Advertisment

ଆଖିଫୁଟା ଗାଁରେ ଚାଞ୍ଚଲ୍ୟ: ଘରେ ପଡ଼ିଛି ସ୍ୱାମୀ ଓ ଦୁଇ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ

ପୁଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
village

village

ବରଗଡ଼ ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଆଖିଫୁଟା ଗାଁରେ ଏକ ଘରେ ଜଣେ ବ୍ୟକ୍ତି ଓ ତାଙ୍କର ଦୁଇ ସ୍ତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ କରାଯାଇଛି। ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତେବେ ଏହି ଘଟଣା କେମିତି ଘଟିଲା, ତାହା ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛି। ପ୍ରାଥମିକ ତଦନ୍ତରୁ ଏହା ହତ୍ୟାକାଣ୍ଡ ବୋଲି ପୁଲିସ୍ ଅନୁମାନ କରୁଛି। 

Advertisment

ମୃତକମାନେ ହେଉଛନ୍ତି- ଟଙ୍କଧର ସାହୁ ଓ ତାଙ୍କର ଦୁଇ ପତ୍ନୀ ମାଧବୀ ସାହୁ ଏବଂ ଦ୍ରୌପଦୀ ସାହୁ।

ଗାଁ ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଥମ ପତ୍ନୀଙ୍କର ଛୁଆପିଲା ନ ହେବାରୁ ଟଙ୍କଧର ଦ୍ୱିତୀୟ ବିବାହ କରିଥିଲେ। ସେମାନେ ସମସ୍ତେ ଏକାଠି ରହୁଥିଲେ। ତାଙ୍କ ପରିବାରରେ କଳିଝଗଡ଼ା ହେବାର କେହି କେବେ ଦେଖି ନାହାନ୍ତି। ଆଜି ସକାଳୁ ଟଙ୍କଧରଙ୍କ ଘର ବନ୍ଦ ରହିଥିଲା। ତାଙ୍କର ପରିବାରର କୌଣସି ସଦସ୍ୟଙ୍କୁ ପଡ଼ୋଶୀମାନେ ବାହାରେ ଦେଖି ନଥିଲେ। ସନ୍ଦେହ ହେବାରୁ ଅପରାହ୍ଣରେ ପାଖପୋଡ଼ଶୀ ଆସି ଘରର କବାଟ ବାଡ଼େଇଥିଲେ। କିନ୍ତୁ କେହି ଖୋଲି ନଥିଲେ। ତେଣୁ ସେମାନଙ୍କର ସନ୍ଦେହ ହୋଇଥିଲା। ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସିବା ପରେ ଘରର ପଛଦ୍ୱାର ଦେଇ ଘରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା।

Advertisment

ଘଟଣାସ୍ଥଳରେ ଯାଞ୍ଚ କରିବା ସହିତ ଗାଁ ଲୋକଙ୍କୁ ପୁଲିସ୍ ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରିବା ପରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯିବ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁ କେମିତି ହୋଇଛି, ତାହା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।

Baragarh