Advertisment

Bharat Bandh ଆସନ୍ତାକାଲି : ଓଡ଼ିଶାରେ ସମର୍ଥନ କଲେ ବିଜେଡି-କଂଗ୍ରେସ ଓ ବାମଦଳ, ପରିବହନ ସେବା ଠପ୍ ଆଶଙ୍କା

ଏହି ୧୨ଘଣ୍ଟିଆ ଧର୍ମଘଟକୁ ଓଡ଼ିଶାରେ ଶ୍ରମିକ ସଂଗଠନଗୁଡ଼ିକର ରାଜ୍ୟ ଶାଖା ସମେତ ବିଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକ ସମର୍ଥନ ଦେଉଥିବାରୁ ରାଜ୍ୟବ୍ୟାପୀ ଏହି ‘ବନ୍ଦ’ର ପ୍ରଭାବ ଅନୁଭୂତ ହେବାର ଆଶଙ୍କା ରହିଛି ।

author-image
Prakaash Sethi
BHARAT-BANDHH

କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ପ୍ରତିବାଦରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଂଚ ପକ୍ଷରୁ ଗୁରୁବାର ୧୨ଘଣ୍ଟିଆ ଧର୍ମଘଟ ଓ ହରତାଳ ଡାକରା ଦିଆଯାଇଛି । ଏହି ୧୨ଘଣ୍ଟିଆ ଧର୍ମଘଟକୁ ଓଡ଼ିଶାରେ ଶ୍ରମିକ ସଂଗଠନଗୁଡ଼ିକର ରାଜ୍ୟ ଶାଖା ସମେତ ବିଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକ ସମର୍ଥନ ଦେଉଥିବାରୁ ରାଜ୍ୟବ୍ୟାପୀ ଏହି ‘ବନ୍ଦ’ର ପ୍ରଭାବ ଅନୁଭୂତ ହେବାର ଆଶଙ୍କା ରହିଛି । 

Advertisment

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଯୋଗୁ ଜନଜୀବନ ପ୍ରଭାବିତ ହେବା ସହ ସାଧାରଣ ପରିବହନ ସେବା, ରେଳରୋକ, ରାସ୍ତା ଅବରୋଧ, ବ୍ୟାଙ୍କ, ସରକାରୀ ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। କେନ୍ଦ୍ରୀୟ ଅଫିସ ଓ ପ୍ରତିଷ୍ଠାନ ଆଗରେ ପିକେଟିଂ କରାଯିବାର ସମ୍ଭାବନା ରହିଛି । 

ଏହି ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ସମସ୍ତ ଜିଲ୍ଲା ଏସପିମାନଙ୍କୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ତେବେ ବନ୍ଦ ପାଳନବେଳେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଧର୍ମଘଟକୁ ଦେଶର ୧୦ଟି ଟ୍ରେଡ୍ ୟୁନିଅନ୍ ସମେତ କୃଷକ ସଂଗଠନ ମଧ୍ୟ ସମର୍ଥନ ଜଣାଇଛନ୍ତି ।

Advertisment


୧୨ଘଣ୍ଟିଆ ଧର୍ମଘଟକୁ ସମର୍ଥନ ଜଣାଇଲା ବିଜେଡି

ବିଜେଡିର ଶ୍ରମିକ ୱିଙ୍ଗ୍ (ବିଜୁ ଶ୍ରମିକ ସାମ୍ମୁଖ୍ୟ) ପକ୍ଷରୁ ଆଜି ଏକ ପ୍ରେସ୍ ରିଲିଜ୍ ଜାରି କରାଯାଇ ଏହି ସର୍ବଭାରତୀୟ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରାଯାଇଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ସଭାପତି ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଟ୍ରେଡ୍ ୟୁନିଅନ୍ ଯେଉଁ ଆନ୍ଦୋଳନ କରୁଛନ୍ତି ତାକୁ ଆମେ ସମର୍ଥନ ଦେଉଛୁ । ସାମ୍ମୁଖ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଖୋର୍ଦ୍ଧା ଜିଲ୍ଲା ସଂଗଠନର ସଭାପତିଙ୍କ ଦସ୍ତଖତରେ ଜାରି ପ୍ରେସ୍ ରିଲିଜରେ ଧର୍ମଘଟକୁ ସମର୍ଥନ ଘୋଷଣା କରାଯାଇଛି ।

