Advertisment

ଠକ ଜଣେ କଳାପ୍ରେମୀ, ଠକେଇ ଟଙ୍କାରେ ଗଢ଼ିଥିଲା ଯାତ୍ରା ପାର୍ଟି

ରଞ୍ଜନ ଘରୁ ପୁଲିସ ୟୁନିଫର୍ମ, ଡାକ୍ତରମାନେ ବ୍ୟବହାର କରୁଥିବା ଧଳା ଆପ୍ରୋନ୍‌, ଷ୍ଟେଥୋସ୍କୋପ୍‌, କିଛି ନାମଫଳକ ମିଳିଛି।

author-image
Manoranjan Sial
undefined

Jatra Dance

କମିଶନରେଟ୍‌ ପୁଲିସ ଆଜି ଜଣେ କଳା ପ୍ରେମୀ ଠକକୁ ବାନ୍ଧିଛି! ଯିଏ ଚାକିରି କରାଇଦେବାକୁ କହି ଶିକ୍ଷିତ ଯୁବକ ଓ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିଲା। ଆଉ ସେହି ଅର୍ଥରେ ଅୟସ୍‌ କରୁଥିଲା। ଗଢ଼ିଥିଲା ‘ଭାରତ ଅପେରା’ ଯାତ୍ରା ପାର୍ଟି। ଏମିତି ଜଣେ କଳା ପ୍ରେମୀ ଠକ ହେଉଛନ୍ତି ରଞ୍ଜନ କୁମାର ନାୟକ। ଏନେଇ ସୂଚନା ଦେଇଛି କମିଶନରେଟ୍‌ ପୁଲିସ୍‌।

Advertisment

ପୁଲିସ୍‌ର କହିବା ଅନୁସାରେ ବହୁ ରୂପୀ ଠକ ରଞ୍ଜନ କୁମାର ନାୟକଙ୍କ ଘର କଟକ ସଦର ଥାନା ବାଲିକୁଦା ଅଞ୍ଚଳରେ। ଗ୍ରାଜୁଏସନ୍‌ ପାସ୍‌ କରିଥିବା ରଞ୍ଜନ ଘରୁ ପଳାଇ ଆସି ପାହାଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲା। ସେଠାରେ ଦୁଇ ବର୍ଷ ଧରି ରହିଥିଲା। ହେଲେ ଗତ ୭ରୁ ୮ ଦିନ ହେଲା ସେ ପ୍ରତାପ ନଗରରେ ରହୁଥିଲା।

ଭୁବନେଶ୍ୱରକୁ ଆସିବା ପରେ ଠକେଇ ଆରମ୍ଭ କରିଥିଲା ରଞ୍ଜନ। ସେ ନିଜକୁ କେତେବେଳେ ଡାକ୍ତର କହୁଥିଲା ତ ଆଉ କେତେବେଳେ ନିଜକୁ ପୁଲିସ୍‌ ଇନ୍ସପେକ୍ଟର ପରିଚୟ ଦେଉଥିଲା। ଆଉ କେତେବେଳେ କ୍ରାଇମବ୍ରାଞ୍ଚ ବା ଆଇବି ଅଧିକାରୀର ପରିଚୟ ଦେଉଥିଲା। ପରବର୍ତ୍ତୀ ସମୟରେ ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଚାକିରି ଦେବାକୁ କହି ଠକୁଥିଲା।

Advertisment

ରଞ୍ଜନର ମାୟା ଜାଲରେ ଫସି ଯାଇଥିଲେ ରାଉରକେଲାର ମୂଳ ବାସିନ୍ଦା ତଥା ଭରତପୁର ଅଞ୍ଚଳରେ ରହୁଥିବା ଅକ୍ଷୟ କୁମାର ମହାନ୍ତ। ନିଜକୁ ପୁଲିସ୍‌ ଇନ୍ସପେକ୍ଟର କହୁଥିବା ରଞ୍ଜନଙ୍କର ହାଇକୋର୍ଟରେ ଭଲ ସମ୍ପର୍କ ରହିଥିବା କହିଥିଲା। ସେଠାରେ ଏଏସ୍‌ଓ ଚାକିରି କରାଯାଇ ଦେବାକୁ କହିଥିଲା। ସେଥିପାଇଁ ବିଭିନ୍ନ କିସ୍ତିରେ ସେ(ରଞ୍ଜନ) ୮ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲା। ତେବେ ଏଏସ୍‌ଓ ରେଜଲ୍ଟ ବାହାରିବା ବେଳେ ଅକ୍ଷୟଙ୍କ ନାଁ ନଥିଲା। ତେଣୁ ସେ ରଞ୍ଜନଙ୍କ ସହ ଯୋଗାଯୋଗ କରିଥିଲା।

