Advertisment

ପୁଣି ଗୋଟିଏ ସନ୍ଦିଗ୍ଧ ପାରା ଧରା ପଡ଼ିଲା

ପାରା ଗୋଡ଼ରେ କିଛି କୋଡ୍‌ ନମ୍ବର ରହିଛି। ତେଣୁ ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

author-image
Hemant Lenka
pigeon

pigeon

ପାରାଦୀପ ଓ ପୁରୀ ପରେ ଏବେ ଭଦ୍ରକରୁ ଧରା ପଡ଼ିଛି ଗୋଟିଏ ସନ୍ଦିଗ୍ଧ ପାରା। ପୂର୍ବ ଦୁଇ ଘଟଣା ପରି ଏଥର ବି ଧରା ପଡ଼ିଥିବା ପାରା ଗୋଡ଼ରେ କିଛି କୋଡ୍‌ ନମ୍ବର ରହିଛି। ତେଣୁ ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉଥିଲା ବୋଲି ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

Advertisment

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବାଲିମେଦ ନୋଡାଲ ସ୍କୁଲରେ ଗୋଟିଏ ସନ୍ଦିଗ୍ଧ ପାରାକୁ ପ୍ରଥମେ ଗାଁର କିଛି ଲୋକ ଦେଖିଥିଲେ। ସ୍କୁଲରେ ପାରଟି ବସିଥିବା ବେଳେ ସୁଶିଲ କୁମାର ମହାନ୍ତି ନାମକ ଜଣେ ଯୁବକ ତା’କୁ ଧରି ପକାଇଥିଲେ। ମଙ୍ଗଳବାର ସନ୍ଧ୍ୟା ୭ଟାରେ ପାରଟି ଧରା ପଡ଼ିଥିଲା।

ପାରକୁ ଧରିବା ପରେ ତା’ ଗୋଡ଼ରେ କିଛି ଲେଖା ହୋଇଥିବା ସୁଶିଲ ଦେଖିବାକୁ ପାଇଥିଲେ। ଏହା ଏକ ଗୁପ୍ତଚର ପାର ହୋଇଥାଇ ପାରେ ବୋଲି ସନ୍ଦେହ କରି ସେ ବାସୁଦେବପୁର ବନ ବିଭାଗ ସହିତ ଯୋଗାଯୋଗ କରିଥିଲେ। ବନ ବିଭାଗ ଖବର ପାଇ ରାତି ପ୍ରାୟ ୧୧ଟା ବେଳେ ଗାଁରେ ପହଞ୍ଚି ପାରଟିକୁ ନିଜ ସହ ରେଞ୍ଜ ଅଫିସକୁ ନେଇ ଆସିଥିଲା।

Advertisment

ପାରଟିର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ସହ ତା’ ଗୋଡ଼ରେ କିଛି ନମ୍ବର ଲେଖାଯାଇଥିବା କର୍ମଚାରୀମାନେ ଦେଖିଥିଲେ। ତେଣୁ ସେମାନେ ତୁରନ୍ତ ପୁଲିସ୍‌କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ସନ୍ଦିଗ୍ଧ ପାରାଟିର ଦୁଇଟି ଯାକ ଗୋଡ଼ରେ କିଛି ଅଜଣା ରିଙ୍ଗ ଲାଗିଛି। ଏଥିରେ କିଛି ନମ୍ବର ଲେଖା ଯାଇଛି। ଗତକାଲି ରାତି ତମାମ ରେଞ୍ଜ ଅଫିସରେ ପାରଟିକୁ ରଖା ଯାଇଥିଲା। ଆଜି ନାୟକାଣିଡିହି ପୁଲିସ ହେପାଜତରେ ପାରଟିକୁ ଛଡ଼ା ଯାଇଛି ବୋଲି ବାସୁଦେବପୁର ଫରେଷ୍ଟର ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସନ୍ଧ୍ୟା ୭ଟାରେ ପାରା ଉଦ୍ଧାର ହୋଇଥିବା ଖବର ମିଳିଥିଲା। କିନ୍ତୁ କାମ ବ୍ୟସ୍ତ ଥିବାରୁ ଆମେ ରାତି ୧୧ଟାରେ ପାରଟି ଗାଁ ଲୋକଙ୍କ ଠାରୁ ରେଞ୍ଜ ଅଫିସକୁ ଆଣିଥିଲୁ। ପାରାର ଗୋଡ଼ରେ କିଛି ରିଙ୍ଗ ଲାଗିଛି। ଏଥିରେ କିଛି ନାଁ, ନମ୍ବର ଓ କୋଡ ନମ୍ବର ଲେଖାଯାଇଥିବା ଅନୁମାନ କରାଯାଉଛି।

ଆମର ସନ୍ଦେହ ବଢ଼ିବାରୁ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲୁ। ସେମାନେ ଆମକୁ କହିଥିଲେ ଯେ ସେମାନେ ଏସ୍‌ପିଙ୍କ ସହ କଥା ହୋଇଛନ୍ତି। ଏଥିସହ ଆମକୁ ନାୟକାଣିଡିହି ପୁଲିସ୍‌ ଷ୍ଟେସନରେ ପାରାଟିକୁ ହସ୍ତାନ୍ତର କରିବାକୁ କହିଥିଲେ। ସେଠାରୁ ପାରାଟିକୁ ଏସ୍‌ପି ନେବା ସହ ଅଧିକ ତଦନ୍ତ କରିବେ।

ପାରାର ଗୋଡ଼ରେ କିଛି ଯାଦବ ବୋଲି ଲେଖା ରହିଥିବାରୁ ଆମର ସନ୍ଦେହ ହେଉଛି। ତଥାପି ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ।” ତେବେ ବାରମ୍ବାର ଓଡ଼ିଶାର ବିଭିନ୍ନ ସ୍ଥାନରୁ ସନ୍ଦିଗ୍ଧ ପାରା ଧରାପଡ଼ିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

Odisha Bhadrak Spy Pigeon