/odisha-reporter/media/post_attachments/uploadimage/library/16_9/16_9_0/IMAGE_1677219954.jpg)
Railway Office
ଭଦ୍ରକ ଚରମ୍ପା ସ୍ଥିତ ପୂର୍ବତଟ ରେଳବାଇର ବରିଷ୍ଠ ଅନୁଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପ୍ରାୟ ୭ ଲକ୍ଷ ଟଙ୍କାର ଜିନିଷ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସେଠାରେ ଡ୍ୟୁଟିରେ ଥିବା ରେଳ କର୍ମଚାରୀଙ୍କୁ ବାନ୍ଧି କିଛି ଦୁର୍ବୃତ୍ତ ଟ୍ରକ୍ ସାହାଯ୍ୟରେ ତା’ର ଓ ଅନ୍ୟାନ୍ୟ ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ରେଳବାଇ ପୁଲିସ୍ ଘଟଣାର ତଦନ୍ତ କରୁଛି।
ଘଟଣାଟି ଘଟିଛି ଗତ ୨୧ ତାରିଖ ରାତିରେ। ସେଦିନ ରାତିରେ ଏମ୍ଡି କୁରବାନଙ୍କ ଡ୍ୟୁଟି ଥିଲା। ସେ ଅଫିସର ତଳ ମହଲାରେ ଶୋଇବାକୁ ଯାଉଥିବା ବେଳେ ୬ରୁ ୭ ଜଣ ବ୍ୟକ୍ତି ମୁହଁରେ କପଡ଼ା ବାନ୍ଧି ଆସିଥିଲେ। ସେମାନେ କୁରବାନଙ୍କୁ ମାଡ଼ମାରି ଗୋଡ଼ହାତ ବାନ୍ଧି ଦେଇଥିଲେ। ତାଙ୍କ ଚିତ୍କାର ଶୁଣି ସେତେବେଳେ ଅଫିସ୍ର ଉପର ମହଲାରେ ଉପସ୍ଥିତ ଥିବା ଜଣେ ଠିକାଦାରଙ୍କ ଗାଡ଼ି ଡ୍ରାଇଭର ଅଶୋକ ମହାରାଜ ତଳକୁ ଧାଇଁ ଆସିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ କାବୁ କରି ମାଡ଼ମାରି ହାତଗୋଡ଼ ବାନ୍ଧି ଦେଇଥିଲେ। ଏହା ପରେ ସେମାନେ ଅଫିସ୍ର ଷ୍ଟୋର ରୁମ୍ରେ ଥିବା ବିଭିନ୍ନ ବିଦ୍ୟୁତ୍ ସାମଗ୍ରୀ ନେଇ ଯାଇଥିଲେ।
ବିଳମ୍ବିତ ରାତିରେ ରେଳବାଇ ପୁଲିସ୍ ପାଟ୍ରୋଲିଂ କରୁଥିବା ବେଳେ ଅଫିସ୍ ଖୋଲା ଥିବା ଦେଖି ଭିତରକୁ ଯାଇଥିଲା ଓ ଉଭୟ କୁରବାନ ଏବଂ ଅଶୋକ ମହାରାଜଙ୍କୁ ବନ୍ଧା ହୋଇଥିବା ଅବସ୍ଥାରେ ପାଇଥିଲା। ରେଳବାଇ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା।
ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି। ରେଳବାଇ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
