Advertisment

ବିବାଦରେ ୧୦୮ଟି ନିୟମିତ ପଦ ବିଜ୍ଞପ୍ତି: ସରକାରୀ ନିଯୁକ୍ତି ଏଜେନ୍ସିକୁ ଅଣଦେଖା, ନିଗମ କରିବ ପରୀକ୍ଷା

ରାଜ୍ୟ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉଠାଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦୮ଟି ନିୟମିତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି ।

author-image
Ordigital Desk
Loka Seva Bhawan

Loka Seva Bhawan

ରାଜ୍ୟ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉଠାଜଳସେଚନ ନିଗମ(ଓଏଲଆଇସି) ପକ୍ଷରୁ ୧୦୮ଟି ନିୟମିତ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ଗତକାଲି ପ୍ରକାଶ ପାଇବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ ନିଯୁକ୍ତି ଏଜେନ୍ସି ଥିବା ସତ୍ତ୍ୱେ ନିଗମ ନିଜେ କାହିଁକି ସିଧାସଳଖ ଏସବୁ ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ଦେଲେ ଓ ନିଜେ ଚୟନ କରିବାକୁ ନିଷ୍ପତ୍ତି ନେଲେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟ ଜଳସମ୍ପଦ ବିଭାଗର ମୋଟ ୩୯୧ଟି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଞ୍ଜିନିୟର(ଏଇଇ) ପଦବୀ ପୂରଣ ନିମନ୍ତେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ଏବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବାବେଳେ ସେହି ବିଭାଗ ଅଧୀନରେ ଥିବା ଉଠାଜଳସେଚନ ନିଗମ ନିଜେ ସିଧାସଳଖ ଗତକାଲିଠୁ ଏତେ ସଂଖ୍ୟକ ଏଇଇ(ରେଗୁଲାର ପଦବୀ) ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛି ।

Advertisment

ପରୀକ୍ଷା ପରିଚାଳନାର ଅଭିଜ୍ଞତା ନଥିବା ସତ୍ତ୍ୱେ ନିର୍ବାଚନୀ ବର୍ଷରେ ନିଗମ ପରିଚାଳନା କର୍ତ୍ତୃପକ୍ଷ ୫୨ଟି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଞ୍ଜିନିୟର(ଏଇଇ), ୨୫ଟି ଜୁନିୟର ଇଞ୍ଜିନିୟର,୧୨ଟି ଜୁନିୟର କ୍ଲର୍କ ଓ ୨୦ଟି ଜୁନିୟର ଆସିଷ୍ଟାଣ୍ଟ ପଦବୀ ଭଳି ନିୟମିତ ନିଯୁକ୍ତି(ରେଗୁଲାର ପଦବୀ) ପ୍ରକ୍ରିୟା ଆରମ୍ଭ କରି ପରୋକ୍ଷରେ ଘୋଡ଼ାବେପାରକୁ ପ୍ରୋତ୍ସାହିତ କରୁଥିବା ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନରେ ଥିବା ଉଠାଜଳସେଚନ ନିଗମ ପକ୍ଷରୁ ଗତକାଲି ମୋଟ ୧୦୮ଟି ନିୟମିତ ପଦବୀ ପାଇଁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ଏସବୁ ଆବେଦନର ଶେଷ ତାରିଖ ମେ’ ୧୦ତାରିଖ ଧାର୍ଯ୍ୟ ହୋଇଛି । ଗ୍ରୁପ୍ -ଏରେ ୫୨ଟି, ଗ୍ରୁପ-ବିରେ ୨୪ଟି ଓ ଗ୍ରୁପ-ସିରେ ୩୨ଟି ନିୟମିତ ପଦବୀ ପାଇଁ ଓଏଲଆଇସି ପକ୍ଷରୁ ଆବେଦନ ପତ୍ର ସଂଗ୍ରହ କରାଯାଉଛି । ଓଏଲଆଇସି ମ୍ୟାନେଜମେଂଟ ଏହି ସ୍ଥାୟୀ ପଦବୀଗୁଡ଼ିକ ପାଇଁ ପ୍ରାର୍ଥୀ ଚୟନ ନିଜେ କରିବ ଓ ନିଯୁକ୍ତି ନିମନ୍ତେ ସୁପାରିଶ କରିବ ବୋଲି ବିଜ୍ଞାପନରେ ଉଲ୍ଲେଖ ରହିଛି।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଏବେ ସରକାରୀ ଚାକିରି ଆଶାରେ ରହିଥିବାବେଳେ ରାଜ୍ୟ ସରକାରଙ୍କ ଅଧୀନରେ ପ୍ରାୟ ୨.୨୬ଲକ୍ଷ ପଦବୀ ଖାଲି ପଡ଼ିଛି । ରାଜ୍ୟ ସରକାର ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଫାଇଭ-ଟି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ସରକାରୀ ଏଜେନ୍ସୀଗୁଡ଼ିକ ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଉଥିବାବେଳେ ନିଯୁକ୍ତି ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି ।  ଗ୍ରୁପ-ଏ ବର୍ଗର ଟେକନିକାଲ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଓପିଏସସିଙ୍କ ଦ୍ୱାରା କରାଯାଉଥିବାବେଳେ ଗ୍ରୁପ-ବି ବର୍ଗର ଟେକନିକାଲ ପଦବୀ ପାଇଁ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନଙ୍କ ଦ୍ୱାରା କମ୍ବାଇନଡ୍ ଟେକନିକାଲ ସର୍ଭିସ ନାଁରେ ପରୀକ୍ଷା କରାଯାଉଛି ।

ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା କରିବା ନିମନ୍ତେ ଅଭିଜ୍ଞତା ସହ ପାରଦର୍ଶିତା ମଧ୍ୟ ରହିଛି । ଏସବୁ ସରକାରୀ ନିଯୁକ୍ତି ସଂସ୍ଥା ପ୍ରତିଯୋଗିତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରି ସେମାନଙ୍କ ତାଲିକା ସରକାରଙ୍କୁ ସୁପାରିଶ କରିଥାନ୍ତି । ସରକାରୀସ୍ତରରେ ଏଭଳି ବ୍ୟବସ୍ଥା ଥିବା ସତ୍ତ୍ୱେ ଓଡ଼ିଶା ଉଠାଜଳସେଚନ ନିଗମ କିଭଳି ଓ କାହା ଇଙ୍ଗିତରେ ନିଜେ ଏତେ ସଂଖ୍ୟକ ନିୟମିତ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଲା ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଓଏଲଆଇସି ମ୍ୟାନେଜମେଂଟ ଚାହିଁଥିଲେ ରାଜ୍ୟ ସରକାରଙ୍କ ମାଧ୍ୟମରେ ହେଉ ଅବା ସରକାରୀ ନିଯୁକ୍ତି ଏଜେନ୍ସୀଗୁଡ଼ିକୁ ଏହି ୧୦୮ଟି ନିୟମିତ ପଦବୀ ପୂରଣ ନିମନ୍ତେ ଚିଠି ଲେଖି ଅନୁରୋଧ କରିପାରିଥାନ୍ତା । ମାତ୍ର ତାହା ନକରି ଓଏଲଆଇସି ମ୍ୟାନେଜମେଂଟ ବିନା ଅଭିଜ୍ଞତାରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ପାଇଁ ନିଷ୍ପତ୍ତି ନେଇଛି ।

ରାଜ୍ୟରେ ଲକ୍ଷ ଲକ୍ଷ ବେକାର ଯୁବକଯୁବତୀ ଚାକିରି ଅନ୍ୱେଷଣରେ ରହିଥିବାବେଳେ ଓଏଲଆଇସି କର୍ତ୍ତୃପକ୍ଷ କାହା ସ୍ୱାର୍ଥରେ ମୋଟା ଅଙ୍କର ଦରମାରେ ଏତେ ସଂଖ୍ୟକ ନିୟମିତ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନିଜେ କରିବାକୁ ନିଷ୍ପତ୍ତି ନେଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ପାଲଟିଛି ।

ସୂଚନାଯୋଗ୍ୟ, ଓଏଲଆଇସି ଅଧ୍ୟକ୍ଷ ଭାବେ ବିଜେଡି ଯୁବନେତା ତଥା ପୂର୍ବତନ ଯୁବ ବିଜେଡି ସଭାପତି ଅମ୍ରେଶ ପତ୍ରୀ କାର୍ଯ୍ୟ କରୁଥିବାବେଳେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ଆଇଏଏସ ସୁଧାଂଶୁ ମୋହନ ସାମଲ ରହିଛନ୍ତି ।

Odisha Government Job Vacancy Odisha Job Scam