‘ମୋ ଘର’ ସ୍କିମ୍‌: ବଂଚିତ ହେବେ ଆଦିବାସୀ, ବ୍ୟାଙ୍କରେ ବନ୍ଧା ପଡ଼ିବ ଗରିବଙ୍କ ଭାଗ୍ୟ

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଆଜି ‘ମୋ ଘର’ ନାଁରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି ।

CM Naveen Patnaik

  • Published: Monday, 29 May 2023
  • , Updated: 29 May 2023, 10:51 PM IST

ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗ୍ରାମାଂଚଳ ଭୋଟରଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାର ଆଜି ‘ମୋ ଘର’ ନାଁରେ ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ବ୍ୟାଙ୍କରେ ଜମି ପଟ୍ଟା ବନ୍ଧକ ରଖି ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ରାଜ୍ୟ ସରକାର ୪୦ରୁ ୭୦ହଜାର ଟଙ୍କା(ସାଧାରଣ ବର୍ଗ ପାଇଁ ୩୦ରୁ ୬୦ହଜାର ଟଙ୍କା) କ୍ୟାପିଟାଲ ସବସିଡି ଦେବେ ତଥା ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନାରେ ଘରଟିଏ ପାଇନଥିବା ନିମ୍ନ ଓ  ନିମ୍ନ ମଧ୍ୟବିତ୍ତ ବର୍ଗର ପରିବାରକୁ ଏହି ଘର ମିଳିବ ବୋଲି ଘୋଷଣା କରିଛନ୍ତି । କିନ୍ତୁ ଗ୍ରାମାଂଚଳ ଗରିବଙ୍କ ପାଇଁ ୪ଟି ଗୃହନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଥିବା ସରକାର ସିଧାସଳଖ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ସିଧାସଳଖ ଘର ଆବଂଟନ ନକରି ଏଭଳି କ୍ୟାପିଟାଲ ସବସିଡି ଦେବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । କେବଳ ସେତିକି ନୁହେଁ ରାଜ୍ୟର ସିଡ୍ୟୁଲ ଏରିଆରେ ରହୁଥିବା ପ୍ରାୟ ଏକ କୋଟି ଆଦିବାସୀ ପରିବାର ବି ପ୍ରଚଳିତ ଆଇନ ଅନୁସାରେ ଏହି ସୁବିଧା ପାଇବାରୁ ବଂଚିତ ହେ ବୋଲି ଜଣାପଡ଼ିଛି ।

ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ଅନୁସାରେ ଗ୍ରାମାଂଚଳରେ ବିଭିନ୍ନ ଗୃହନିର୍ମାଣ ଯୋଜନାର ସର୍ତ୍ତାବଳୀ ପୂରଣ କରିପାରୁନଥିବାରୁ ବଂଚିତ ହୋଇଥିବା ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ଘରଟିଏ ଦେବା ନିମନ୍ତେ ‘ମୋ ଘର’ ଯୋଜନା କାର୍ଯ୍ୟକାରୀ ହୋଇଛି । ନୂଆ ଘର, ପୁରୁଣା ଘରର ଉନ୍ନତିକରଣ ଅବା ସମ୍ପ୍ରସାରଣ ପାଇଁ ବ୍ୟାଙ୍କ ମାଧ୍ୟମରେ ଲୋକେ ନିଜର ଘର ଥିବା ଅବା ଘର କରିବାକୁ ଥିବା ଜମିର ପଟ୍ଟାକୁ ବନ୍ଧା ରଖି ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୪ଟି ସ୍ଲାବରେ ଋଣ ଆଣିପାରିବେ । ହିତାଧିକାରୀ ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍ ଦେଇ ପରବର୍ତ୍ତୀ ୧୦ବର୍ଷ ଅର୍ଥାତ୍ ୧୧ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିବେ ।

ଘର ନିର୍ମାଣ ସରିବା ପରେ ସରକାର ଋଣ ପରିମାଣର ଉପରେ ୩୦ରୁ ୬୦ହଜାର ଟଙ୍କା ମଧ୍ୟରେ କ୍ୟାପିଟାଲ ସବସିଡି ପ୍ରଦାନ କରିବେ । ଏହି ଋଣ ରାଶି ଏକକାଳୀନ ନୁହେଁ ବରଂ ୩-୪ଟି ପର୍ଯ୍ୟାୟରେ ମିଳିବ । ଆଉ ହିତାଧିକାରୀଙ୍କୁ ନିଜସ୍ୱ ପାଣ୍ଠିରୁ ବାକି ଋଣ ଟଙ୍କା ପରିଶୋଧ କରିବାକୁ ପଡ଼ିବ । ଋଣ ଉପରେ ସୁଧ ହାର ବ୍ୟାଙ୍କ ସ୍ଥିର କରିବ । ଜୁନ୍ ୧୬ ତାରିଖରୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ । ପ୍ରାୟ ୪ଲକ୍ଷ ହିତାଧିକାରୀଙ୍କ ପାଇଁ ୨ବର୍ଷ ମଧ୍ୟରେ ରାଜ୍ୟ ସରକାର ୨୧୫୦କୋଟି ଟଙ୍କା ବ୍ୟୟ କରିବେ ବୋଲି ସୂଚନା ଦେଇଛନ୍ତି ।

ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ରାଜ୍ୟ ସରକାରଙ୍କ ଦ୍ୱାରା ଏହି ‘ମୋ ଘର’ ଯୋଜନାର ସୁବିଧା ନେବାରେ ରାଜ୍ୟର ସିଡ୍ୟୁଲ ଏରିଆରେ ରହୁଥିବା ଆଦିବାସୀ ଭାଇଭଉଣୀମାନେ ସକ୍ଷମ ହେବେ ନାହିଁ । ଓଡ଼ିଶା ଅଧିନିୟମ ସଂଖ୍ୟା-୨(୧୯୫୬)ର ପ୍ରାବଧାନ-୩ ଅନୁସାରେ ସିଡ୍ୟୁଲ ଏରିଆରେ ରହୁଥିବା ଆଦିବାସୀମାନେ ନିଜର ଜମିକୁ କୃଷି ଋଣ ବ୍ୟତୀତ ଅନ୍ୟ କୌଣସି ଋଣ ପାଇଁ ବ୍ୟାଙ୍କରେ ବନ୍ଧକ ରଖିପାରିବେ ନାହିଁ । ଅର୍ଥାତ୍ ନିଜ ଘର ନିର୍ମାଣ ପାଇଁ ଆଦିବାସୀ ପରିବାର ଚାହିଁଲେ ‘ମୋ ଘର’ ଯୋଜନାର ଲାଭ ନେଇପାରିବ ନାହିଁ । ରାଜ୍ୟର ସିଡ୍ୟୁଲ ଏରିଆ ଭାବେ ୧୨ଟି ଜିଲ୍ଲା ଯଥା ମୟୂରଭଞ୍ଜ,ସୁନ୍ଦରଗଡ଼ ଓ କୋରାପୁଟର ସମ୍ପୂର୍ଣ୍ଣ ଅଂଚଳ ସମେତ ରାୟଗଡ଼ା, କଳାହାଣ୍ଡି କେନ୍ଦୁଝର, ସମ୍ବଲପୁର,ବଲାଙ୍ଗିର, କନ୍ଧମାଳ,ବୌଦ୍ଧ, ଗଞ୍ଜାମ ଓ ବାଲେଶ୍ୱରର କେତେକ  ଅଂଚଳ ଏବେ ସିଡ୍ୟୁଲ ଏରିଆ ଭାବେ ପରିଗଣିତ ହେଉଛି । ଏସବୁ ଅଂଚଳରେ ରାଜ୍ୟର ପ୍ରାୟ ୨୨ ପ୍ରତିଶତ ଆଦିବାସୀ ରହୁଥିବାବେଳେ ବାକି ଜିଲ୍ଲାଗୁଡ଼ିକରେ ପ୍ରାୟ (୦.୮୪%) ଆଦିବାସୀ ରହୁଛନ୍ତି । ରାଜ୍ୟରେ ଆଦିବାସୀଙ୍କ ସଂଖ୍ୟା ପ୍ରାୟ ୯୫ଲକ୍ଷରୁ ଏକ କୋଟି ମଧ୍ୟରେ ହେବ । ରାଜ୍ୟର ବହୁ ଆଦିବାସୀବହୁଳ ଜିଲ୍ଲାରେ ଏବେବି ଆଦିବାସୀମାନେ ଝାଟିମାଟି ଘରେ ରହିବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୬ଲକ୍ଷରୁ ଅଧିକ ଘର ଆବଂଟନ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ବିଜୁ ପକ୍କାଘର ଯୋଜନାରେ ଏପର୍ଯ୍ୟନ୍ତ ପ୍ରାୟ ୨.୦୫ଲକ୍ଷ ଘର ଆବଣ୍ଟିତ ହୋଇ ସାରିଛି । ସେହିପରି ବିଜୁ ପକ୍କାଘର(ମାଇନିଂ) ଓ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା ମଧ୍ୟ ରାଜ୍ୟରେ କାର୍ଯ୍ୟକାରୀ ହେଉଛି । ଏସବୁ ମାଧ୍ୟମରେ ରାଜ୍ୟ ସରକାର ଗ୍ରାମାଂଚଳରେ ପ୍ରାୟ ୩୧.୪୩ଲକ୍ଷ ଘର ନିର୍ମାଣ କରିସାରିଛନ୍ତି । ଏବେ ଆଉ ୯.