Advertisment

Kidnap: ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଉଠାଇ ନେଲେ ଟ୍ରକ୍ ଡ୍ରାଇଭର, ସିସିଟିଭିରେ ପୂରା ଦୃଶ୍ୟ କଏଦ

ବର୍ଷା ରାତିରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ବନ୍ଦ ଦୋକାନର ବରଣ୍ଡାରୁ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଅପହରଣ କରାଯାଇଛି। ଅପହରଣର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓଟି ଭାଇରାଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

author-image
Jitendra Garnayak
Abduction

ଅପହରଣ ବେଳର ଦୃଶ୍ୟ Photograph: (OR)

ବର୍ଷା ରାତିରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ବନ୍ଦ ଦୋକାନର ବରଣ୍ଡାରୁ ଜଣେ ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଅପହରଣ କରାଯାଇଛି। ଅପହରଣର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓଟି ଭାଇରାଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment

ଗତ ବୁଧବାର ଭଦ୍ରକର ଚରମ୍ପା ଫାଣ୍ଡି ଛକ ନିକଟରେ ଘଟିଛି ଏହି ଘଟଣା। ସେତେବେଳକୁ ରାତି ପ୍ରାୟ ସାଢ଼େ ୧୨ଟା। ବର୍ଷା ହେଉଥାଏ। ୧୬ ନମ୍ବର ଜାତୀୟ ରାଜପଥରେ କାଁ ଭାଁ ଗାଡ଼ି ଯା’ଆସ କରୁଥା’ନ୍ତି। ସେଠାରେ ବନ୍ଦ ଥିବା ଏକ ଦୋକାନର ବାରଣ୍ଡାରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ଛିଡ଼ା ହୋଇଥା’ନ୍ତି। ପାଖରେ ଏକ ବ୍ୟାଗ ରଖିଥା’ନ୍ତି। ବର୍ଷା ଯୋଗୁ ସେ ସେଠାରେ ଆଶ୍ରୟ ନେଇଥିବା ଭଳି ମନେ ହେଉଥିବା ବେଳେ ତାଙ୍କ ଉପରେ ଖରାପ ନଜର ପକାଇଥିଲେ ଏକ ଟ୍ରକ୍‌ର ଡ୍ରାଇଭର। ଟ୍ରକରେ ଡ୍ରାଇଭରଙ୍କ ବ୍ୟତୀତ ହେଲ୍‌ପର ବି ଥାଇପାରନ୍ତି। ତଦନ୍ତ ପରେ ତାହା ସ୍ପଷ୍ଟ ହେବ।

ଟ୍ରକ୍‌ଟି ସେହି ଦୋକାନ ଅତିକ୍ରମ କରି ଯାଇଥିବା ବେଳେ ହଠାତ୍ ରହିଯାଇଥିଲା ଓ ଧୀରେ ଧୀରେ ପଛକୁ ଆସିଥିଲା। ଦୋକାନର ପ୍ରାୟ ସାମ୍ନାରେ ଗାଡ଼ିଟି ରହିଥିଲା। ଏହା ପରେ ଗାମୁଛା ପିନ୍ଧିଥିବା ଯୁବକ ତା’ ଭିତରୁ ବାହରିଥିଲେ। ଡିଭାଇଡର ଡେଇଁ ଧୀରେ ଧୀରେ ରାସ୍ତା ଅତିକ୍ରମ କରିଥିଲେ। ହୁଏତ ସେତେବେଳକୁ ବନ୍ଦ ଦୋକାନରେ ଆଶ୍ରୟ ନେଇଥିବା ମାନସିକ ଭିନ୍ନକ୍ଷମ ମହିଳା ଜଣଙ୍କ ବିପଦ ଆଶଙ୍କା କରିସାରିଥିଲେ। ସେ ବ୍ୟାଗ ଧରି ସେଠାରୁ ଚାଲିଯିବାକୁ ପ୍ରୟାସ କରିଥିଲେ। କିନ୍ତୁ ହଠାତ୍ ସେ ବ୍ୟକ୍ତି ଜଣଙ୍କ ଦୌଡ଼ି ଆସି ତାଙ୍କୁ ଚାପି ଧରିଥିଲେ। ମହିଳା ଜଣଙ୍କ ଚିତ୍କାର କରୁଥିବା ବେଳେ ସେ ତାଙ୍କ ପାଟି ବନ୍ଦ କରିଦେବାକୁ ପ୍ରୟାସ କରିଥିଲେ। ପରେ ସେ ମହିଳାଙ୍କୁ ଉଠାଇ ନେଇ ଟ୍ରକ୍‌ ନିକଟକୁ ଦୌଡ଼ି ଯାଇଥିଲେ ଓ ପରେ ଟ୍ରକ୍‌ଟି ସେଠାରୁ ଆଗକୁ ବଢ଼ିଥିଲା। 

Advertisment

ପୁଲିସ ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ବିଭିନ୍ନ ସ୍ଥାନରେ ଛାନଭିନ କରିଛି। ଭଦ୍ରକର ଅତିରିକ୍ତ ଏସ୍‌ପି ଅରୁପ ଅଭିଷେକ ବେହେରା କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ସିସିଟିଭିରେ ଟ୍ରକ୍‌ଟି ପୂରା ଚିହ୍ନଟ ହୋଇପାରୁନାହିଁ। ଉକ୍ତ ବ୍ୟକ୍ତିଙ୍କୁ ଓ ଟ୍ରକ୍‌କୁ ଚିହ୍ନଟ କରିବା ପାଇଁ ବିଭିନ୍ନ ଟ୍ରକ୍‌ ମାଲିକ ସଂଘ ଓ ଡ୍ରାଇଭର ସଂଘ ସହିତ ଯୋଗାଯୋଗ କରାଯାଉଛି।