Advertisment

‘ମୋ ଘର’: ଚେତା ପଶିଲା, ନିୟମର ସମୀକ୍ଷା କରିବେ ସରକାର

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମ୍ନବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ବ୍ୟାଙ୍କ ଋଣ ମାଧ୍ୟମରେ ପକ୍କାଘର ନିର୍ମାଣ ନିମନ୍ତେ କ୍ୟାପିଟାଲ ସବସିଡି ଯୋଗାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗତକାଲି ‘ମୋ ଘର’ ଯୋଜନାକୁ ଅନୁମୋଦନ ଦେବା ପରେ ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି ।

author-image
Ordigital Desk
Loka Seba Bhaban

Loka Seba Bhaban

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିମ୍ନବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାରକୁ ବ୍ୟାଙ୍କ ଋଣ ମାଧ୍ୟମରେ ପକ୍କାଘର ନିର୍ମାଣ ନିମନ୍ତେ କ୍ୟାପିଟାଲ ସବସିଡି ଯୋଗାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗତକାଲି ‘ମୋ ଘର’ ଯୋଜନାକୁ ଅନୁମୋଦନ ଦେବା ପରେ ଏହାର ସଫଳ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟ ସରକାର ଲାଗି ପଡ଼ିଛନ୍ତି । ଆଜି ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ‘ମୋ ଘର’ ଯୋଜନାର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବେଳେ ରାଜ୍ୟର ସିଡ୍ୟୁଲ ଏରିଆର ଆଦିବାସୀ ଏବଂ ଜଙ୍ଗଲଜମି ପଟ୍ଟା ନେଇଥିବା ଆଦିବାସୀ ପରିବାର କିଭଳି ଏହି ଯୋଜନାରେ ଘର ପାଇବେ ତାକୁ ନେଇ ଜିଲ୍ଲାପାଳମାନେ ପ୍ରଶ୍ନ ଉଠାଇବା ପରେ ସରକାର ହରଡ଼ଘଣାରେ ପଡ଼ିଛନ୍ତି । ତରବରିଆ ଭାବେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରୀସ୍ତରରେ ପଡ଼ୁଥିବା ଚାପ ମଧ୍ୟରେ ଆଦିବାସୀମାନଙ୍କୁ ‘ମୋ ଘର’ ଯୋଜନାର ଫାଇଦା  ଦେବା ନିମନ୍ତେ ରାଜ୍ୟ ସରକାର ପ୍ରଚଳିତ ନିୟମର ସମୀକ୍ଷା ଓ ଆବଶ୍ୟକ ପଡ଼ିଲେ ପରିବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ମୋ ଘର ଯୋଜନାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ପରେ ଏହାର ସଫଳ ରୂପାୟନ ପାଇଁ ଆଜି ମୁଖ୍ୟ ସଚିବ ଶ୍ରୀ ଜେନା ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକିଥିଲେ । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ, ପଂଚାୟତିରାଜ ସଚିବ ସୁଶୀଲ ଲୋହାନୀଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଲିଡ୍ ଡିଷ୍ଟ୍ରିକ୍ଟ ମ୍ୟାନେଜର, ନାବାର୍ଡର ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ‘ମୋ ଘର’ ଯୋଜନାକୁ ରାଜ୍ୟର ବିଜେଡି ସରକାର ନିଜର ନିର୍ବାଚନୀ ଟ୍ରମ୍ପ କାର୍ଡ ଭାବେ ଉପଯୋଗ କରିବାକୁ ଚାହୁଁଥିବାରୁ ପ୍ରଶାସନିକ କଳ ଏହାର ସଫଳ କାର୍ଯ୍ୟକାରିତାକୁ ନେଇ ବେଶ୍ ତତ୍ପର ହୋଇପଡ଼ିଛି ।

ତେବେ ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବାରେ ରହିଥିବା ଆଇନଗତ ସମସ୍ୟା ସମ୍ପର୍କରେ ଆଦିବାସୀବହୁଳ ଜିଲ୍ଲାର ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ । ରାଜ୍ୟର ସିଡ୍ୟୁଲ ଏରିଆରେ ରହୁଥିବା ଆଦିବାସୀମାନଙ୍କୁ କିଭଳି ଏହି ଯୋଜନାର ସୁଫଳ ମିଳିବ ବୋଲି ଜିଲ୍ଲାପାଳ ପ୍ରଶ୍ନ କରିଥିଲେ । ଓଡ଼ିଶା ଅଧିନିୟମ ସଂଖ୍ୟା-୨(୧୯୫୬)ର ପ୍ରାବଧାନ-୩ ଅନୁସାରେ ସିଡ୍ୟୁଲ ଏରିଆରେ ରହୁଥିବା ଆଦିବାସୀମାନେ ନିଜର ଜମିକୁ କୃଷି ଋଣ ବ୍ୟତୀତ ଅନ୍ୟ କୌଣସି ଋଣ ପାଇଁ ବ୍ୟାଙ୍କରେ ବନ୍ଧକ ରଖିପାରିବେ ନାହିଁ । ଅର୍ଥାତ୍ ନିଜ ଘର ନିର୍ମାଣ ପାଇଁ ଆଦିବାସୀ ପରିବାର ଚାହିଁଲେ ‘ମୋ ଘର’ ଯୋଜନାର ଲାଭ ନେଇପାରିବ ନାହିଁ । ସେହିପରି ପ୍ରଚଳିତ ନିୟମରେ ଜଙ୍ଗଲଜମି ଅଧିକାର ଆଇନ ବଳରେ ଜମି ପଟ୍ଟା ହାସଲ କରିଥିବା ରାଜ୍ୟର ପ୍ରାୟ ୪.୬୦ଲକ୍ଷ ଆଦିବାସୀ ପରିବାର  ମଧ୍ୟ ଏହି ଜମି ପଟ୍ଟାକୁ ବ୍ୟାଙ୍କରେ ବନ୍ଧା ରଖିପାରିବେ ନାହିଁ ।

