Advertisment

ରାଜ ଭବନରେ ଦେବି କିରାଣି ଚାକିରି, ୨୦୦ ଜଣଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ଧରାପଡ଼ିଲେ ୨

ଚାକିରି ଦେବାକୁ କହି ୨୦୦ ଆଶାୟୀଙ୍କୁ ଠକିଥିବା ୨ ଅଭିଯୁକ୍ତ ଗିରଫ ଭୁବନେଶ୍ୱର ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା) ପୁଲିସ।

ଅଦ୍ୟତନ ହୋଇଛି
Fake Job Racket

Fake Job Racket

Advertisment

ସରକାରୀ ବିଭିନ୍ନ ଅଫିସ୍‌ରେ ଚାକିରି ଦେବାକୁ କହି ପ୍ରାୟ ୨୦୦ ଆଶାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କଲା ଭୁବନେଶ୍ୱର ଇଓଡବ୍ଲୁ (ଅର୍ଥନୈତିକ ଅପରାଧ ଶାଖା) ପୁଲିସ। ଏହି ଦୁଇ ଜଣ ହେଲେ ବାଲେଶ୍ୱର କମର୍ଦ୍ଦା ଥାନା ଅନ୍ତର୍ଗତ ଗୁଜୁଡ଼ିହା ଗ୍ରାମର ରାଜକିଶୋର ପଟ୍ଟନାୟକ ଓ ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଥିବା ବିରଜା କମ୍ପ୍ଲେକ୍ସର ଅରୁଣ ମହାନ୍ତି। ଏନେଇ ଆଜି ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ରାଜ ଭବନ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପିଅନ, କିରାଣି, ଆଗ୍ନିକ, ସୁରକ୍ଷା କର୍ମୀ ଚାକିରି ଦେବାକୁ ଯୁବକଯୁବତୀମାନଙ୍କୁ ଭରସା ଦେଇ ସେମାନେ ଟଙ୍କା ଠକି ନେଉଥିଲେ। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ କରିବା ବେଳେ ଏହି ଦୁଇଜଣଙ୍କ ସମ୍ପୃକ୍ତି ଧରାପଡ଼ିଥିଲା। ସେମାନଙ୍କୁ ଗିରଫ ପରେ ଆଜି ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଛି।

ଦୁଇ ଅଭିଯୁକ୍ତଙ୍କଠାରୁ ବହୁ ନକଲି ସରକାରୀ ଡକୁମେଣ୍ଟ ଜବତ ହୋଇଛି। ଯାହା ଭିତରେ ନକଲି ନିଯୁକ୍ତି ପତ୍ର, ଲୋକସେବା ଭବନର ଜଏନିଂ ଲେଟର ଓ ସିଲ୍ ଜବତ ରହିଛି।

Advertisment

ଇଓଡବ୍ଲୁ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ଭୁବନେଶ୍ୱରର କୁମୁଦିନୀ ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ହୋଇଥିଲା। ତାଙ୍କୁ ନକଲି ସରକାରୀ ଚାକିରି ନିଯୁକ୍ତିପତ୍ର ଧରାଇ ରାଜକିଶୋର ପଟ୍ଟନାୟକ, ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସ ପ୍ରାୟ ୮.୧୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ମାସିକ ୩୪ ହଜାର ଟଙ୍କା ଦରମାରେ କୁମୁଦିନୀଙ୍କୁ ରାଜ ଭବନରେ କିରାଣି ଚାକିରି ଦେବାକୁ ରାଜକିଶୋର ପ୍ରତିଶ୍ରୁତି ଦେଇ ୬ ଲକ୍ଷ ଟଙ୍କା ମାଗିଥିଲେ। ଚାକିରି ପାଇବା ଲୋଭରେ କୁମୁଦିନୀ ୨ ଲକ୍ଷ ଟଙ୍କା ଅଗ୍ରୀମ ରାଜକିଶୋରଙ୍କୁ ଦେଇଥିଲେ। ଟଙ୍କା ପାଇବା ପରେ ରାଜକିଶୋର ଆଉ ଧରାଛୁଆ ଦେଉ ନଥିଲେ। ଏହାପରେ ଅରୁଣ ମହାନ୍ତି ଓ ଭବାନୀ ଶଙ୍କର ଦାସଙ୍କ ସଂସ୍ପର୍ଶରେ ଆସିଥିଲେ କୁମୁଦିନୀ ।