ବିଜୁ ଶ୍ରମିକ ସାମ୍ମୁଖ୍ୟ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, କେନ୍ଦ୍ର ସରକାର କର୍ପୋରେଟ୍ ସଂସ୍ଥାମାନଙ୍କ ସ୍ୱାର୍ଥରେ ଶ୍ରମିକମାନଙ୍କ ର୍ଦୀଘଦିନର ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି । ୨୯ଟି ଶ୍ରମ ଆଇନକୁ ଉଚ୍ଛେଦ କରି ୪ଟି କୋଡରେ ପରିଣତ କରିବା ଓ ରାଜ୍ୟରେ କମ୍ପାନୀ ମାଲିକମାନଙ୍କ ଦ୍ୱାରା ହେଉଥିବା ବେଆଇନ ଛଟେଇ ବିରୁଦ୍ଧରେ ବିଜୁ ଶ୍ରମିକ ସାମୁଖ୍ୟ ନିଜର ଲଢ଼େ଼ଇ ଜାରି ରଖିବ ବୋଲି ସଂଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ନବକିଶୋର ମହାନ୍ତି ସ୍ପଷ୍ଟ କରିଛନ୍ତି ।

କଂଗ୍ରେସ ଓ ବାମପନ୍ଥୀ ଦଳର ସମର୍ଥନ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏବଂ ସିପିଆଇ ନେତା ସୁର ଜେନା ଏହି ୧୨ଘଣ୍ଟିଆ ଧର୍ମଘଟକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଶ୍ରମିକ, ଦାଦନ ଓ ଚାଷୀର ସମସ୍ୟା ହେଉଛି ମାନବିକ ସମସ୍ୟା । ଏହାକୁ ଲୋକେ ସମର୍ଥନ ଦେବେ । ପିସିସି ସଭାପତି ଯେଉଁ ଢାଂଚାରେ ସମର୍ଥନ ଘୋଷଣା କରିଛନ୍ତି ସେହି ଆଧାରରେ କାର୍ଯ୍ୟକ୍ରମ କରାଯିବ । ସେହିପରି ସିପିଆଇ ସାଧାରଣ ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି ଯେ, ବିଜେପି ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧୀ ନୀତି ସୀମା ଟପିଲାଣି । ଏହି ବନ୍ଦ ଜରିଆରେ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରଙ୍କୁ ଏକ ଶକ୍ତ ଚେତାବନୀ ଦିଆଯିବ ବୋଲି କଂଗ୍ରେସ ଓ ବାମଦଳ ସୂଚନା ଦେଇଛି ।


ବିଜେପିର ପାଲଟା ଜବାବ , ଶ୍ରମିକଙ୍କୁ କରୁଛନ୍ତି ମୋହରା

ଅନ୍ୟପକ୍ଷରେ ଶାସକ ବିଜେପିର ମୁଖପାତ୍ର ଅନୀଲ ବିଶ୍ୱାଳ ଏହି ବନ୍ଦକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ବିରୋଧୀ ଦଳମାନେ କେବଳ ନିଜର ରାଜନୈତିକ ସ୍ଥିତି ବଂଚାଇବା ପାଇଁ ଶ୍ରମିକମାନଙ୍କୁ ମୋହରା କରୁଛନ୍ତି । ପୂର୍ବରୁ ୨୯ଟି ଶ୍ରମ ଆଇନ ଥିଲା ଯାହାର କ୍ଷତି ଭାରତର ଶ୍ରମିକମାନଙ୍କୁ ଭୋଗିବାକୁ ପଡ଼ିଥିଲା । ପୂର୍ବରୁ ଥିବା ଜଟିଳ ଶ୍ରମ ଆଇନ ଯୋଗୁଁ ଶିଳ୍ପ ଓ ଶ୍ରମିକ ପ୍ରଭାବିତ ହେଉଥିଲେ, ଯାହାକୁ କେନ୍ଦ୍ର ସରକାର ସଂସ୍କାର କରିଛନ୍ତି । ଏବେ ସଂସ୍କାରକୁ ଯେଉଁମାନେ ବିରୋଧ ଓ ଆନ୍ଦୋଳନ କରୁଛନ୍ତି ସେମାନେ ଆଗରୁ କଳ କାରଖାନା ବନ୍ଦ ପାଇଁ ସୂତ୍ରଧର ଥିଲେ । ସବୁ ସଂଶୋଧନ ଶ୍ରମିକଙ୍କ ହିତରେ ଆସିଛି ।