Advertisment

‘ମୋ ଘର’ ଯୋଜନାରେ ଘର ନିର୍ମାଣ ହେବାକୁ ଥିବା ଅବା ଘର ରହିଥିବା ଜମିର ପଟ୍ଟାକୁ ବ୍ୟାଙ୍କରେ ବନ୍ଧକ ରଖିବାର ପ୍ରାବଧାନ ଥିବାରୁ ଏହି ଦୁଇଟି ଆଇନଗତ ପ୍ରାବଧାନ ଯୋଗୁ ଆଦିବାସୀମାନେ ‘ମୋ ଘର’ଯୋଜନାରେ ଘର ପାଇବା ସମ୍ଭବପର ହେବନି । ତେବେ ଏ ସମ୍ପର୍କରେ ଖୁବଶୀଘ୍ର ସମୀକ୍ଷା କରାଯିବ ଓ ଆବଶ୍ୟକ ପଡ଼ିଲେ ବ୍ୟାଙ୍କଗୁଡ଼ିକ ସହ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳମାନଙ୍କୁ ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିବା ଜଣାପଡ଼ିଛି । ରାଜ୍ୟର ସିଡ୍ୟୁଲ ଏରିଆ ଭାବେ ୧୨ଟି ଜିଲ୍ଲା ଯଥା ମୟୂରଭଞ୍ଜ,ସୁନ୍ଦରଗଡ଼ ଓ କୋରାପୁଟର ସମ୍ପୂର୍ଣ୍ଣ ଅଂଚଳ ସମେତ ରାୟଗଡ଼ା, କଳାହାଣ୍ଡି କେନ୍ଦୁଝର, ସମ୍ବଲପୁର,ବଲାଙ୍ଗିର, କନ୍ଧମାଳ,ବୌଦ୍ଧ, ଗଞ୍ଜାମ ଓ ବାଲେଶ୍ୱରର କେତେକ  ଅଂଚଳ ଏବେ ସିଡ୍ୟୁଲ ଏରିଆ ଭାବେ ପରିଗଣିତ ହେଉଛି ।

ସେହିପରି ଏହି ଯୋଜନାର ଅଗ୍ରଗତି ବିବରଣୀ ଦୈନିକ ପଠାଇବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟ ସଚିବ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ୧୬ରୁ ଅନଲାଇନ୍ ମାଧ୍ୟମରେ ‘ମୋ ଘର’ ପାଇଁ ଆବେଦନ କରିହେବ ଓ ଏଥିପାଇଁ ହିତାଧିକାରୀଙ୍କ ଆବଶ୍ୟକ ହେଉଥିବା ବିଭିନ୍ନ ସରକାରୀ ଦସ୍ତାବିଜକୁ ସହଜରେ ଉପଲବ୍ଧ କରାଇବା ପାଇଁ ବିଡିଓ, ତହସିଲଦାର ଓ ସବ ରେଜିଷ୍ଟ୍ରାରମାନେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ବିବିଧ ପ୍ରମାଣପତ୍ର ଶୀଘ୍ର ପ୍ରଦାନ ଓ ଗୃହ ନିର୍ମାଣ ପାଇଁ ଜମି ରେକର୍ଡର ପରିବର୍ତ୍ତନ ନିମନ୍ତେ ରାଜସ୍ୱ ବିଭାଗର ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବା ଓ ରାଜସ୍ୱ ଶିବିର ଆୟୋଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ ଯେଉଁ ସବୁ ଆବେଦନ ମିଳିବ ତାକୁ ବ୍ଲକ ପ୍ରଶାସନ ଦ୍ୱାରା କ୍ଷେତ୍ରୀୟ ଅନୁସନ୍ଧାନ କରାଯିବ ।

ସମସ୍ତ ମୂଳ ଦସ୍ତାବିଜ ଯାଂଚ ଶେଷ ହେବାପରେ ଆଇନ ପରାମର୍ଶଦାତାଙ୍କଠୁ ମତାମତ ନେଇ ସମ୍ପୃକ୍ତ ଆବେଦନକାରୀଙ୍କୁ ବ୍ୟାଙ୍କ ଆବେଦନ ପାଇବାର ୩୦ଦିନ ମଧ୍ୟରେ ଋଣ ମଞ୍ଜୁର କରିବା ପାଇଁ ପଦକ୍ଷେପ ନେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଯୋଜନାର ସୁଫଳ ପାଇଁ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ନିୟମିତ ବୈଠକ କରି ସବିଶେଷ ଅବଗତ କରିବା ଓ ବିଡିଓମାନେ ପ୍ରତ୍ୟେକ ପର୍ଯ୍ୟାୟରେ ଏହି ଯୋଜନା ସହ ଜଡ଼ିତ ରହିବା ତଥା ସଠିକ୍ ସମୟରେ ହିତାଧିକାରୀଙ୍କୁ ସେମାନଙ୍କ ଗୃହନିର୍ମାଣର ସ୍ଥିତି ଅନୁସାରେ ବ୍ୟାଙ୍କ ଋଣ ପ୍ରଦାନ ନିମନ୍ତେ ବ୍ୟାଙ୍କଗୁଡ଼ିକୁ ସୁପାରିଶ କରିବା ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Odisha Government Bjd Politics Mo Ghara