ସବୁ ଜିଲ୍ଲା ମୁଖ୍ୟାଳୟରେ ଖୋଲିବ ‘କାଳିଆ ସେଂଟର’

କାଳିଆ ସେଂଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ସକାଳ ୧୦ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

  • Published: Saturday, 03 June 2023
  • , Updated: 03 June 2023, 10:46 PM IST

ନିଜର ମହାତ୍ୱାକାଂକ୍ଷୀ ଯୋଜନା ‘କାଳିଆ’ ର ଅଧିକ ସୁବିଧା ଚାଷୀଙ୍କୁ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲା ମୁଖ୍ୟାଳୟରେ ‘କାଳିଆ ସେଂଟର’ ସ୍ଥାପନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଗୋଟିଏ ଛାତତଳେ ଏହା ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ସମେତ କୃଷି କ୍ଷେତ୍ରରେ ନୂଆ ସୁଯୋଗ ପ୍ରଦାନ ଦିଗରେ ଚାଷୀମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ ଷ୍ଟପ ସେଂଟର ଭାବେ କାର୍ଯ୍ୟ କରିବ । ଏହି କେନ୍ଦ୍ର ମାଧ୍ୟମରେ ‘କାଳିଆ’ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ‘ଗୋ-ସୁଗମ’, ସଫଲ, କୃଷକ ଓଡ଼ିଶା ଆଦିର କାର୍ଯ୍ୟକାରିତା ଦିଗରେ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସମସ୍ତ ସହାୟତା ଯୋଗାଇ ଦିଆଯିବ । କାଳିଆ ସେଂଟର ପ୍ରତ୍ୟେକ ସରକାରୀ କାର୍ଯ୍ୟଦିବସରେ ସକାଳ ୧୦ଟାରୁ ସାଢ଼େ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ।

ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇବା ପାଇଁ ପ୍ରତି କେନ୍ଦ୍ରରେ ଆବଶ୍ୟକ ମୁତାବକ ବୈଷୟିକ ଦକ୍ଷତାସମ୍ପନ୍ନ କର୍ମଚାରୀ ନିୟୋଜିତ ହେବେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ଯ୍ୟର ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । ଏହି କାଳିଆ ସେଂଟରକୁ ଆସୁଥିବା ଚାଷୀମାନଙ୍କ ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଓ ପରାମର୍ଶକୁ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ । ‘କାଳିଆ ସେଂଟର’ ଚାଷୀଙ୍କ ନିମନ୍ତେ ସବୁ କୃଷିଭିତ୍ତିକ ଯୋଜନା ପାଇଁ କାର୍ଯ୍ୟ କରିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।

ଚାଷୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟାଳୟର ଏକ ପ୍ରମୁଖ ସ୍ଥାନରେ କାଳିଆ ସେଂଟର ଖୋଲିବା ପାଇଁ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୃଷି ସଚିବ ଡଃ ଅରବିନ୍ଦ ପାଢ଼ୀ ଚିଠି ଲେଖି ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ୨୦୧୮ ମସିହାରୁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘କାଳିଆ’ ଯୋଜନାରେ ଭୂମିହୀନ କୃଷି ପରିବାର ଓ ପ୍ରକୃତ ଭାଗଚାଷୀଙ୍କୁ ସାମିଲ କରିବା ଏହାର ଅନ୍ୟତମ ବୈଶିଷ୍ଟ୍ୟ । କାଳିଆ ଯୋଜନା ଆରମ୍ଭ ହେବା ଦିନଠୁ ଏପର୍ଯ୍ୟନ୍ତ ୪୩,୦୪,୮୭୬ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ/ପ୍ରକୃତ ଚାଷୀ ଓ ୧୭ଲକ୍ଷ ୭୧ହଜାର ୭୫୬ଜଣ ଭୂମିହୀନ ଚାଷୀ ପରିବାରଙ୍କୁ ୧୧୬୦୦କୋଟି ଟଙ୍କାରୁ ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହାସହିତ କାଳିଆ ହିତାଧିକାରୀ ପରିବାରଙ୍କ ୧୬୨୪ଜଣ ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ୩.୯୦କୋଟି ଟଙ୍କା ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Related story