/odisha-reporter/media/media_files/2025/10/25/accused-2025-10-25-16-06-38.jpg)
ଗିରଫ ଉମାକାନ୍ତ ପଟେଲ
ବିବାହିତ ହୋଇଥିବା ସତ୍ତ୍ୱେ ଜଣେ ଏୟାର ହୋଷ୍ଟେସଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଶାରୀରିକ ସଂପର୍କ ରଖିବା, ଗର୍ଭପାତ କରାଇବା ଓ ମାରିପିଟ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ବିମାନବନ୍ଦରର ଡିଜିଏମ୍ ଉମାକାନ୍ତ ପଟେଲ। ଏୟାରପୋର୍ଟ ଥାନା ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଉମାକାନ୍ତ ପଟେଲଙ୍କ ବିବାହକୁ ୫ ବର୍ଷ ହେଲାଣି। ସେ ଏକ ସନ୍ତାନର ବାପା ମଧ୍ୟ ହୋଇସାରିଛନ୍ତି। କିନ୍ତୁ ଗତ ୪ ବର୍ଷ ଧରି ଏକ ଘରୋଇ ଏୟାର ଲାଇନ୍ସର ଜଣେ ଏୟାର ହୋଷ୍ଟେସଙ୍କ ସହିତ ସେ ସଂପର୍କରେ ରହିଥିଲେ। ସେ ନିଜକୁ ଅବିବାହିତ କହି ଏହି ଏୟାର ହୋଷ୍ଟେସଙ୍କ ସହିତ ରିଲେସନଶିପ୍ରେ ରହିଥିଲେ।
ଉମାକାନ୍ତ ପଟେଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏୟାର ହୋଷ୍ଟେସ ଜଣଙ୍କ ଯେତେବେଳେ ବି ବିବାହ କଥା ଉଠାଉଥିଲେ, ସେ ଏହାକୁ କିଛି ନା କିଛି ବାହାନା କରି ଏଡ଼ାଇ ଦେଉଥିଲେ।
ଆଉ ଗୋଟିଏ କଥା ମଧ୍ୟ ତଦନ୍ତ ବେଳେ ଜାଣିବାକୁ ପାଇଛି ପୁଲିସ। ଉମାକାନ୍ତ ପଟେଲ ଯେଉଁ ବିମାନବନ୍ଦରକୁ ବଦଳି ହୋଇଯାଉଥିଲେ ସେ ଉକ୍ତ ଏୟାର ହୋଷ୍ଟେସଙ୍କୁ ସେଠାକୁ ନେଇଯାଉଥିଲେ। ଭୁବନେଶ୍ୱର ଆସିବା ପୂର୍ବରୁ ଉମାକାନ୍ତ ଦିଲ୍ଲୀରେ ଥିଲେ। ସେଠାରେ ମଧ୍ୟ ଏହି ଏୟାର ହୋଷ୍ଟେସ ଜଣଙ୍କ ଥିଲେ। ତା’ପୂର୍ବରୁ ଉମାକାନ୍ତ ଗୋଆରେ ଥିଲେ। ସେତେବେଳେ ମଧ୍ୟ ସେ ପୀଡ଼ିତାଙ୍କୁ ଏକ ଘରୋଇ ଏୟାର ଲାଇନ୍ସରେ ନିଯୁକ୍ତ କରାଇଥିଲେ।
ସଂପର୍କ ନିବିଡ଼ ହେବା ପରେ ସେମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ସ୍ଥାପନ ହୋଇଥିଲା। ଏହା ମଧ୍ୟରେ ପୀଡ଼ିତା ଗର୍ଭବତୀ ହୋଇଥିଲେ। ତେଣୁ ସେ ବିବାହ ପାଇଁ ଜିଦ୍ ଧରିଥିଲେ। କିନ୍ତୁ ଉମାକାନ୍ତ ବାହାନ କରି ଏଡ଼ାଇ ଯାଇଥିଲେ। ଏହା ସହିତ ତାଙ୍କର ଗର୍ଭପାତ କରାଇଥିଲେ।
ଉମାକାନ୍ତ ବିବାହିତ ବୋଲି ନିକଟରେ ଏୟାର ହୋଷ୍ଟେସ ଜଣଙ୍କ ଜାଣିବାକୁ ପାଇଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା। ଉମାକାନ୍ତ ଏୟାର ହୋଷ୍ଟେସଙ୍କୁ ମାଡ଼ ମାରିଲେ।
ଉମାକାନ୍ତ ତାଙ୍କୁ ଧୋକା ଦେଇଥିବା ଜାଣିବା ପରେ ଏୟାର ହୋଷ୍ଟେସ ଜଣଙ୍କ ଗତ ୧୯ ତାରିଖରେ ଏୟାରପୋର୍ଟ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିଥିଲା। ପ୍ରମାଣ ପାଇବା ପରେ ସଂପୃକ୍ତ ଡିଜିଏମ୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।
ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଆଇନ ତା’ ବାଟରେ ଯାଇଛି। ଯେହେତୁ ପୀଡ଼ିତା ଏକ ଘରୋଇ ଏୟାର ଲାଇନ୍ସରେ କାମ କରୁଛନ୍ତି, ତେଣୁ ସେ ଏୟାରପୋର୍ଟ ଷ୍ଟାଫ୍ ନୁହନ୍ତି। ସେଥିପାଇଁ ସେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ନକରି ସିଧା ଥାନାରେ ଏତଲା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
