ବାସୁଦେବପୁର(କିର୍ତ୍ତୀ ଦାସ) ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା କମାରଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଏକତରଫା ପ୍ରେମ କରି ଜଣେ ଯୁବକ ବିଫଳ ହେବା ପରେ ଝିଅ ଆଉ ମା’କୁ ନିର୍ମମ ଭାବେ ମାଡ଼ମାରି ଲହୁ ଲୁହାଣ କରିଛି । ଗୁରୁତର ଅବସ୍ଥାରେ ମା ଝିଅଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅଭିଯୋଗରୁ ଜଣାଯାଇଛି, ସମ୍ପୃକ୍ତ ଯୁବତୀଙ୍କୁ ଏହି ଗ୍ରାମର ରମାକାନ୍ଦ ବେହେରା ନାମକ ଜଣେ ଯୁବକ ଦୀର୍ଘ କିଛିଦିନ ଧରି ଏକତରଫା ଭାବେ ଭଲପାଇ ଆସୁଥିଲା ।
ଯାହାକୁ ନେଇ ଯୁବକ ଜଣକ ଯୁବତୀଙ୍କୁ ବହୁ ସମୟରେ ହଇରାଣ କରୁଥିବା ଯୁବତୀଙ୍କ ପରିବାର ଅଭିଯୋଗ କରିଛନ୍ତି । ଆଜି ଯୁବତୀ ଜଣକ କମ୍ପ୍ୟୁଟର କ୍ଲାସ ଶେଷ କରି ଘରକୁ ଫେରୁଥିବା ବେଳେ ଘର ନିକଟରେ ଯୁବକ ଜଣଙ୍କ ତାଙ୍କୁ ଅଟକାଇଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହେବାପରେ ଯୁବକ ଜଣଙ୍କ ଯୁବତୀଙ୍କୁ ବାଡ଼ିରେ ମାଡ଼ମାରି ଲହୁ ଲୁହାଣ କରିଛନ୍ତି ।
ଖବର ପାଇ ଯୁବତୀଙ୍କ ମା ଘଟଣାସ୍ଥଳରେ ପହଞ୍ଚିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ମା । ଉଭୟଙ୍କୁ ମାଡ଼ ମାରିବା ପରେ ଯୁବକ ଜଣକ ଫେରାର ହୋଇଯାଇଛି। ଅନ୍ୟପଟେ ଗୁରୁତର ଅବସ୍ଥାରେ ଉଭୟ ମା ଝିଅଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣା ସମ୍ପର୍କରେ ପରିବାର ଲୋକେ ଥାନାକୁ ଯାଇଥିବା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।