ଅରୁଣ ୭ ଦିନ ଭିତରେ ସରକାରୀ ଚାକିରି ଯୋଗାଡ଼ କରିଦେବାର ପ୍ରତିଶ୍ରୁତି ଦେଇ କୁମୁଦିନୀଙ୍କୁ ୭ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଭରସା କରି କୁମୁଦିନୀ ୭ ଲକ୍ଷ ଟଙ୍କା ଦେଇଥିଲେ। ମାତ୍ର କୌଣସି ପ୍ରକାର ଚାକିରି ପାଇ ନ ଥିଲେ।

ଏହି ସମୟରେ ଏହି ଠକମାନେ ସୁଶାନ୍ତ କୁମାର ମୁଦୁଲି ନାମକ ଜଣେ ଯୁବକଙ୍କୁ ସ୍କୁଲ ପିଅନ ଚାକିରି ଦେବାକୁ ଭରସା ଦେଇ ୧.୦୫ ଲକ୍ଷ ଟଙ୍କା, ଦୀପକ କୁମାର ନାୟକ ନାମକ ଜଣେ ଯୁବକଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ରେ ପିଅନ ନିଯୁକ୍ତି ଦେବାକୁ କହି ୪.୫୦ ଲକ୍ଷ ଟଙ୍କା, ଦୀପୁ ବିଶ୍ୱାଳ ନାମକ ଜଣେ ଯୁବକଙ୍କୁ ଭୁବନେଶ୍ୱର ରାଜ ଭବନରେ ପିଅନ ଚାକିରି ଦେବାକୁ ଭରସା ଦେଇ ୨ ଲକ୍ଷ ଟଙ୍କା ଠକି ନେଇଥିଲେ।

ତଦନ୍ତ ବେଳେ ଏହି ଠକମାନେ ଶତାଧିକ ଲୋକଙ୍କୁ ଏଭଳି ଭାବେ ଠକେଇ କରିଥିବା ଜଣାପଡ଼ିଥିଲା। କାହାକୁ ଜାଲ ନିଯୁକ୍ତିପତ୍ର ଦେଇ ଠକିଛନ୍ତି ତ କାହାକୁ ନକଲି ସରକାରୀ ସିଲେକ୍ସନ ଲିଷ୍ଟ ଦେଖାଇ କିମ୍ବା କୌଶଳରେ କଥା କହି ଟଙ୍କା ଠକି ନେଇଛନ୍ତି।

ଅଭିଯୁକ୍ତମାନଙ୍କ ଠାରୁ ବିପୁଳ ପରିମାଣର ନକଲି ସରକାରୀ ନିଯୁକ୍ତି ପତ୍ର, ଜଏନିଂ ଲେଟର, ସିଲେକ୍ସନ ଲିଷ୍ଟ, ସିଲ୍, ଲୋଗୋ ସମେତ ଶତାଧିକ ଲୋକଙ୍କ ବାୟୋଡାଟା, ଆବେଦନପତ୍ର, ପ୍ରଭୃତି ଜବତ ହୋଇଛି। ରାଜଭବନ, ଶିକ୍ଷା ବିଭାଗ, ଶକ୍ତି ବିଭାଗ, ସଚିବାଳୟ, ଟ୍ରାଫିକ୍ ପୁଲିସ, ଅବକାରୀ ବିଭାଗ, କେନ୍ଦ୍ରୀୟ ବିଦ୍ୟାଳୟ, ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ଚାକିରି ଦେବାକୁ କହି ଏମାନେ ଠକେଇ କରୁଥିବାର ପ୍ରମାଣ ମିଳିଛି। ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ଇଓଡବ୍ଲୁ ପକ୍ଷରୁ କୁହାଯାଇଛି।

Fake Item Racket Job Scam Odisha Job Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe