Advertisment

ସିବିଆଇ ତଦନ୍ତକୁ ପ୍ରତ୍ୟାଖ୍ୟାନ କଲେ ୧୨ ବିରୋଧୀ ଦଳ, ୭ରେ ରାଜଭବନ ସମ୍ମୁଖରେ କରିବେ ବିକ୍ଷୋଭ

ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତକୁ ଦେଶର ପ୍ରମୁଖ ୧୨ଟି ରାଜନୀତିକ ଦଳର ରାଜ୍ୟ ଶାଖା ମିଳିତ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ଆସନ୍ତା ୭ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି ।

author-image
Ordigital Desk
Train Accident

Train Accident

ବାଲେଶ୍ୱର ଜିଲ୍ଲାର ବାହାନଗା ଟ୍ରେନ ଦୁର୍ଘଟଣା ନେଇ ରେଲୱେ ବୋର୍ଡର ସୁପାରିସ ପରେ ଆଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ବାଲେଶ୍ୱରରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି। ହେଲେ ସେପଟେ ସିବିଆଇ ତଦନ୍ତକୁ ଦେଶର ପ୍ରମୁଖ ୧୨ଟି ରାଜନୀତିକ ଦଳର ରାଜ୍ୟ ଶାଖା ମିଳିତ ଭାବେ ପ୍ରତ୍ୟାଖ୍ୟାନ କରିବା ସହ ଆସନ୍ତା ୭ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ସୂଚନା ଦେଇଛନ୍ତି । ଏହାସହିତ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା, ଆହତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା, ରେଳବାଇ ବିଭାଗରେ ଜଣକୁ ଚାକିରି ଦେବାକୁ ଦାବି କରିଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇସ୍ତଫା ଦେବା ପରେ ହିଁ ତଦନ୍ତ ନିରପେକ୍ଷ ହୋଇପାରିବ ବୋଲି କହିଛନ୍ତି । ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ ନୁହେଁ ବରଂ ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ପାଇଁ ଏହି ଦଳ ମିଳିତ ଭାବେ ଦାବି କରିଛନ୍ତି ।

Advertisment

ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଏହି ୧୨ଟି ଦଳର ରାଜ୍ୟ ଶାଖା ବାହାନଗା ଟ୍ରେନ ଦୁର୍ଘଟଣାର ସିବିଆଇ ତଦନ୍ତ  ନିରପେକ୍ଷ ହେବ ନାହିଁ ଏବଂ ଲୋକେ ନ୍ୟାୟ ପାଇବେ ନାହିଁ  ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ରେଳବାଇର ବେପରୁଆ ଟ୍ରାଫିକ୍ ପରିଚାଳନା, ରେଳଧାରଣା ଗୁଡ଼ିକ କ୍ରମାଗତ ଭାବେ ରକ୍ଷଣାବେକ୍ଷଣ ଓ ମରାମତି ନହେବା, ଦୁର୍ଘଟଣାକୁ ରୋକିବା ପାଇଁ ଆଧୁନିକ ଜ୍ଞାନକୌଶଳ ‘କବଚ’ର ପ୍ରଚାର କରି ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ ନକରିବା ଇତ୍ୟାଦି ବିଫଳତା ଏବଂ ଅପାରଗତା ଯୋଗୁଁ ହିଁ ଏହି ଦୁର୍ଘଟଣା ଘଟିଛି । ରେଳ ଚଳାଚଳର ଭିତ୍ତିିଭୂମି ସମ୍ପର୍କୀୟ ଦୁର୍ବଳତା ଉପରେ ସିଏଜି ରିପୋର୍ଟରେ ଦିଆଯାଇଥିବା ଚେତାବନୀକୁ ମଧ୍ୟ ଅଣଦେଖା କରାଯାଇଛି । ରେଳ ଚଳାଉଥିବା ଲୋକୋ ରନିଂ ଷ୍ଟାଫ୍ ଏବଂ ସହଯୋଗୀ ଷ୍ଟାଫ ମାନଙ୍କ ଉପରେ ଆବଶ୍ୟକତାଠାରୁ ବହୁ ଅଧିକ ସମୟ ଏକ ଅସ୍ୱାଭାବିକ ପରିବେଶ ମଧ୍ୟରେ କାର୍ଯ୍ୟ କରିବାକୁ ପଡୁଛି ।ରେଳ ବିଭାଗରେ ୩ ଲକ୍ଷ ୧୨ ହଜାର ପଦବୀ ଖାଲି ପଡିଛି । ସେଥିରୁ ଏକ ଲକ୍ଷ ୪୨ ହଜାର ପଦବୀ କେବଳ ସୁରକ୍ଷା ଓ ଯାତ୍ରୀ ନିରାପତ୍ତା ବିଭାଗ ପାଇଁ ଉଦ୍ଦିଷ୍ଟ । ଏଥିରେ ବହୁ ଡ୍ରାଇଭର, ଇଞ୍ଜିନିୟର, ଗାର୍ଡ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ପଦବୀ ଖାଲି ପଡ଼ିଛି ।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ରେଳ ଯାତ୍ରୀମାନଙ୍କର ନିରାପତ୍ତା ଏବଂ ରେଳ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଦାବିରେ ଜୁନ୍ ୭ ତାରିଖରେ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯିବ । ଏହା ସହିତ ଆସନ୍ତା ଜୁନ୍ ୧୨ ତାରିଖରେ ପୂର୍ବତଟ ରେଳବାଇ ମୁଖ୍ୟାଳୟ ସମେତ ବାଲେଶ୍ୱର ବ୍ରହ୍ମପୁର ଏବଂ ରାଉରକେଲାଠାରେ ଅନୁରୂପ ବିକ୍ଷୋଭ ମାନ ପ୍ରଦର୍ଶନ କରାଯାଇ ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ଏହି ୧୨ଟି ରାଜନୈତିକ ଦଳ ତରଫରୁ ଘୋଷଣା କରାଯାଇଛି ।

