Advertisment

ସାଂଘାତିକ ଚଞ୍ଚକତା; ବାପା ସମ୍ପତ୍ତିରୁ ଉଡ଼ିଗଲା ଅଧା ଛୁଆଙ୍କ ନାମ

ବାପାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରୁ ଉଡ଼ିଯାଇଛି ଜଣେ ପୁଅ ଓ ୨ ଝିଅଙ୍କ ନାମ । ରାଜସ୍ୱ ନିରୀକ୍ଷକ ଜାଲିଆତି କରି ଏପରି କରିଥିବା ଅଭିଯୋଗ ହେବା ପରେ ବି ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

author-image
Niharika Rout
ଅଦ୍ୟତନ ହୋଇଛି
Demand Justice

Demand Justice

ବାପା ସମ୍ପତ୍ତିରେ ରହିଛି ପୁଅ, ଝିଅଙ୍କ ସମାନ ଭାଗ । ଏନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଥିବା ସତ୍ତ୍ୱେ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି ବ୍ୟତିକ୍ରମ। ବାପାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରୁ ଉଡ଼ିଯାଇଛି ଜଣେ ପୁଅ ଓ ୨ ଝିଅଙ୍କ ନାମ । ରାଜସ୍ୱ ନିରୀକ୍ଷକ ଜାଲିଆତି କରି ଏପରି କରିଥିବା ଅଭିଯୋଗ ହେବା ପରେ ବି ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି ।

Advertisment

ଅଭିଯୋଗରୁ ଜଣାଯାଇଛି, ସ୍ଥାନୀୟ ସୁଦର୍ଶନପୁର ପଞ୍ଚାୟତର କାଳିଚରଣ ନାୟକଙ୍କର ଦୁଇ ପୁତ୍ର ଓ ଚାରି ଝିଅ ଅଛନ୍ତି । ହେଲେ କାଳିଚରଣଙ୍କ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରୁ ଜଣେ ପୁଅ ଓ ଦୁଇ ଝିଅଙ୍କ ନାମ ବାଦ ଦିଆ ଯାଇଥିଲା। ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ସହାୟତାରେ କାଳିଚରଣଙ୍କ ଜଣେ ପୁଅ ଓ ୨ ଝିଅ ଏପରି ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି। ଏପରିକି ସେମାନେ ପୈତୃକ ସମ୍ପତ୍ତି ବିକି ମାଲେମାଲ ହୋଇଥିବା ବେଳେ ଅବଶିଷ୍ଟ ଗୋଟିଏ ପୁଅ ଓ ୨ ଝିଅ ଏଥିରୁ ବାଦ ପଡ଼ିଛନ୍ତି। ଏପରିକି ପିତାଙ୍କ ଜମି ବିକ୍ରି ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇ ନ ଥିବା ତଥା ଅନୁମତି ନିଆଯାଇ ନ ଥିବା ଅଭିଯୋଗ ହୋଇଛି।

ଏହି ଘଟଣାର ଖୋଳତାଡ଼ ହେବା ପରେ ପୈତୃକ ସମ୍ପତ୍ତିରୁ ବାଦ ପଡ଼ିଥିବା ପୁଅ ସ୍ୱର୍ଗତ ଗଣେଶ ନାୟକଙ୍କ ପୁତ୍ର ଗୌରାଙ୍ଗ ନାୟକ ନ୍ୟାୟ ପାଇଁ ସ୍ଥାନୀୟ ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ତଦନ୍ତ ସହ ଏହି ତ୍ରୁଟିର ସଂଶୋଧନ କରାଯିବ ବୋଲି ତହସିଲଦାର ସୌଭାଗ୍ୟ ପଣ୍ଡା କହିଥିଲେ।

Advertisment

ମାତ୍ର ସେ ତତ୍ପରତା ପ୍ରକାଶ କରି କୌଣସି କାର୍ଯ୍ୟାନୁଷ୍ଠାନ ନ ନେଵାରୁ ପୀଡ଼ିତ ପରିବାର ଜିଲ୍ଲାପାଳଙ୍କୁ ଭେଟି ନିଜ ନାର୍ଯ୍ୟ ଦାବି ସମ୍ପର୍କରେ ଅବଗତ କରିଛନ୍ତି। ଏଥିସହ ତୁରନ୍ତ ଉକ୍ତ ଆରଆଇଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏନେଇ ବିଭୂତି ପାଣିଗ୍ରାହୀ ନାମକ ସମାଜସେବୀ କହିଛନ୍ତି, ଜଣେ ସାଧାରଣ ଲୋକଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ରରେ ଆରଆଇ ଦୁର୍ନୀତି କରିଛନ୍ତି। ଉତ୍ତରାଧିକାରୀ ପ୍ରମାଣପତ୍ରରେ ଥିବା ନାଁ ମଧ୍ୟରୁ ଚଞ୍ଚକତା କରି ଅଧା ନାଁ କାଟି ଦେଇଛନ୍ତି। ଏଥିନିମନ୍ତେ ସେ ଗୋଟିଏ ପକ୍ଷ ନିକଟରୁ ଟଙ୍କା ନେଇଥିବା ଜଣାଯାଇଛି। ଫଳରେ ପୈତୃକ ସମ୍ପତ୍ତି ବିକି ଗୋଟିଏ ପକ୍ଷ ମାଲେମାଲ ହୋଇଥିବା ବେଳେ ଅପରପକ୍ଷ ଏଥିରୁ ବଞ୍ଚିତ ହୋଇଛନ୍ତି।

ତୁରନ୍ତ ନ୍ୟାୟ ନ ମିଳିଲେ ନିଜ ଅଧିକାରରୁ ବଞ୍ଚିତ ହୋଇଥିବା ପରିବାର ଅନଶନରେ ବସିବେ ବୋଲି କହିଛନ୍ତି।

Fraud