୫୯ଲକ୍ଷ ଘରର କାର୍ଯ୍ୟାଦେଶ ଗରିବ ହିତାଧିକାରୀଙ୍କୁ ଦିଆଯିବ ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ନିଜସ୍ୱ ବିଜୁ ପକ୍କାଘର ଯୋଜନା ସହ ଅନ୍ୟାନ୍ୟ ଗୃହନିର୍ମାଣ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ଏସବୁ ଯୋଜନାର ସର୍ତ୍ତାବଳୀକୁ କୋହଳ କରି କାହିଁକି ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସେଥିରେ ସାମିଲ କଲେନି । ଓଲଟା ଗରିବ ଲୋକଙ୍କ ଉପରେ ଅଧିକ ଆର୍ଥିକ ବୋଝ ଲଦିଦେବାକୁ ବ୍ୟାଙ୍କ ପାଖରେ ସେମାନଙ୍କର ଜମି ପଟ୍ଟାକୁ ବନ୍ଧକ ରଖିବାର ସୁଯୋଗ ସୃଷ୍ଟି କରିଛନ୍ତି । ତା’ଛଡ଼ା କେତେ ଲୋକ ଏହି ଆର୍ଥିକ ଦୁର୍ବଳ ବର୍ଗରେ ରହିଛନ୍ତି ତାକୁ ସରକାର ଚିହ୍ନଟ କଲେ କେମିତି? କାହିଁକି ସରକାର ଏସବୁ ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କୁ ସିଧାସଳଖ ନିଜସ୍ୱ ଯୋଜନାରେ ଛାତଘର ନଦେଇ ପରୋକ୍ଷରେ ସେମାନଙ୍କର ଭବିଷ୍ୟତକୁ ବ୍ୟାଙ୍କ ହାତରେ ଛାଡ଼ିଲେ? ବିଜେଡି ସରକାର ୨୩ବର୍ଷର ଶାସନ ପରେ ବି ଯଦି ଜଣେ ଗରିବ ଲୋକ ଛାତଘରରୁ ବଂଚିତ ରହିଛି ତା’ହେଲେ ପ୍ରାୟଶ୍ଚିତ ପାଇଁ କାହିଁକି ନିଜେ ବ୍ୟାଙ୍କ ପାଖରେ ଗ୍ୟାରେଣ୍ଟର ରହିଲେ ନାହିଁ? ସରକାର ଏସବୁ ହିତାଧିକାରୀ ନିଜେ ଚିହ୍ନଟ କଲାପରେ ବି ଜଣେ ହିତାଧିକାରୀ ଯଦି ବ୍ୟାଙ୍କର ସର୍ତ୍ତାବଳୀ ପୂରଣ କରୁନଥିବ ତା’ହେଲେ ଏହି ଯୋଜନାରେ ଘର ପାଇବାର ସମ୍ଭାବନା କ୍ଷୀଣ । ଆଉପୁଣି ଗାଁ ଗହଳିରେ ଗରିବ ଲୋକଟିଏ ନିଜର ଋଣ ଅର୍ଥକୁ ଘର କରିବା ବଦଳରେ ନିଜ ଝିଅ ବାହାଘର ଆଦି କାର୍ଯ୍ୟରେ ଖର୍ଚ୍ଚ କରିବାର ସମ୍ଭାବନା ବେଶୀ ।

ତେଣୁ ରାଜ୍ୟ ସରକାର ଯଦି ଶୀତତାପ ନିୟନ୍ତ୍ରିତ ରୁମରେ ବସିଥିବା ପ୍ରଶାସନିକ ଅଫିସରଙ୍କ ମତାମତ ତୁଳନାରେ ଗାଁକୁ ଯାଇ ତୃଣମୂଳସ୍ତରରେ ସାଧାରଣ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଇଥାନ୍ତେ ସମ୍ଭବତଃ ସାଧାରଣ ଜନତାଙ୍କ ଭାଗ୍ୟ(ଜମି ପଟ୍ଟା ବନ୍ଧକ)କୁ ବ୍ୟାଙ୍କ ହାତରେ ଛାଡ଼ି ଦେବା ଭଳି ଏପରି ଯୋଜନା ଆଣିବାକୁ ଚାହିଁନଥାନ୍ତେ ବୋଲି ଚର୍ଚ୍ଚା ।

Related story