Advertisment

ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ),ସିପିଆଇଏମଏଲ(ଲିବରେସନ), ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଳକ, ଆମ୍ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ସମତାକ୍ରାନ୍ତି ଦଳ, ସିପିଆଇଏମଏଲ(ରେଡଷ୍ଟାର) ଏବଂ ଆରପିଆଇ ପ୍ରମୁଖ ୧୨ଟି ବିରୋଧୀ ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ଅଂଶଗ୍ରହଣ କରିଥିଲେ ।

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅଳିକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ଅଭୟ ସାହୁ, ଜୟନ୍ତ ଦାସ,ଯୁଧିଷ୍ଠିିର ମହାପାତ୍ର,ମହେନ୍ଦ୍ର ପରିଡ଼ା,ଜ୍ୟୋତି ରଞ୍ଜନ ମହାପାତ୍ର, ନଶି ିକାନ୍ତ ମହାପାତ୍ର , ରବି ବେହେରା, ସୁଦର୍ଶନ ପ୍ରଧାନ, ହରିଶ ମହାପାତ୍ର, ହେମନ୍ତ କୁମାର, ବିକ୍ରମ ସ୍ୱାଇଁ , ପ୍ରଭାସ ସାମନ୍ତରାୟ, ଗୀତାଞ୍ଜଳି ମହାନ୍ତି, ପ୍ରମିଳା, ଶେଖ୍ ଅବଦୁଲ୍ଲ ୱାଲ୍ଲୀ ସମେତ ଜଗନ୍ନାଥ ପଟ୍ଟନାୟକ, ବିଷ୍ଣୁ ମହାନ୍ତି , ସୁରେଶ ପାଣିଗ୍ରାହୀ, ଶିବାନନ୍ଦ ରାୟ, ଅଶୋକ କୁମାର ଦାସ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି,ମହେନ୍ଦ୍ର ପରିଡ଼ା ପ୍ରମୁଖ ନେତୃବୃନ୍ଦ ଯୋଗ ଦେଇ ଅଲୋଚନାରେ ସାମିଲ ଥିଲେ ।

Balasore Train Accident BalasoreTrainAccident