ଭଦ୍ରକ(ଓଡ଼ଶା ରିପୋର୍ଟର) ୫ ଦିନ ହେଲା ହରିୟାଣାର ସୋନିପତରେ ପଡ଼ି ରହିଛି ଓଡ଼ିଆ ଯୁବକଙ୍କ ମୃତଦେହ। ନା ଓଡ଼ିଶା ଅଣାଯାଇ ପାରୁଛି ନା ସେଠାକୁ ପରିବାର ଲୋକ ଯାଇପାରୁଛନ୍ତି । ଏତେ ଦିନ ହେଲାଣି ଫ୍ରିଜରରେ ରହିଛି ମୃତଦେହ। ପରିବାର ଲୋକଙ୍କ ଦ୍ୱାରା ଚିହ୍ନଟ ହୋଇପାରିନଥିବାରୁ ତାର ସତ୍କାର ମଧ୍ୟ କରାଯାଇପାରୁ ନାହିଁ ।
ଏହା ହେଉଛି ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ବାଂଶବାଗ ଗାଁର ସୁଦର୍ଶନ ମଲ୍ଲିକଙ୍କ ଅବସ୍ଥା । ତାଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି, କାମ ଯୋଗାଇବା ବାହାନାରେ ସେହି ଅଞ୍ଚଳର ନାରାୟଣ ରାଉଳ ସୁଦର୍ଶନଙ୍କୁ ହରିୟାଣା ସୋନିପତର ପୁନ୍ଦିଲକୁ ନେଇଥିଲେ । କରୋନା ବ୍ୟାପିବା ପରେ ନାରାୟଣ ନିଜ ପରିବାର ସହିତ ଉଡ଼ାଜାହାଜରେ ଘରକୁ ଫେରି ଆସିଛନ୍ତି ।
କିନ୍ତୁ ସେଠାରେ ରହିଗଲେ ସୁଦର୍ଶନ । ପରିବାର ଲୋକଙ୍କୁ ଫୋନ୍ କରି ସୁଦର୍ଶନ କହିଥିଲେ ଯେ, ସେ ଅସୁସ୍ଥ ଅଛନ୍ତି । ଗତ ୯ ତାରିଖରେ ସୁଦର୍ଶନଙ୍କ ମୃତ୍ୟୁ ଖବର ଆସିଥିଲା । ଏହା ପରେ ତିହିଡ଼ି ଥାନାରେ ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି । ଏପରିକି ୧୫ ମାସ ହେଲା ତାଙ୍କୁ ଠିକରେ ଦରମା ଦିଆଯାଉନଥିଲା କି ଘରକୁ ଆସିବାକୁ ମଧ୍ୟ ଛଡ଼ା ଯାଉନଥିଲା ବୋଲି ସୁଦର୍ଶନଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସବୁ କିଛି ଅବଗତ କରାଇଥିଲେ ମଧ୍ୟ ପୁଲିସ ତଦନ୍ତ କରୁନି ବୋଲି ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ସୁଦର୍ଶନଙ୍କ ପତ୍ନୀ। ତାଙ୍କର ଆର୍ଥିକ ସ୍ଥିତି ଠିକ୍ ନଥିବାରୁ ପରିବାର ଲୋକେ ହରିୟାଣା ଯାଇପାରୁନାହାନ୍ତି କି ଶୁଦ୍ଧିକ୍ରିୟା ମଧ୍ୟ କରାଯାଇପାରୁ ନାହିଁ ।