କାନ୍ଥ ସେପାଖରେ ପଡ଼ିଥିଲା ପୁତୁରାଙ୍କ ପରିବାରର ୪ ଜଣଙ୍କ ମୃତଦେହ; ହତ୍ୟା ପରେ ରାତି ସାରା ଶୋଇନଥିଲେ କକା, ଖୁଡ଼ୀ, ଭାଇ

ଘରେ ନଥିଲେ ଗୁରୁଦେବ ଓ ତାଙ୍କ ପୁଅ ଚୂଡାମଣି। ପତ୍ନୀ ଶିବାଙ୍ଗୀ ଓ ଝିଅ ଶ୍ରାବଣୀ ରୋଷେଇ ଘରେ ଥିଲେ। ଠିକ୍‌ ସେହି ସମୟରେ ଶାବଳ ଧରି ଘରେ ପଶିଥିଲା ଶିବଙ୍କ ପୁଅ ନକୂଳ। ପରେ ଅତି ବୀଭତ୍ସ ଭାବେ ମାଆ ଓ ଝିଅଙ୍କୁ ପିଟିପିଟି ହତ୍ୟା କରିଥିଲା।

ହତ୍ୟା ମାମଲାରେ ଗିରଫ ହୋଇଥିବା ୩ ଅଭିଯୁକ୍ତ

  • Published: Wednesday, 24 May 2023
  • , Updated: 24 May 2023, 06:25 PM IST

ସମ୍ପତ୍ତି ଲୋଭରେ ପୁତୁରା ଓ ତା’ର ପୂରା ପରିବାରକୁ ସଫା କରିଦେଲେ କକା। କ୍ଷଣିକ ଉତ୍ତେଜନାରେ ବଶବର୍ତ୍ତୀ ହୋଇ ହତ୍ୟା ସିନା କରିଦେଲେ, ହେଲେ ରାତି ସାରା ଶୋଇ ପାରିନଥିଲେ ସେ। କାରଣ ପୁତୁରା ଯେ ଥିଲା ରକ୍ତର ସମ୍ପର୍କ। ପୁଣି ପୁଲିସ୍‌ ହାତରେ ଧରାପଡ଼ିଯିବାର ଥିଲା ଭୟ। ସେଥିପାଇଁ ମାନସିକ ଦୁଶ୍ଚିନ୍ତାରେ କଟିଥିଲା ରାତି। କେବଳ ସେ ନୁହନ୍ତି, ତାଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ରାତି ସାରା ଶୋଇପାରି ନଥିଲେ। ହେଲେ ସକାଳ ହେଉ ହେଉ ଘଟଣା ପ୍ରଘଟ ହେଲା। ଆଉ ଧରାପଡ଼ିଗଲେ ଶିବ ବାଗ। ଝିକଝିକି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ବରଗଡ଼ ପୁଲିସ୍‌। ଶିବ ବାଗ, ତାଙ୍କ ପତ୍ନୀ ପାର୍ବତୀ ଓ ପୁଅ ନକୂଳକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ବଡ଼ଗଡ଼ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର।

ଭଟଲି ଥାନା ଅନ୍ତର୍ଗତ ଝିକଝିକି ଗାଁର ଶିବ ବାଗ ଓ ତାଙ୍କ ପୁତୁରା ଗୁରୁଦେବ ବାଗ ଘରର ଗୋଟିଏ ଛାତ ତଳେ ଅଲଗା ଅଲଗା ରହୁଥିଲେ। ହେଲେ ପୂରା ଘରକୁ କବ୍‌ଜା କରିବା ପାଇଁ ଚାହୁଁଥିଲେ ଶିବ। ମାତ୍ର ତାଙ୍କ ପୁତୁରା ଗୁରୁଦେବ ବାଗ୍‌ ପ୍ରତିବାଦ କରୁଥିଲେ। ସମ୍ପତ୍ତିକୁ ସମାନ ଭାଗ କରିବା ପାଇଁ ଦାବି କରୁଥିଲେ। ଏହାକୁ ନେଇ କକା-ପୁତୁରାଙ୍କ ମଧ୍ୟ ତିକ୍ତତା ଲାଗି ରହିଥିଲା। ଗତ ୨୨ ତାରିଖ ସକାଳେ ବିବାଦ ସମାଧାନ କରିବା ପାଇଁ ଗାଁରେ ବୈଠକ ବସିଥିଲା। ମାତ୍ର ଆଲୋଚନା ବେଳେ କକା-ପୁତୁରାଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଗାଁ ଲୋକଙ୍କ ଆଗରେ ମୁହାଁମୁହିଁ ହୋଇଥିଲା କକା-ପୁତୁରା। ପରେ ଶିବ ଘରକୁ ଫେରିଥିଲେ। ଗୁରୁଦେବଙ୍କୁ ରାସ୍ତାରୁ ହଟାଇବା ପାଇଁ ପୁଅ ନକୂଳ ଓ ପତ୍ନୀ ପାର୍ବତୀଙ୍କ ସହିତ କରିଥିଲେ ଯୋଜନା। ଗୁରୁଦେବଙ୍କ ପରିବାରକୁ ସଫା କରିବା ପାଇଁ ଦେ ନିଷ୍ପତ୍ତି ନେଇଥିଲେ। ହତ୍ୟା ପରେ ସବୁ ଦୋଷ ନିଜ ମୁଣ୍ଡକୁ ନେବେ ବୋଲି ନିଷ୍ପତ୍ତି ନେଇଥିଲେ ଶିବ।

