତକାଲି ବିଦାୟ ନେଇଥିଲା। ଟ୍ରେନରେ ବସି ଗାଁରେ କାଟିଥିବା ଦିନ ଗୁଡ଼ିକ ଭାବି ହେଉଥିଲା। ହଠାତ୍ ଗୋଟିଏ ମିନିଟ୍‌ରେ ସବୁ ଓଲଟପାଲଟ ହୋଇଯାଇଥିଲା। ଗତକାଲି  ବାଲେଶ୍ୱର ବାହାନଗାରେ ଟ୍ରେନ ଟ୍ରାଜେଡିରେ ଯୁବକଙ୍କ ଜୀବନ ଚାଲିଯାଇଛି।  ମୃତ ଯୁବକ ଜଣଙ୍କ ହେଲେ ରମେଶ ଜେନା।

Advertisment

ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରମେଶ ଚେନ୍ନାଇରେ ରୁହନ୍ତି। ମା’ ମରିଯିବାର ଖବର ଶୁଣିବା ପରେ ୧୪ବର୍ଷ ପରେ ଗାଁକୁ ଫେରିଥିଲେ ରମେଶ। ମା’ ଶୁଦ୍ଧିକ୍ରିୟା ସାରି ଗତକାଲି ପୁଣି ସେ ନିଜ କର୍ମକ୍ଷେତ୍ର ଚେନ୍ନାଇ ଫେରୁଥିଲେ। ଗତକାଲି ଟ୍ରେନ୍ ଦୁର୍ଘଟଣାରେ ରମେଶଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ରମେଶଙ୍କ ମୃତଦେହକୁ ଚିହ୍ନଟ କରିବା ପାଇଁ ତାଙ୍କର ଦୁଇ ଭାଇ ଏ ମେଡିକାଲରୁ ସେ ମେଡିକାଲକୁ ଖୋଜି ବୁଲୁଛନ୍ତି। ହେଲେ ଭାଇ ମୃତଦେହ ଏପର୍ଯ୍ୟନ୍ତ ଚିହ୍ନଟ କରିପାରୁନାହାନ୍ତି।

ରମେଶଙ୍କ ଭାଇ କହିଛନ୍ତି, ଗତକାଲି ଭାଇ ସନ୍ଧ୍ୟା ୬ଟାରେ ଟ୍ରେନ୍‌ ଚଢ଼ିଥିଲେ। ପ୍ରାୟ ୭ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଶୁଣି ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଭାଇକୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲୁ। ପରେ ଆମେ ଘରକୁ ଫେରି ଯାଇଥିଲୁ । ରାତି ପ୍ରାୟ ସାଢ଼େ ୧୨ଟା ସମୟରେ ଆମେ ତା’ ମୋବାଇଲକୁ ଫୋନ୍ କରିଥିଲୁ। ଫୋନ୍ ରିଙ୍ଗ୍ ହେବାରୁ ଜଣେ ବ୍ୟକ୍ତି ଉଠାଇ ସେ ମରିଯାଇଥିବା ଖବର ଆମକୁ ଦେଇଥିଲେ। ତା’ପରଠୁ ଆମେ ଭାଇଙ୍କୁ ଏମେଡିକାଲରୁ ସେ ମେଡିକାଲ ଖୁଜିବୁଲୁଛି। ହେଲେ ଭାଇ ମୃତଦେହକୁ ଚିହ୍ନଟ କରିପାରି ନାହିଁ।

Advertisment
Balasore TrainAccidentInOdisha