ପରିବହନ ସେବା ଠପ୍ ହୋଇପାରେ, ପ୍ରଭାବିତ ହେବନି ଜରୁରୀକାଳୀନ ସେବା

ବିଜେଡି, କଂଗ୍ରେସ ଓ ବାମଦଳଗୁଡ଼ିକର ସମର୍ଥନ ଯୋଗୁ ଆସନ୍ତାକାଲି (Bharat Bandh 12 February) ଦେଶବ୍ୟାପୀ ଧର୍ମଘଟର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ । ରାଜ୍ୟରେ ପରିବହନ ଓ ବ୍ୟବସାୟିକ କାର୍ଯ୍ୟକଳାପ ବ୍ୟାପକ ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

 ଧର୍ମଘଟକାରୀମାନେ ରାସ୍ତା ଅବରୋଧ, ରେଳରୋକ ଓ ପିକେଟିଂ କରିବାକୁ ନିଷ୍ପତ୍ତି ନେଇଥିବାରୁ ବସ୍‌, ଟ୍ରକ୍ ଓ ଟ୍ୟାକ୍ସି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିପାରେ । ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବୀମା କମ୍ପାନୀ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ବନ୍ଦ କରାଯିବ ବୋଲି ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ସହରର ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସିନେମା ହଲଗୁଡ଼ିକ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦ ରହିବାର ଆଶଙ୍କା ରହିଛି । ସମ୍ବଲପୁର, ପାରାଦୀପ ଓ ଝାରସୁଗୁଡ଼ା ଭଳି ଶିଳ୍ପାଞ୍ଚଳରେ ଖଣି ଓ କଳକାରଖାନା କାର୍ଯ୍ୟ ମଧ୍ୟ ପ୍ରଭାବିତ ହେବ।

ତେବେ ସାଧାରଣ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଡାକ୍ତରଖାନା, ଆମ୍ବୁଲାନ୍ସ, ଔଷଧ ଦୋକାନ ଓ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କୁ ଧର୍ମଘଟରୁ ବାଦ୍ ଦିଆଯାଇଛି ।  ଏହାସହିତ କ୍ଷୀର ଗାଡ଼ି, ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍ ସେବା ଭଳି ଅତ୍ୟାବଶ୍ୟକ କାର୍ଯ୍ୟକ୍ରମକୁ ମଧ୍ୟ କୋହଳ କରାଯାଇଛି । ବିମାନ ବନ୍ଦରକୁ ଯାଉଥିବା ଯାତ୍ରୀ ଓ ଜରୁରୀ କାର୍ଯ୍ୟରେ ଥିବା ସମ୍ବାଦିକମାନଙ୍କୁ ମଧ୍ୟ ପରିଚୟ ପତ୍ର ଦେଖାଇ ଯିବାକୁ ଅନୁମତି ମିଳିବ ବୋଲି ଟ୍ରେଡ୍ ୟୁନିୟନ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରର ପ୍ରାୟ ୧୮ଟି ପ୍ରମୁଖ ସ୍ଥାନ ସମେତ ସମ୍ବଲପୁର, ପାରାଦୀପ ଓ ମୟୂରଭଞ୍ଜର ବିଭିନ୍ନ ଛକରେ ରାସ୍ତା ଅବରୋଧ ଓ ପିକେଟିଂ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ସରକାର ଏହି ୧୨ଘଣ୍ଟିଆ ବନ୍ଦକୁ ଦୃଷ୍ଟିରେ ରଖି ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ନିଜର କର୍ମଚାରୀମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପରାମର୍ଶ ଜାରି କରିଛନ୍ତି ।

Bharat Bandh Bharat Bandh 12 February