Advertisment

ସରପଞ୍ଚ ଫେରାର, ଭତ୍ତା ପାଇନାହାନ୍ତି ୨୨୦ ହିତାଧିକାରୀ

ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଉଥିବା ୨୨୦ ଜଣ ହିତାଧିକାରୀ ପଞ୍ଚାୟତ ଅଫିସ୍‌ ଆସି ନିରାଶ ହୋଇ ଫେରୁଛନ୍ତି।

ଅଦ୍ୟତନ ହୋଇଛି
Bhadrak

Bhadrak

Advertisment

ରାଜ୍ୟ ସରକାର ଡିବିଟି ସିଷ୍ଟମ୍‌ ଖତମ କରିଥିଲେ। ହିତାଧିକାରୀଙ୍କ ହାତରେ ଭତ୍ତା ଟଙ୍କା ଦେବା ପାଇଁ ଘୋଷଣା କରିଥିଲା। ହେଲେ ସେଥିରେ ଦେଖାଦେଇଛି ଅବ୍ୟବସ୍ଥା। ସରପଞ୍ଚ ଫେରାର ହୋଇଯାଇଥିବାରୁ ମଧୁବାବୁ ପେନ୍‌ସନ୍‌ ପାଉଥିବା ୨୨୦ ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରତିଦିନ ପଞ୍ଚାୟତ ଅଫିସ୍‌ ଆସି ନିରାଶ ହୋଇ ଫେରୁଛନ୍ତି। ଆଜି ଏପରି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରୁ।

Advertisment

ଦୋବଲ ପଞ୍ଚାୟତ ସୋଧର ପଦନ ସାହୁ। ୮୨ ବର୍ଷୀୟ ପଦନଙ୍କ ଏକମାତ୍ର ଭରସା ଭତ୍ତା ଟଙ୍କା ଓ ରାସନ ଚାଉଳ। ଗତ ୪ ମାସ ହେଲା ଭତ୍ତା ମିଳୁନାହିଁ। ଏଇଥର ମେ’ ୧୫ ତାରିଖରେ ମିଳିବାର ଥିଲା। ହେଲେ ବିଳମ୍ବ ହେବାରୁ ମେ’ ୩୧ ତାରିଖରେ ମିଳିବ ବୋଲି କୁହାଯାଇଥିଲା। ଏମିତି ତିନିଦିନ ହେଲା ଆଜି ମିଳିବ, କାଲି ମିଳିବ ଆଶାରେ ପଞ୍ଚାୟତ ଅଫିସ ଆସି ଫେରୁଛନ୍ତି ପଦନ।

ସମାନ ଦଶା ଭୋଗୁଛନ୍ତି ହେମନ୍ତ ଦଳେଇ। ସେ ଜଣେ ଭିନ୍ନକ୍ଷମ। ଆଶାବାଡ଼ି ଧରି ତିନି ଦିନ ହେଲା ପଞ୍ଚାୟତ ଅଫିସ ଆସି ଫେରିକି ଯାଉଛନ୍ତି। ପୂର୍ବରୁ ଭତ୍ତା ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସୁଥିଲା। ହେଲେ ଗୋଳମାଳ ହେବାରୁ ଭତ୍ତା ଟଙ୍କା ହିତାଧିକାରୀଙ୍କ ହାତରେ ଦିଆଯିବ ବୋଲି କିଛିଦିନ ତଳେ ରାଜ୍ୟ ସରକାର ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ଏ ନିଷ୍ପତ୍ତି ପରେ ହେମନ୍ତ ଭାବିଥିଲେ ଆଉ କିଛି ଅସୁବିଧା ହେବ ନାହିଁ। ହେଲେ ସେହି ଆଶା ଫସର ଫାଟିଛି। ଭତ୍ତା ଟଙ୍କା ପାଇଁ ପ୍ରତିଦିନ ପଞ୍ଚାୟତ ଅଫିସ ଆସି ନିରାଶ ହୋଇ ଫେରୁଛନ୍ତି।

Advertisment

ଭତ୍ତା ଟଙ୍କା ପାଇଁ ଦୋବଲ ପଞ୍ଚାୟତର କେବଳ ପଦନ ଓ ହେମନ୍ତ ସମସ୍ୟାରେ ପଡ଼ି ନାହାଁନ୍ତି। ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଭତ୍ତା ପାଇବାକୁ ଥିବା ୨୨୦ ଜଣ ହିତାଧିକାରୀ ସମ ଦଶା ଭୋଗୁଛନ୍ତି। ଭତ୍ତା ପାଇଁ ପଞ୍ଚାୟତ ଅଫିସ୍‌ ଆସି ନିରାଶ ହୋଇ ଫେରୁଛନ୍ତି। ଯେଉଁଥିପାଇଁ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଯେଉଁମାନେ କେନ୍ଦ୍ର ସରକାରଙ୍କ ଯୋଜନାରେ ଭତ୍ତା ପାଉଛନ୍ତି, ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସି ସାରିଲାଣି।

ସୂଚନାରୁ ପ୍ରକାଶ, ପଞ୍ଚାୟତରେ ଦିଆଯାଉଥିବା ଭତ୍ତା ଟଙ୍କା ଉଭୟ ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କ ନାଁରେ ଆସିଥାଏ। ଦୁହେଁ ବ୍ୟାଙ୍କରୁ ଉଠାଇ ହିତାଧିକାରୀଙ୍କୁ ବାଣ୍ଟିଥାନ୍ତି। ହେଲେ ଗତ ୨୬ ତାରିଖରେ ହୋଇଥିବା ଏକ ଗଣ୍ଡଗୋଳ ପରେ ପୁଲିସ ମାମଲା ହେବାରୁ ସରପଞ୍ଚ ଅଶୋକ ପଣ୍ଡା ଫେରାର ଅଛନ୍ତି। ସେ ପଞ୍ଚାୟତ ଆସୁନାହାନ୍ତି। ତେଣୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କର ଏକୁଟିଆ ଟଙ୍କା ଉଠାଇ ପାରୁନାହାନ୍ତି। ଯାହା ଫଳରେ ଲୋକମାନେ ପଞ୍ଚାୟତ ଅଫିସକୁ ଆସି ଫେରୁଛନ୍ତି।

ସେପଟେ ଭତ୍ତା ଟଙ୍କା ବାଣ୍ଟିବା ନେଇ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କର କହିଛନ୍ତି ଯେ, ଜଏଣ୍ଟ ଆକାଉଣ୍ଟରେ ଟଙ୍କା ରହିଛି। ସରପଞ୍ଚ ନଥିବାରୁ ଉଠି ପାରୁନାହିଁ। ଏ ବାବଦରେ ବିଡିଓ ବନବିହାରୀ ଦିଣ୍ଡାଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ବିକଳ୍ପ ବ୍ୟବସ୍ଥା କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କର କହିଛନ୍ତି।

Bhadrak News Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe