ଦିନକ ପରେ ଓଡ଼ିଶାରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚଳାଚଳ ଆରମ୍ଭ କରିବ । ଆସନ୍ତା ୧୮ତାରିଖରେ ପୁରୀ-ହାୱାଡା ମଧ୍ୟରେ ଏହି ସେମି-ହାଇସ୍ପିଡ୍ ଟ୍ରେନ ଚଳାଚଳକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହା ସପ୍ତାହକୁ ୬ଦିନ ଚାଲିବ । ମାତ୍ର ୬ଘଣ୍ଟା ୨୫ମିନିଟରେ ଏହି ଟ୍ରେନ ହାୱାଡାରୁ ପୁରୀ ପହଂଚିବ ଓ ମୋଟ ୭ଟି ସ୍ଥାନରେ ରହଣୀ କରିବ ବୋଲି ଜଣାପଡ଼ିଛି ।
ପୂର୍ବତଟ ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୮ତାରିଖରେ ପୁରୀ-ହାୱାଡା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ ହେବ । ଭର୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ । ଏହି ଟ୍ରେନ ଚଳାଚଳ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ଟ୍ରେନ ଗୁରୁବାରକୁ ଛାଡ଼ିଦେଲେ ବାକି ୬ଦିନ ଚଳାଚଳ କରିବ । ହାୱାଡାରୁ ସକାଳ ୬ଟା ୧୦ମିନିଟରେ ବାହାରି ଏହି ଟ୍ରେନ ଖଡ଼ଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁ-କେନ୍ଦୁଝର ରୋଡ, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍ ଦେଇ ପୁରୀରେ ଦିନ ୧୨ଟା ୩୫ମିନିଟରେ ପହଂଚିବ ।
ସେହିପରି ପୁରୀରୁ ଦିନ ୧ଟା ୫୦ମିନିଟରେ ବାହାରି ଉକ୍ତ ମାର୍ଗ ଦେଇ ହାୱାଡାରେ ରାତି ସାଢ଼େ ୮ଟାରେ ପହଂଚିବ ବୋଲି ଜଣାପଡ଼ିଛି । ଏହି ଟ୍ରେନରେ ମୋଟ ୧୬ଟି ବଗି ରହିଛି ଓ ସମସ୍ତ ବଗି ଶୀତତାପ ନିୟନ୍ତ୍ରିତ । ଏହି ଟ୍ରେନ ଚଳାଚଳ ପାଇଁ ଟ୍ରାଏଲ ରନ୍ ଶେଷ ହୋଇଛି । ପୁରୀରେ ଏହି ଟ୍ରେନ ଚଳାଚଳ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପ୍ରଥମଥର ପାଇଁ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଚଳାଚଳ କରୁଛି ।