Advertisment

ଫର୍ମଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ହେଲା, ମାଟ୍ରିକ୍‌ ପରୀକ୍ଷା ଦେଲେନି ୧୫ଶହ ଛାତ୍ରଛାତ୍ରୀ

ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିବା ବେଳେ ସରକାର ପଦକ୍ଷେପ କିନ୍ତୁ ଖୁବ୍ ଶୀଥିଳ।

author-image
Niranjan Mishra
ଅଦ୍ୟତନ ହୋଇଛି
matric exam

matric exam

ଫର୍ମଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ସତ୍ତ୍ୱେ କୁଆଡ଼େ ଗଲେ ୧୫ ହଜାର ମାଟ୍ରିକ ପରିକ୍ଷାର୍ଥୀ। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଆସି ନ ଥିବା ବେଳେ ସରକାର ପଦକ୍ଷେପ କିନ୍ତୁ ଖୁବ୍ ଶୀଥିଳ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ିଛି। ଛାତ୍ରଛାତ୍ରୀମାନେ କାହିଁକି ପାଠ ଠାରୁ ଦୂରେଇ ଯାଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରକାରୀ ପାଠପଢ଼ା ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ଉପରେ ଆଙ୍ଗୁଳି ବି ଉଠିଛି।

Advertisment

ଏହି ସମ୍ବେଦନଶୀ ଘଟଣାକୁ ନେଇ ତନାଘନା ଭିତରେ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ରଖିଛନ୍ତି ଅଜବ ଉତ୍ତର। ମନ୍ତ୍ରୀ କହିଛନ୍ତି ଏଥର ଫର୍ମଫିଲଅପ୍ ଖର୍ଚ୍ଚ ସରକାର ବହନ କରିଦେବାରୁ ସମେଟିଭ୍ ୱାନ୍ ପରୀକ୍ଷା ଦେଇଥିବା ସବୁ ପିଲା ସମେଟିଭ ଟୁ ପରୀକ୍ଷା ପାଇଁ ଚୟନ ହୋଇଗଲେ। ତଥାପି ବିଭାଗ ଏହାକୁ ଗୁରୁତ୍ୱର ସହ ନେଉଛି। ସ୍ଥିତି ଯାଞ୍ଚ କରାଯିବ।

ବିଭାଗୀୟ ସଚିବ କହିଛନ୍ତି, ଏଥିପାଇଁ ପ୍ରଥମେ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କ ଓରିଏଣ୍ଟେସନ ହେବ। ଘର ଘର ବୁଲି କାରଣ ଖୋଜାଯିବ।

Advertisment

ବାସ୍ତବ ଚିତ୍ର କଣ ଜାଣିବାକୁ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ମୋହନା ବ୍ଲକ ଗୋବିନ୍ଦପୁର ହାଇସ୍କୁଲର ଦୁଇଜଣ ଛାତ୍ର ବବୁଲ ମଲ୍ଲିକ ଓ ରାମୁ ମଲ୍ଲିକଙ୍କ ଉତ୍ତର ପ୍ରକୃତ ସ୍ଥିତିକୁ ବୟାନ କରିଛି। ଜଣଙ୍କର ବାପାଙ୍କ ମୃତ୍ୟୁ ଘଟିଛି ତ ଅନ୍ୟଜଣେ ଅର୍ଥାଭାବରୁ ପରୀକ୍ଷା ଦେଇନଥିବା କହିଥିଲେ। ଏଣେ ସ୍କୁଲ କର୍ତ୍ତୃପକ୍ଷଙ୍କ ଉତ୍ତର ସେମାନେ ଉଭୟଙ୍କ ବାପାଙ୍କୁ ଭେଟିଥିଲେ, ହେଲେ ତାଙ୍କ ପିଲା ଆଉ ଗାଁରେ ରହୁନଥିବା କୁଆଡ଼େ ସେମାନେ କହିଥିଲେ। ଯାହାକୁ ନେଇ କିଏ ଠିକ୍ କହୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେଣେ ଆଜି ମାଟ୍ରିକ ପରୀକ୍ଷା ଅନିୟମିତତାରେ ଏଥର ସର୍ବାଗ୍ରେ ଥିବା ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲା ପୁରୀ ଜିଲ୍ଲାର କାକଟପୁର ଓ ନୟାହାଟର ଦୁଇଟି ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ବିରୋଧରେ ଆଜି ହୋଇଛି କାର୍ଯ୍ୟାନୁଷ୍ଠାନ। ଆଜି କାକଟପୁର ଗାର୍ଲସ ହାଇସ୍କୁଲ ସେଣ୍ଟର କ୍ଲର୍କ ହୋଇଛନ୍ତି ସସପେଣ୍ଡ। ପରୀକ୍ଷା ଚାଲିଥିବାବେଳେ ଶିକ୍ଷକ ଓ କର୍ମଚାରୀଙ୍କୁ ମୋବାଇଲ୍ ବନ୍ଦ ରଖିବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ୱେ ଏହି ସ୍କୁଲର କିରାଣି ମାନସ ପରିଡ଼ା ଏହାର ଉଲ୍ଲଂଘନ କରିଥିବା ଜାଣି ତାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ।