ଗତ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଘରେ ନଥିଲେ ଗୁରୁଦେବ ଓ ତାଙ୍କ ପୁଅ ଚୂଡାମଣି। ପତ୍ନୀ ଶିବାଙ୍ଗୀ ଓ ଝିଅ ଶ୍ରାବଣୀ ରୋଷେଇ ଘରେ ଥିଲେ। ଠିକ୍‌ ସେହି ସମୟରେ ଶାବଳ ଧରି ଘରେ ପଶିଥିଲେ ଶିବଙ୍କ ପୁଅ ନକୂଳ। ମାଆ ଓ ଝିଅଙ୍କୁ ପିଟିପିଟି ହତ୍ୟା କରିଥିଲେ ସେ। କିଛି ସମୟ ପରେ ଘରକୁ ଆସିଥିଲେ ଚୂଡାମଣି। ତାଙ୍କୁ ପଛ ପାର୍ଶ୍ୱରୁ ଧରି ପକାଇଥିଲେ ନକୂଳ। ପାଖରେ ଛିଡ଼ା ହୋଇଥିବା ଶିବ ଏକ ଶାବଳରେ ଚୂଡ଼ାମଣିଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। କିଛି ସମୟ ପରେ ଘରକୁ ଆସିଥିଲେ ଗୁରୁଦେବ। ପୂର୍ବରୁ ପ୍ରସ୍ତୁତ ଥିବା ଶିବ, ପତ୍ନୀ ପାର୍ବତୀ ଓ ପୁଅ ନକୂଳ ମିଶି ଶାବଳ ଏବଂ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ।

ଗୁରୁଦେବ, ତାଙ୍କ ପତ୍ନୀ ଶିବାଙ୍ଗୀ, ଝିଅ ଶ୍ରାବଣୀ ଓ ପୁଅ ଚୂଡ଼ାମଣିଙ୍କୁ ହତ୍ୟା କରିବା ପରେ ମୃତଦେହଗୁଡ଼ିକୁ ଗୋଟିଏ ଘରେ ପକାଇ ଦେଇଥିଲେ ଶିବ। ଆଉ ପ୍ରମାଣ ନଷ୍ଟ କରିବା ପାଇଁ ରୋଷେଇ ଘର ଓ ବଙ୍ଗଳାରେ ପଡ଼ିଥିବା ରକ୍ତ ଛିଟା ସଫା କରିଦେଇଥିଲେ। କିନ୍ତୁ ସେଦିନ ରାତିରେ ସେମାନେ ଘରେ ଶୋଇ ପାରିନଥିଲେ। ରାତି ସାରା ସେମାନେ ଅନିଦ୍ରା ରହିଥିଲେ। ତା’ପର ଦିନ ଅର୍ଥାତ ୨୩ ତାରିଖ (ମଙ୍ଗଳବାର) ସକାଳେ ଶିବ ସରପଞ୍ଚଙ୍କ ଘରକୁ ଯାଇଥିଲେ। ଗୁରୁଦେବକୁ ଫୋନ୍‌ କରିବା ପାଇଁ କହିଥିଲେ।

ତା’ପୂର୍ବରୁ ସରପଞ୍ଚ ହତ୍ୟା ନେଇ କିଛି ସୁରାଗ ପାଇଥିଲେ। ଏନେଇ ସେ ପୁଲିସ୍‌କୁ ଜଣାଇ ଦେଇଥିଲେ। ପୁଲିସ୍‌ ଗାଁରେ ପହଞ୍ଚି ମୃତଦେହ ଜବତ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହୀ ଆଖି ଯାଇଥିଲା ଶିବଙ୍କ ପରିବାର ଲୋକଙ୍କ ଉପରେ। ପୁଲିସ୍‌ ପ୍ରଥମେ ଶିବକୁ ଉଠାଇ ଆଣି ପଚରାଉଚରା କରିଥିଲା। ଶିବ ବେଶୀ ସମୟ ମୁହଁ ବନ୍ଦ କରି ରଖିପାରିନଥିଲା। ଜେରା ବେଳେ ସବୁ ଗୋଟି ଗୋଟି କଥା କହିପକାଇଥିଲା। ଏହା ପରେ ପୁଲିସ୍‌ ଶିବଙ୍କ ପତ୍ନୀ ପାର୍ବତୀ ଓ ପୁଅ ନକୂଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ବରଗଡ଼ ଅତିରିକ୍ତ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ମିଶ୍ର।

ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା

Related story