ଆମ ୩ ଛୁଆଙ୍କୁ ଠକି ଦେଲେ ବାପା-ମା’...

ଭଦ୍ରକ(ପାର୍ଥ ସାରଥୀ ନାୟକ):  ମହାମାରୀ ଉଜାଡି ଦେଇଛି ସୁଖ-ଦୁଃଖର ସଂସାର । ଆଉ ଛାଡି ଦେଇ ଯାଇଛି ସଂସାରର ବୋଝ । ଅନାଥ ହୋଇଛନ୍ତି ୩ ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ  କେଉଁ ଅଜଣା ରୋଗରେ ବୋହୂ ଆରପାରିକୁ ଚାଲିଯାଇଥିବାବେଳେ ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ଛଡାଇନେଇଛି ଏକ ମାତ୍ର ରୋଜଗାରିଆ ପୁଅକୁ । ପୁଅ ବୋହୂକୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ବୟସର ଅପରାହ୍ନରେ […]

8mn

Tapas Behera
  • Published: Tuesday, 15 June 2021
  • , Updated: 15 June 2021, 05:54 PM IST

ଭଦ୍ରକ(ପାର୍ଥ ସାରଥୀ ନାୟକ):  ମହାମାରୀ ଉଜାଡି ଦେଇଛି ସୁଖ-ଦୁଃଖର ସଂସାର । ଆଉ ଛାଡି ଦେଇ ଯାଇଛି ସଂସାରର ବୋଝ । ଅନାଥ ହୋଇଛନ୍ତି ୩ ସନ୍ତାନ । ଠିକ ଗୋଟିଏ ବର୍ଷ ପୂର୍ବେ  କେଉଁ ଅଜଣା ରୋଗରେ ବୋହୂ ଆରପାରିକୁ ଚାଲିଯାଇଥିବାବେଳେ ଏଇ ମାତ୍ର କିଛି ଦିନ ତଳେ କରୋନା ମହାମାରୀ ଛଡାଇନେଇଛି ଏକ ମାତ୍ର ରୋଜଗାରିଆ ପୁଅକୁ । ପୁଅ ବୋହୂକୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡିଥିବା ବେଳେ ବୟସର ଅପରାହ୍ନରେ ପହଂଚିଥିବା ଏହି ବୃଦ୍ଧଦମ୍ପତିଙ୍କ ପାଇଁ ଅନାଥ ହୋଇଥିବା ୩ ସନ୍ତାନ-ସନ୍ତତି ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି ।  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରାମରୁ ଆସିଛି ଏମିତି କରୁଣ କାହାଣୀ। ତେବେ ଏଭଳି ସ୍ଥିତିରେ ସରକାରଙ୍କ ସାହାଯ୍ୟ ଓ ସହଯୋଗ ପାଇଁ ଆକୁଳ ନିବେଦନ କରିଛନ୍ତି ଏହି ବୃଦ୍ଧ ଦମ୍ପତି ।

ଏହି ଗ୍ରାମର ଶୁକଦେବ ନାଥ ଓ ପତ୍ନୀ ବିଜୟା ନାଥଙ୍କ ଏକ ମାତ୍ର ପୁଅ ମନୋଜ ଓ ତାଙ୍କ ସ୍ତ୍ରୀ କନକଲତା ଓ ୨ ନାତୁଣୀ, ନାତିକୁ ନେଇ ତାଙ୍କ ପରିବାର । ଏକ ମାତ୍ର ରୋଜଗାରିଆ ପୁଅ ମନୋଜ ଅଟୋ ଚଳାଇ ପରିବାରର ଭରଣପୋଷଣ କରୁଥିଲେ।  କରୋନାରେ ଆକ୍ରାନ୍ତ ହୋଇ ଭଦ୍ରକ କୋଭିଡ କେୟାର ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଚଳିତ ଜୁନ ମାସ  ୩ ତାରିଖ ଦିନ ମନୋଜଙ୍କ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମର ଶରୀରକୁ ଗାଁକୁ ନ ଆଣି ଜିଲ୍ଲା ପ୍ରଶାସନ ପକ୍ଷରୁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏଭଳି ଖବର ସମ୍ପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଥିବା ବେଳେ, ଏକ ମାତ୍ର ପୁଅକୁ ହରାଇ ବୃଦ୍ଧ ଦମ୍ପତି ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି । ପୂର୍ବରୁ ବୋହୂ କନକଲତା ଗୋଟିଏ ବର୍ଷ ପୂର୍ବେ କରୋନା ମହାମାରୀ ସମୟରେ କେଉଁ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିଲେ। ଏଵେ ପୁଅକୁ ହରାଇ ବୃଦ୍ଧ ଦମ୍ପତିଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।

ଅନ୍ୟପଟେ କୌଣସି ରୋଜଗାର ନ ଥିବା ଏହି ବୃଦ୍ଧ ଦମ୍ପତିଙ୍କ ପାଇଁ ଏହି ୩ଟି ସନ୍ତାନ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏଭଳି ସ୍ଥିତିରେ ଏହି ୩ ନାତି ନାତୁଣୀଙ୍କ ଭରଣପୋଷଣ ଚିନ୍ତାରେ ଶୁକଦେବ ସାହାଯ୍ୟ ସହଯୋଗକୁ ଅନାଇ ବସିଛନ୍ତି । ଅନ୍ୟପକ୍ଷରେ ଏହି ପରିବାରକୁ ତୁରନ୍ତ ସରକାରୀ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ମନୋଜ ଅଟୋଚାଳକ ଭାବେ ବେଶ ପ୍ରସିଦ୍ଧି ଲାଭ କରିଥିଲେ ତାଙ୍କୁ ଯେତେବେଳେ ଯେଉଁଠି ଡାକନ୍ତି ସେଠି ପହଞ୍ଚି ଯାଆନ୍ତି । ଅଟୋ ଚଲଉଥିଲେ ସତ ତାରି ଭିତରେ ସେ ସମାଜସେବା କରୁଥିଲେ ।ସ୍ଥାନୀୟ ସରପଞ୍ଚ କହିଛନ୍ତି ମନୋଜଙ୍କ ପରିବାରକୁ ଯେପରି ସରକାରୀ ସହାୟାତା ମିଳି ପାରିବ ସେ ନେଇ ସେ ଚେଷ୍ଟା କରିଛନ୍ତି ।

ଅନ୍ୟପକ୍ଷରେ ମନୋଜଙ୍କ କରୋନାରେ ମୃତ୍ୟୁ ହେବା ପରେ ଏକ ସ୍ୱତନ୍ତ୍ର ଟିମ ମନୋଜଙ୍କ ଘରକୁ ଯାଇ ସବିଶେଷ ତଥ୍ୟ ଜିଲ୍ଲାପ୍ରଶାସନକୁ ପ୍ରଦାନ କରିଛି ।  କରୋନା ମହାମାରୀରେ ଅନାଥ ହୋଇଥିବା ପରିବାରଙ୍କ ପ୍ରତି ସରକାରଙ୍କ ସମବେଦନା ସହ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଯଥାଶୀଘ୍ର ଏହି ଅନାଥ ହୋଇଥିବା ପରିବାର ପ୍ରତି, ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story