/odisha-reporter/media/post_attachments/uploadimage/library/16_9/16_9_0/Drowning_1680599186.jpg)
Drowning
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଳିଆ ନଦୀରେ ବୁଡ଼ି ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଲାଙ୍ଗୁଡ଼ି ଅଞ୍ଚଳରେ ଘଟିଛି ଏହି ଘଟଣା।
ମୃତକମାନେ ହେଉଛନ୍ତି- ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା। ସମସ୍ତଙ୍କ ବୟସ ସେହି ୧୭ ବର୍ଷ ପାଖାପାଖି ହେବ ବୋଲି ଜଣାପଡ଼ିଛି। ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର ଥିଲେ।
ପ୍ରଣୟଙ୍କ ଘର ହରିପୁର ଗାଁରେ ହୋଇଥିବା ବେଳେ ସ୍ମୃତି ଓ ରଜତଙ୍କ ଘର କୋରକୋରାରେ। ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ପ୍ରଣୟ, ସ୍ମୃତି, ରଜତ ଓ ସେମାନଙ୍କର ଅନ୍ୟ ଦୁଇ ଜଣ ସାଙ୍ଗ ଲାଙ୍ଗୁଡ଼ି ଦେଇ ପ୍ରବାହିତ ହେଉଥିବା ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ସମସ୍ତେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ସେଠାରେ ପ୍ରଣୟ, ସ୍ମୃତି ଓ ରଜତଙ୍କୁ ମୃତ ଘୋଷଣା କରିଥିଲେ। ସେମାନଙ୍କର ଅନ୍ୟ ଦୁଇ ସାଙ୍ଗ ସୁସ୍ଥ ଅଛନ୍ତି। ଚିକିତ୍ସା ପରେ ତାଙ୍କୁ ଡିସ୍ଚାର୍ଜ କରି ଦିଆଯାଇଛି।
ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଡାକ୍ତର ପି.କେ ଖାରା କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତିନି ଜଣଙ୍କ ମୃତ୍ୟୁ ହୋଇସାରିଥିଲା। ଯାଞ୍ଚ କରି ସେମାନଙ୍କୁ ମୃତ ଘୋଷଣା କରାଯାଇଥିଲା। ତେବେ କେମିତି ସେମାନଙ୍କ ମୃତ୍ୟୁ ହେଲା, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