Ranjan ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ

ଚାଲବାଜ୍‌ ରଞ୍ଜନ ହାଇକୋର୍ଟଙ୍କ ନାଁରେ ଗୋଟିଏ ମିଥ୍ୟା ନିଯୁକ୍ତିପତ୍ର ଅକ୍ଷୟଙ୍କୁ ଦେଇଥିଲା। ତେବେ ସେହି ନିଯୁକ୍ତିପତ୍ରରେ ଅକ୍ଷୟଙ୍କ ନାଁର ସ୍ପେଲିଂ ଭୁଲ୍‌ କରି ଦେଇଥିଲା। ତେଣୁ ଅକ୍ଷୟଙ୍କର ମନରେ ସନ୍ଦେହ ହୋଇଥିଲା। ଏହା ପରେ ଖୋଳତାଡ କରିବାରୁ ଜାଣିପାରିଲେ ଯେ, ସେ ଠକାମିରେ ଶିକାର ହୋଇଛନ୍ତି। ଗତ ୧୫ ତାରିଖରେ ଅକ୍ଷୟ ଏନେ କମିଶନରେଟ୍‌ ପୁଲିସ୍‌ରେ ଅଭିଯୋଗ କରିଥିଲେ। ସମାନ ଢ଼ଙ୍ଗରେ ଅଭିଯୋଗ କରିଥିଲେ ଧରଣୀଧର ପଣ୍ଡା। ଉଭୟଙ୍କଠାରୁ ରଞ୍ଜନ ୧୬ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଥିଲା।

ଉଭୟ ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ପାଇଁ ଟିମ୍‌ ଗଠନ କରିଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶେଷରେ ରଞ୍ଜନକୁ ବାନ୍ଧି ଥିଲା। ତା’ ଘରୁ ପୁଲିସ ୟୁନିଫର୍ମ, ଡାକ୍ତରମାନେ ବ୍ୟବହାର କରୁଥିବା ଧଳା ଆପ୍ରୋନ୍‌, ଷ୍ଟେଥୋସ୍କୋପ୍‌, କିଛି ନାମଫଳକ (ଯଥା-ଇନ୍ସପେକ୍ଟ ନୀହାର ରଞ୍ଜନ ତ୍ରିପାଠୀ, ଇନ୍ସପେକ୍ଟ ନୀହାର ରଞ୍ଜନ ନାୟକ, କନ୍‌ଷ୍ଟେବଲ ଯୋଗେନ୍ଦ୍ର ଲାକ୍ରା) ପୁଲିସ୍‌ ଜବତ କରିଛି।

ଏସିପି ଏସ୍‌ଏନ୍‌ ମୁଦୁଲିଙ୍କ କହିବା ଅନୁସାରେ ରଞ୍ଜନ ସମ୍ୱଲପୁର, ବରଗଡ଼, କଳାହାଣ୍ଡି ଜିଲ୍ଲାରେ ବହୁ ଲୋକଙ୍କୁ ଠକିଛି। ଏହିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ତଦନ୍ତ ଚାଲିଛି। ଠକେଇ ଟଙ୍କାରେ ଭାରତ ଅପେରା କରିଛି। ଯାହାର ଅଫିସ୍‌ ଧାକୁଲେଇ ପୀଠ ପାଖରେ ରହିଛି। ସେଠାରେ ମଧ୍ୟ ଚଢ଼ଉ କରାଯିବ ବୋଲି ଏସିପି କହିଛନ୍ତି।

Bhubaneswar News Cuttack Commissionerate Police Jatra Artiste