
Works Dept review meeting
ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପ୍ରମୁଖ ମାର୍ଗରେ ଆଉ ୨୦ଟି ନୂଆ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜନଗହଳିପୂର୍ଣ୍ଣ ଏଜି ଛକରେ ଅଣ୍ଡରଗ୍ରାଉଣ୍ଡ ରାସ୍ତା ସହ ଦୁଇଥାକିଆ ରାସ୍ତା ନିର୍ମାଣ ହେବ । ଏହାସହିତ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବାକୁ ମଧ୍ୟ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନଙ୍କ ବାରମ୍ବାର ଓଡ଼ିଶା ଗସ୍ତ ଆମ ରାଜ୍ୟ ପାଇଁ ବରଦାନ ତଥା ଅଧିକ ଅନୁଦାନ ଆଣିବାରେ ସହାୟକ ହେଉଛି ବୋଲି କହିଛନ୍ତି ।
ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା
ବିଭାଗୀୟ ଅଧିକାରୀମାନଙ୍କ ସହ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ଏହି ବୈଠକରେ ଏଜି ଛକରେ ପ୍ରସ୍ତାବିତ ଦୁଇ ଥାକିଆ ରାସ୍ତା ସହିତ ରାଜଧାନୀ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ୨୦ଟି ପ୍ରମୁଖ ରାସ୍ତା ନିର୍ମାଣ ପ୍ରକଳ୍ପ ଏବଂ ‘୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା' ଲକ୍ଷ୍ୟ ପୂରଣ ପାଇଁ ଭିତ୍ତିଭୂମିର ଦ୍ରୁତ ବିକାଶ ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ରାଜଧାନୀ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଏଜି ଛକରୁ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ଦୁଇ ଥାକିଆ ରାସ୍ତାର ପରିକଳ୍ପନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଯୋଜନାରେ ଟ୍ରାଫିକ୍ ପୋଷ୍ଟ ହଟିବ ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ମାଟି ତଳେ ଓ ମାଟି ଉପରେ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ । ଏହି ପ୍ରକଳ୍ପର ଡିପିଆର ପ୍ରସ୍ତୁତ ହୋଇସାରିଛି ଏବଂ ଚୂଡ଼ାନ୍ତ ଅନୁମୋଦନ ମିଳିବା ପରେ କାମ ଆରମ୍ଭ ହେବ ।
ସେହିପରି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦୂର ନିମନ୍ତେ ଅନ୍ୟ ୨୦ଟି ରାସ୍ତା କାମର ଅଗ୍ରଗତିର ସମୀକ୍ଷା ହୋଇଥିଲା। ଏଗୁଡ଼ିକ ମଧ୍ୟରେ ଜୟଦେବ ବିହାରଠାରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ଉଭୟ ପଟରେ ସମାନ୍ତରାଳ ରାସ୍ତା ନିର୍ମାଣ, ଏମସକୁ ଯାଇଥିବା ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ, ଖଣ୍ଡଗିରି-ଜାଗମରା ଏଲିଭେଟେଡ୍ ରାସ୍ତା ଏବଂ କଳ୍ପନା ଛକରେ ଆଧୁନିକ ଏଲିଭେଟେଡ୍ ରାସ୍ତା ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଅବଧିରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
ଜାତୀୟ ରାଜପଥ ଓ ପୁରୀ ପ୍ରକଳ୍ପର ସମୀକ୍ଷା
ବୈଠକରେ ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ଉପରେ ବିଶେଷ ଆଲୋଚନା ହୋଇଥିଲା । କୋରାପୁଟ, ଜୁନାଗଡ଼, ରାଉରକେଲା, ନୂଆପଡ଼ା, ଆସ୍କା ବାଇପାସ୍ ଏବଂ ଜଗତସିଂହପୁର ଜିଲ୍ଲାକୁ ସଂଯୋଗ କରୁଥିବା ଓଏମପି-କନ୍ଦରପୁର-ପାରାଦ୍ୱୀପ ରାସ୍ତା ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ସମୀକ୍ଷା ହୋଇଥିଲା । ଏହାସହିତ ପୁରୀ ସହରର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ଅତି ଶୀଘ୍ର ସମାପ୍ତ କରିବାକୁ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଏଣିକି ‘ଓସ୍ୱାସ’ରେ ଓବିସିସି କାର୍ଯ୍ୟ
ଆଜିଠାରୁ ଓଡ଼ିଶା ବ୍ରିଜ୍ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ୍ (ଓବିସିସି) ର ସମସ୍ତ ପ୍ରଶାସନିକ କାର୍ଯ୍ୟ ‘ଓସ୍ୱାସ୍\' ଅନଲାଇନ୍ ପ୍ଲାଟଫର୍ମ ଜରିଆରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନସ୍ତରରେ ଅନ୍ୟ ସମସ୍ତ ସରକାରୀ ବିଧି ବ୍ୟବସ୍ଥାକୁ ମଧ୍ୟ ‘ଓସ୍ୱାସ୍' ମାଧ୍ୟମରେ କରିବା ପାଇଁ ବୈଠକରେ ନିଷ୍ପତ୍ତିି ହୋଇଛି ।
ଆଜିର ବୈଠକରେ ପୂର୍ତ୍ତ ସଚିବ ସଞ୍ଜୟ ସିଂଙ୍କ ସମେତ ଇଆଇସି ଲକ୍ଷ୍ମୀକାନ୍ତ ପାଢ଼ୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
