Advertisment

୩ କୋଟି ଦେଇ ୩ ବର୍ଷ ଅପେକ୍ଷା କଲେଣି ୧୫୦୦ ଚାଷୀ!

ମରୁଡ଼ିରୁ ବର୍ତ୍ତିବା ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନାରେ ସାମିଲ ହୋଇଥିଲେ। ଏହି ଯୋଜନାରେ ଚାଷୀଙ୍କୁ ମୋଟ୍‌ ଖର୍ଚ୍ଚର ୧୦ ପ୍ରତିଶତ ଟଙ୍କା ଦେବାର ବ୍ୟବସ୍ଥା ରହିଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Bargarh

Bargarh

ବିଜୁ କୃଷକ ଯୋଜନାରେ ବୋରୱେଲ୍‌ ଖୋଳିବା ପାଇଁ ୧୫୦୭ ଜଣ ଚାଷୀଠାରୁ ୩ କୋଟିରୁ ଅଧିକ ଟଙ୍କା ନେଇଗଲେ ସରକାର। ହେଲେ ଖୋଲିଲେ ନାହିଁ ବୋରୱେଲ୍‌। ଇତି ମଧ୍ୟରେ ୩ ବର୍ଷରୁ ଅଧିକ ସମୟ ବିତିଲାଣି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ବିଦ୍ୟୁତ ବିଭାଗ ଉପରକୁ ଦୋଷ ଠେଲି ବରଗଡ଼ ଉଠା ଜଳସେଚନ ବିଭାଗ ଚୁପ୍‌ ବସିଛି।

Advertisment

ଭଟଲି ବ୍ଲକ୍‌ ହାଲୁପାଳି ଗାଁ। ଚାଷ ପାଇଁ ଏହି ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ବର୍ଷା ପାଣି ଉପରେ ଚାଷୀ ବିଚରା ଭରସା କରିଥାଏ। କହିବାକୁ ଗଲେ ବର୍ଷକର ୬ ମାସ ଚାଷ ହୋଇଥିବା ବେଳେ ବାକି ୬ ମାସ ଜମି ପଡ଼ିଆ ପଡ଼ିଥାଏ। ଯେଉଁବର୍ଷ କମ୍‌ ବର୍ଷା ହେଲାନାହିଁ, ସେ ବର୍ଷ କଥା ସରିଲା। ଫସଲ ମରିବା ଛଡ଼ା ଆଉ କିଛି ଉପାୟ ନାହିଁ। ଯେଉଁଥିପାଇଁ ଚାଷୀ ବିଚରା ବହୁ କ୍ଷତି ସହିଥାଏ। ଆଖି ଆଗରେ ଉଜୁଡ଼ା ଫସଲ ଦେଖି ଚାଷୀ ଅନେକ ସମୟରେ ଆତ୍ମହତ୍ୟାର ରାସ୍ତା ବାଛୁଥିବା ଦେଖିବାକୁ ମିଳିଛି।

ମରୁଡ଼ିରୁ ବର୍ତ୍ତିବା ପାଇଁ ଚାଷୀମାନେ ରାଜ୍ୟ ସରକାରଙ୍କ ବିଜୁ କୃଷକ ଯୋଜନାରେ ସାମିଲ ହୋଇଥିଲେ। ଏହି ଯୋଜନାରେ ଚାଷୀଙ୍କୁ ମୋଟ୍‌ ଖର୍ଚ୍ଚର ୧୦ ପ୍ରତିଶତ ଟଙ୍କା ଦେବାର ବ୍ୟବସ୍ଥା ରହିଛି। ୨୦୧୯ ମସିହାରେ ହାଲୁପାଳି ଗାଁରେ ୩୩ ଜଣ ଓ ଭଟ୍‌ଲି ବ୍ଲକରେ ୧୫୦୭ ଜଣ ନଳକୂପ ଖନନ ପାଇଁ ଆବେଦନ କରିଥିଲେ। ସବୁ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ଏଥିପାଇଁ ଚାଷ ଜଣକା ୨୦ ହଜାର ଟଙ୍କା ଲେଖାଏଁ ଜମା କରିଥିଲେ ଚାଷୀ। ୨୦୨୦ ମସିହାରେ କାମ ଆରମ୍ଭ ହେବା କଥା। ହେଲେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ଚାଷୀ ବିଚରା ଜଳକା ହୋଇ ବସିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି ଦୁଇ ବର୍ଷ ହେଲା କ’ଣ ପାଇଁ ନଳକୂପ ଖନନ ହୋଇପାରୁ ନାହିଁ? ଏନେଇ ଉଠା ଜଳ ସେଚନ ବିଭାଗର ଯନ୍ତ୍ରୀଙ୍କୁ ପଚାରିବାରୁ ସେ ବିଦ୍ୟୁତ ବିଭାଗ ଉପରେ ଦୋଷ ଲଦିଛନ୍ତି। କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରୀପାଠି କହିଛନ୍ତି, ବୋଲୱେଲ୍‌ ଖନନ ଚୁକ୍ତି ସରିଛି। ଭୋଲଟେଜ୍‌ ସମସ୍ୟା ଦେଖାଦେଉଥିବାରୁ ବିଳମ୍ୱ ହୋଇଥିଲା। ଏବେ କିନ୍ତୁ ସମସ୍ୟା କିଛି ମାତ୍ରାରେ ସୁଧୁରୁଛି। ତିନି ଦିନ କଳେ ବୋରୱେଲ୍‌ ଖନନ ଆରମ୍ଭ ହୋଇଯାଇଛି। ପର୍ଯ୍ୟାୟ କ୍ରମେ ସବୁ ଗାଁରେ ବୋଲୱେଲ୍‌ ଖୋଳାଯାଇ ବିଦ୍ୟୁତ ସଂଯୋଗ ଦିଆଯିବ। ୬ ମାସ ଭିତରେ କାମ ସରିବ ବୋଲି ଯନ୍ତ୍ରୀ କହିଛନ୍ତି।

ତେବେ ହାଲୁପାଲିର ଚାଷୀ ବୁଲୁ ସାହୁ କହିଛନ୍ତି, ପ୍ରକଳ୍ପ ପାଇଁ ୨୦୨୦ ମସିହାରେ ଟଙ୍କା ଜମା କରିଥିଲୁ। ହେଲେ ପ୍ରକଳ୍ପ ହୋଇପାରୁନଥିଲା। ଏନେଇ ଆମେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଶୀଘ୍ର ଚାଷ ଜମିକୁ ପାଣି ଯୋଗାଇବାର ବ୍ୟବସ୍ଥା କରାଯାଉ ବୋଲି ବୁଲୁ କହିଛନ୍ତି।

ଚାଷୀ ପ୍ରକାଶ ମାଝୀ କହିଛନ୍ତି, ଧାର ଉଧାର ଓ ସୁନା ଗହଣା ବନ୍ଧକ ରଖି ବୋରିଂ ଖୋଳିବା ପାଇଁ ଟଙ୍କା ଜମା କରିଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ବୋରିଂ ହୋଇପାରିଲା ନାହିଁ। ନବୀନ ସରକାର ଚାଷୀଙ୍କୁ ଶୋଷଣ କରୁଛନ୍ତି। ଚାଷୀଙ୍କୁ ଭୂଆଁ ବୁଲାଉଛନ୍ତି। ଚାଷୀଙ୍କ କୌଣସି ସମସ୍ୟା ସମାଧାନ କରୁନାହାନ୍ତି ବୋଲି ପ୍ରକାଶ କହିଛନ୍ତି।

ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା

Bargarh