ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦ ଥାପିଛି ରାଜଧାନୀ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ହେଲେ ଭୁବନେଶ୍ୱରର ପ୍ରତିଷ୍ଠା ଦିବସରେ ଖୋଦ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିନି କୌଣସି ନିମନ୍ତ୍ରଣ । ଏହାକୁ ନେଇ ସାଂସଦ ଅସନ୍ତୋଷ ଝାଡ଼ିବା ସହ ତାଙ୍କ ଭୁଲ୍ କ’ଣ ବୋଲି ପ୍ରଶ୍ନ କରିଛନ୍ତି ।
ଆଜି ରାଜଧାନୀର ପ୍ରତିଷ୍ଠା ଦିବସ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଛି ସ୍ୱତନ୍ତ୍ର ଓ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏହାର ନିମନ୍ତ୍ରଣ ପତ୍ର "ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର" ଦ୍ୱାରା ପ୍ରସ୍ତୁତ କରାଯାଇଛି । ମାତ୍ର ଉକ୍ତ ନିମନ୍ତ୍ରଣପତ୍ରରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ନାହିଁ । ଯାହାକୁ ନେଇ ତେଜିଛି ରାଜନୀତି। ଖୋଦ ସାଂସଦ ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି ନିଜ ଅସନ୍ତୋଷ ଝାଡ଼ିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ଏଥିସହ କହିଛନ୍ତି, ମୋତେ ଛାଡ଼ି ପ୍ରାୟ ସମସ୍ତଙ୍କୁ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ରହିଛି । ଏହି ମହାନ ଦିବସ ଅବସରରେ ମୁଁ ଉତ୍ସବରେ ଯୋଗଦେବାକୁ ଚାହୁଁଥିଲି । ମୋତେ କାହିଁକି ନିମନ୍ତ୍ରଣ କରାଗଲାନି, ମୋର ଦୋଷ କଣ ।
ଏହା କେବଳଯେ ନିୟମ ବର୍ହିଭୁତ ଏବଂ ଅଗଣତନ୍ତ୍ରିକ ବିଷୟ ତାହା ନୁହେଁ ବରଂ ଅତ୍ୟନ୍ତ ଦୁଃଖ , ପରିତାପ ତଥା ନିନ୍ଦନୀୟ ବିଷୟ ବୋଲି ଆଲୋଚନା ହେଉଛି । ଅପରାଜିତାଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି।
ସୂଚନାଯୋଗ୍ୟ, ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।