ଏଥିସହ ଏହି ସ୍କୁଲ ଓ ପାଖ ନୟାହାଟ ପରୀକ୍ଷା ସେଣ୍ଟରରେ କପି ସାଙ୍ଗକୁ ସୁପରିଟେଣ୍ଡଣ୍ଟଙ୍କ ମୋବାଇଲ୍ ଅନ୍ ଥିବାରୁ ସ୍କ୍ୱାଡ୍ ଉଭୟ କେନ୍ଦ୍ରର ଅଧୀକ୍ଷକଙ୍କୁ ବି କାର୍ଯ୍ୟ ନିବୃତ୍ତ କରିଛନ୍ତି। ଅନ୍ୟପକ୍ଷରେ ଖୋଦ୍ ଗଣଶିକ୍ଷାମନ୍ତ୍ରୀଙ୍କ ଏରିଆ ନିମାପଡ଼ାର ହରିପୁର ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ସହ କପି ପାଇଁ ମୂଲଚାଲ ବେଳର ଅଡ଼ିଓ ଭାଇରାଲ୍ ଘଟଣାରେ ହୋଇଛି ବଡ଼ ଆକ୍ସନ। ଏ ଖବର ଗଣମାଧ୍ୟମରେ ପ୍ରକାଶନ ପରେ ଉକ୍ତ ସେଣ୍ଟରର ସୁପରିଟେଣ୍ଡେଣ୍ଟ, ଡେପୁଟି ସୁପରିଟେଣ୍ଡେଣ୍ଟ ଓ ଅନ୍ୟ ସମସ୍ତ ପରୀକ୍ଷା ନିରୀକ୍ଷକଙ୍କୁ ଦାୟିତ୍ୱରୁ ଅନ୍ତର କରିଛନ୍ତି ଡିଇଓ। ତାଙ୍କ ସ୍ଥାନରେ ସଂପୂର୍ଣ୍ଣ ନୂଆ ଟିମ୍‌ ପରୀକ୍ଷା ପରିଚାଳନାରେ ନିଯୁକ୍ତ କରାଯାଇଛି।

ପୂର୍ବରୁ ପରୀକ୍ଷା ଆରମ୍ଭ ଦିନ ବ୍ରହ୍ମଗିରି ମଦନମୋହନ ହାଇସ୍କୁଲର ଜଣେ ଶିକ୍ଷୟିତ୍ରୀ ଓ ସେଣ୍ଟର ସୁପରିଟେଣ୍ଡଣ୍ଟଙ୍କ ବିରୋଧରେ ପରୀକ୍ଷା ପରିଚାଳନାରେ ଅନିୟମିତତା ପାଇଁ ହୋଇସାରିଛି କାର୍ଯ୍ୟାନୁଷ୍ଠାନ।

ତେଣୁ ଦେଖିବାର କଥା ପାଠପଢ଼ାରୁ ମୁହଁ ଫେରାଉଥିବା ଛାତ୍ରଛାତ୍ରୀଙ୍କୁ ପୁଣି ବିଦ୍ୟାର ଆଲୋକ ଦେଖାଇବାରେ ସରକାର ସମର୍ଥ ହେଉଛନ୍ତି ନା ନାହିଁ ? ଏଥିସହ ଚଳିତ ମାଟ୍ରିକ ପରୀକ୍ଷା ଆଗକୁ ସ୍ୱଚ୍ଛତାରେ ହେଉଛି ନା ଆହୁରି ତ୍ରୁଟି ସାମ୍ନାକୁ ଆସୁଛି ?

Matric Supplementary Exam Matric Exam